ସହାୟତାର ହାତ ବଢାଇଲେ ପୋଲିସ ଅଧିକାରୀ

ଲହୁଣୀପଡ଼ା,୧୦।୨(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲାର ଜଣେ ପୋଲିସ ଅଧିକାରୀ ମାନବିକତାର ପରିଚୟ ଦେଇଛନ୍ତି। ସେ ହେଲେ ମହୁଲପଦା ଥାନା ଅଧିକାରୀ ସୁଦର୍ଶନ ଦେହୁରୀ। ଲହୁଣୀପଡା ବ୍ଲକ ଭୁତୁଡା ପଞ୍ଚାୟତର ତିଲକୁଦା ଗ୍ରାମର ରଞ୍ଜନ ଦେହୁରୀ (୫୦)ଙ୍କ ଝିଅ ରଇ ଦେହୁରୀ(୬) ନିଆଁରେ ପୋଡ଼ିଯାଇଥିଲେ। ଥଣ୍ଡା ଦିନ ଥିବାରୁ ରଇ ସାନ ଭଉଣୀ ସସ୍ମିତା(୩ମାସ)କୁ ଧରି ନିଆଁ ପୋଉଁ ହେଉଥିବା ବେଳେ ହଠାତ ଦେହରେ ନିଆଁ ଲାଗିଯାଇଥିଲା ଫଳରେ ରଇର ବାମ ଜଙ୍ଘ ସମ୍ପୂର୍ଣ୍ଣ ପୋଡି ଯାଇଥିଲା। ଇତି ମଧ୍ୟରେ ତିନି ମାସ ବିତିଯାଇଥିଲେ ମଧ୍ୟ ତାକୁ ଘର ଲୋକେ ଡାକ୍ତରଖାନା ନ ନେଇ ଝଡାଫୁଙ୍କା କରୁଥିଲେ।

ଫଳରେ କ୍ଷତ ସ୍ଥାନଟି ଭଲ ହେବା ପରିବର୍ତ୍ତେ ଆହୁରି ବଢ଼ିବାରେ ଲାଗିଥିଲା। ଫଳରେ ଛୁଆଟି ଅଧିକରୁ ଅଧିକ କଷ୍ଟ ପାଉଥିଲା। ଛୁଆର କଷ୍ଟ ଦେଖି ସହି ନ ପାରି ସ୍ଥାନୀୟ ଲୋକେ ମହୁଲପଦା ଥାନା ଅଧିକାରୀ ସୁଦର୍ଶନ ଦେହୁରୀଙ୍କୁ ଖବର ଦେଇଥିଲେ। ଖବରପାଇ ଥାନା ଅଧିକାରୀ ଦେହୁରୀ ଘରକୁ ଆସି କୁନି ଝିଅର ସ୍ବାସ୍ଥ୍ୟ ସମ୍ପର୍କରେ ପଚାରି ବୁଝିଥିଲେ। ଛୋଟ ଛୁଆର କଷ୍ଟ ଦେଖି ସହି ନ ପାରି ସହାୟତାର ହାତ ବଢାଇଥିଲେ। ସେ ୧୦୮ ଆମ୍ବୁଲାନ୍ସକୁ ଡ଼କାଇ ଅଧିକ ଚିକିତ୍ସା ପାଇଁ ପ୍ରଥମେ ରାଉରକେଲା ସ୍ଥିତ ଜୟପ୍ରକାଶ ହସ୍ପିଟାଲକୁ ପଠାଇଥିଲେ। ମାତ୍ର ବାପାଙ୍କ ସ୍ବାସ୍ଥ୍ୟକାର୍ଡରେ ଝିଅର ପଞ୍ଜିକରଣ ନ ଥିବାରୁ ତାକୁ ସେଠାରେ ରଖି ନ ଥିଲେ। ଫଳରେ ରାଉରକେଲାସ୍ଥିତ ସରକାରୀ ଡ଼ାକ୍ତରଖାନା (ଆରଜିଏଚ )ରେ ଭର୍ତ୍ତି କରି ଚିକିତ୍ସା କରିବାରୁ ସ୍ବାସ୍ଥ୍ୟରେ ଉନ୍ନତି ହେଉଥିବା ଦେଖିବାକୁ ମିଳୁଛି। ବର୍ତ୍ତମାନ ଝିଅ ସୁସ୍ଥ ହେଲାଣିି ବୋଲି ଥାନା ଅଧିକାରୀ ପ୍ରକାଶ କରିଛନ୍ତି। କେବଳ ସେତିକି ନୁହେଁ, ପୂର୍ବରୁ ମଧ୍ୟ ଥାନା ଅଧିକାରୀ ମାନବିକତାର ପରିଚୟ ଦେଇ ଲୋକଙ୍କ ଆସ୍ଥାଭାଜନ ହୋଇଛନ୍ତି। ଗତ ୨୦।୭।୨୨ରେ କୁଳିପୋଷ ରେଞ୍ଜ ଅଧୀନରେ ଥିବା ଫୁଲଝର ଗ୍ରାମର ଗିନିଆ ଜଙ୍ଗଲରେ ହାତୀ ସହିତ ମୁହାଁମୁହିଁ ହେବା ଫଳରେ ହେମନ୍ତ ମୁଣ୍ଡାରୀ (୨୫) ନାମକ ଜଣେ ଯୁବକଙ୍କ ହାତୀ ଆକ୍ରମଣରେ ମୃତ୍ୟୁ ଘଟିଥିଲା। ବିିଡ଼ମ୍ବନାର ବିଷୟ ଯେ ହେମନ୍ତ ଅନ୍ୟ ଏକ ଜାତିର ଜଣେ ଯୁବତୀଙ୍କୁ ବିବାହ କରିଥିବାରୁ ଜାତି ସମାଜ ତାକୁ ବାରଣ କରିଥିଲେ। ତେଣୁ ଗ୍ରାମବାସୀ କିମ୍ବା ଜ୍ଞାତିକୁଟୁମ୍ବ କେହି ତାର ମୃତଦେହ ପାଖକୁ ଆସି ନ ଥିଲେ କି ଛୁଇଁ ମଧ୍ୟ ନ ଥିଲେ। ଦୀର୍ଘ ସମୟ ଧରି ମୃତଦେହ ପଡି ରହିବାରୁ ଶେଷରେ ମହୁଲପଦା ଥାନା ଅଧିକାରୀ ସୁଦର୍ଶନ ଦେହୁରୀ ଏବଂ ତାଙ୍କ ସହଯୋଗୀମାନେ ଏବଂ ବନ କର୍ମଚାରୀମାନେ ମୃତଦେହକୁ ନିଜ କାନ୍ଧରେ କାନ୍ଧେଇ ମସାଣିକୁ ନେଇ ସତ୍କାର କରିଥିଲେ।