ବ୍ରାଉନସୁଗାର ମାଫିଆଙ୍କ ସହ ପୋଲିସ ଲିଙ୍କ: ପୂର୍ବତନ ଥାନାଅଧିକାରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ବାଲେଶ୍ୱର ଅଫିସ, ୧।୯: ବାଲେଶ୍ୱର ଜିଲା ଜଳେଶ୍ୱର ଥାନାର ପୂର୍ବତନ ଆଇଆଇସି ଧନେଶ୍ୱର ସାହୁଙ୍କ ବ୍ରାଉନସୁଗର ମାଫିଆଙ୍କ ସହିତ କଥାବାର୍ତ୍ତାକୁ ନେଇ ଏକ ଅଡିଓ ପୂର୍ବରୁ ଭାଇରାଲ ହୋଇଥିଲା। ଏହି ଘଟଣାରେ ଆଇଆଇସି ସାହୁଙ୍କୁ ଡିଜିପି ଅଭୟ ନିଲମ୍ବନ କରିଥିଲେ। ତେବେ ଏହି ଘଟଣାକୁ କେନ୍ଦ୍ରକରି ମଙ୍ଗଳବାର ପୂର୍ବାହ୍ନରେ ଜଳେଶ୍ବର ଥାନରେ ବାଲେଶ୍ବର ଓ ବାରିପଦା ଭିଜିଲାନ୍ସ ଟିମ୍‌ ମିଳିତ ଚଡାଉ କରିଛନ୍ତି। ଜଳେଶ୍ବର ଥାନା ସହିତ ଆଇଆଇସି ସାହୁଙ୍କ ବାସଭବନରେ ମଧ୍ୟ ଚଢ଼ାଉ ଜାରି ରଖିଛନ୍ତି। ବ୍ରାଉନ ସୁଗାର ମାଫିଆଙ୍କ ସହ ତାଙ୍କ ଲିଙ୍କ୍‌ ଘଟଣାର ଖୋଳତାଡ଼ ଚାଲିଛି। ଏଥି ସହିତ ଉକ୍ତ ଥାନାର ଗ୍ରାମରକ୍ଷୀ ଅନନ୍ତ ମଣ୍ଡଳଙ୍କ ଅଗ୍ରୱାଲା ଛକଠାରେ ଥିବା ଭଡାଘର ଏବଂ ଶିଖରପୁର ପୈତୃକ ଘରେ ମଧ୍ୟ ଚଢ଼ାଉ ଚାଲିଛି। ଭିଜିଲାନ୍ସର ୧୧ ଜଣିଆ ଟିମ୍‌ ସାହୁଙ୍କର ଜଳେଶ୍ବର ସରକାରୀ ବାସଭବନ, ଭୁବନେଶ୍ୱର, କଟକ ନରସିଂପୁର ପୈତୃକ ଘରେ ଏକ କାଳୀନ ଚଢ଼ାଉ ଚାଲିଥିବା ଭିଜିଲାନ୍ସ ବିଭାଗ ପକ୍ଷରୁ ସୂଚନା ମିଳିଛି ।