Categories: ଜାତୀୟ

ଶିବାନ୍‌ଙ୍କ ପାଇଁ ପୋଲିସ ପାଲଟିଲା ସାନ୍ତା

ଗାଜିଆବାଦ୍‌, ୨୭।୧୨:ମା’ବାପା ସବୁବେଳେ ପିଲାଙ୍କ ଖୁସି ପାଇଁ ତାଙ୍କୁ ସବୁ ପ୍ରକାର ସୁବିଧା ଯୋଗାଇ ଦେବାକୁ ଚେଷ୍ଟା କରନ୍ତି। କେବେ କେମିତି ଅଭିଭାବକମାନେ ପିଲାଙ୍କ ଜିଦ୍‌କୁ ପୂରା ନ କଲେ କିଛି ସମୟର କନ୍ଦାକଟା ପରେ ପିଲାମାନେ ବୁଝିଯାଆନ୍ତି। କିନ୍ତୁ ଉତ୍ତର ପ୍ରଦେଶ ଗାଜିଆବାଦ୍‌ରେ ୧୨ ବର୍ଷର ଶିବାନ୍‌ଙ୍କ କଥା ଘରେ ନ ଶୁଣିବାରୁ ସେ ଘର ଛାଡ଼ି ପଳାଇବା ପରେ ପୋଲିସ ସାନ୍ତା ସାଜି ତାଙ୍କୁ ଉଦ୍ଧାର କରିଛି। ବଡ଼ଦିନ ପାଇଁ ସାଙ୍ଗମାନେ ସ୍କୁଲକୁ ସାନ୍ତା କ୍ଲସ୍‌ ଡ୍ରେସ୍‌ ପିନ୍ଧି ଆସିବାକୁ ଯୋଜନା କରିଥିଲେ। ଏ କଥା ଶିବାନ୍‌ ତାଙ୍କ ମା’ ଗୀତାଙ୍କୁ ଜଣାଇଲେ। ପରଦିନ ସ୍କୁଲ ଗଲାବେଳେ ଗୀତା ସାନ୍ତା ଡ୍ରେସ୍‌ କିଣିଦେବେ ବୋଲି କହିଥିଲେ। କିନ୍ତୁ ଡ୍ରେସ୍‌ ନ ମିଳିବାରୁ ସେ ମା’ଙ୍କ ପାଖରେ ଏ ନେଇ ଅଝଟ କରିଥିଲେ। ଏହାପରେ ଗୀତା ରାଗିଯାଇ ଶିବାନଙ୍କୁ ମାଡ଼ ମାରିଥିଲେ।
ରବିବାର ସକାଳେ ଦିଲ୍ଲୀ-ମିରଟ ଏକ୍ସପ୍ରେସ୍‌ ଓ୍ବେ’ରେ ଶିବାନ୍‌ ଏକୁଟିଆ ଛିଡ଼ା ରହିଥିବା କେତେଜଣ ଲୋକ ଦେଖିଥିଲେ। ସେ ଭାରି ବ୍ୟସ୍ତ ମଧ୍ୟ ଜଣାପଡ଼ୁଥିଲେ। ଅଘଟଣର ଆଶଙ୍କା କରି ସ୍ଥାନୀୟ ଲୋକେ ପୋଲିସକୁ ସୂଚନା ଦେଇଥିଲେ। ପୋଲିସ ପାଟ୍ରୋଲିଂ ଗାଡ଼ି ଆସି ଶିବାନଙ୍କୁ ସେଠାରୁ ଥାନାକୁ ନେଇଥିଲା। ଘରଲୋକେ ସାନ୍ତା ଡ୍ରେସ୍‌ କିଣି ନ ଦେବାରୁ ସେ ରାଗିଯାଇ ଘରଛାଡ଼ି ଚାଲିଆସିଥିବା ପୋଲିସକୁ କହିଥିଲେ। ଏଥିସହ ଅକ୍ଟୋବର ୧୨ରେ ତାଙ୍କ ଜନ୍ମଦିନରେ ଘର ଲୋକ କେକ୍‌ କାଟି ନ ଥିବା କଥା ମଧ୍ୟ ସେ କହିଥିଲେ। ଏହାପରେ ଥାନା ଅଧିକାରୀ ଶିବାନଙ୍କ ମା’ବାପାଙ୍କୁ ଥାନାକୁ ଡକେଇ ତାଙ୍କ ଜନ୍ମଦିନ ପାଳିବାର ନିଷ୍ପତ୍ତି ନେଲେ। କେକ୍‌ କଟାଯିବା ସାଙ୍ଗକୁ ଶିବାନଙ୍କୁ ସାନ୍ତା ଡ୍ରେସ୍‌ ଗିଫ୍ଟ କରିଥିଲେ ଥାନା କର୍ମଚାରୀ। ଶିବାନ୍‌ଙ୍କ ବାପା ଅମରିଶ କୁମାର ଜଣେ ରଙ୍ଗମିସ୍ତ୍ରି ହୋଇଥିବାବେଳେ ଗୀତା ଘର ଘର ବୁଲି କାମ କରନ୍ତି। ରୋଜଗାର ଟଙ୍କାରେ ଘର ଚଳାଇବା କଷ୍ଟକର ହୋଇ ପଡ଼ିଥିବା ଗୀତା କହିଛନ୍ତି।

Share