ପୋଲିସ-ମାଓବାଦୀ ଗୁଳି ବିନିମୟ

ମାଲକାନଗିରି,୨୨ା୫(ଡି.ଏନ.ଏ.): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ର ବିଜାପୁରରେ ପୋଲିସ-ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟି ୨ଜଣ ଯବାନ ଆହତ ହୋଇଛନ୍ତି। ଗଙ୍ଗାଲୁର ଥାନା ଅଞ୍ଚଳର ପୁସନାର ଏବଂ ହିରୋଲି ମଧ୍ୟରେ ମାଓବାଦୀଙ୍କ ଉପସ୍ଥିତି ନେଇ ଖବର ପାଇ ପୋଲିସ ପକ୍ଷରୁ କୋମ୍ବିଂ ଅପରେଶନ ଆରମ୍ଭ କରାଯାଇଥିଲା। ଜଙ୍ଗଲକୁ ପୋଲିସ ଆସିଥିବା ଜାଣିପାରି ମାଓବାଦୀମାନେ ପୋଲିସ ଉପରକୁ ଗୁଳି ଚଳାଇଥିଲେ। ପୋଲିସ ମଧ୍ୟ ଏହାର ଜବାବ ଦେଇଥିଲା। ଦୀର୍ଘ ସମୟ ଧରି ଉଭୟପକ୍ଷଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ମାଓବାଦୀଙ୍କ ଗୁଳିରେ ଦୁଇଜଣ ଯବାନ ନକୁଲ୍‌ ଏବଂ ମହମ୍ମଦ ସହିଦ ଆହତ ହୋଇଥିଲେ। ସେମାନଙ୍କୁ ବିଜାପୁର ଜିଲା ଡାକ୍ତରଖାନାରେ ଚିକିତ୍ସା ଲାଗି ଭର୍ତ୍ତି କରାଯାଇଥିଲା। ତେବେ ସୁଯୋଗ ଦେଖି ମାଓବାଦୀମାନେ ପୋଲିସ କବଳରୁ ଖସି ପଳାଇଥିଲେ।

ସେହିପରି ମାଲକାନଗିରି ଜିଲା ସୀମାନ୍ତ ତେଲଙ୍ଗାନା ରାଜ୍ୟର ଭଦ୍ରଦ୍ରି କୋଥାଗୁଡେମ ଜିଲାରେ ମାଓବାଦୀ ଦମନ ଲାଗି କୋମ୍ବିଂ ଅପରେଶନ ବେଳେ ପୋଲିସ ମାଓବାଦୀ କ୍ୟାମ୍ପ ଠାବ କରିଛି। ଜିଲାର ଡୁମୁଗୁଡେମ ଜଙ୍ଗଲରେ ସିଆରପିଏଫ ଏବଂ ପୋଲିସ ପକ୍ଷରୁ ଏହି ଅପରେଶନ ଚାଲିଥିଲା। ଠାବ କରାଯାଇଥିବା କ୍ୟାମ୍ପ ଉପରେ ଚଢାଉ କରି ପୋଲିସ ୧୦ଜଣଙ୍କୁ ଗିରଫ କରିଛି। ସେମାନଙ୍କ ମଧ୍ୟରେ ୫ ଜଣ ମାଓବାଦୀ ସହଯୋଗୀ ଏବଂ ୫ ଜଣ ମିଲେସିଆ ମାଓବାଦୀ ବୋଲି ଜଣାପଡିଛି।