ଗଣେଶପୂଜା କମିଟିକୁ ପୋଲିସର କଡ଼ା ନିର୍ଦ୍ଦେଶ, ଡିଜେ ସାଉଣ୍ଡ, ଅଶ୍ଳୀଳ ନୃତ୍ୟ ସମ୍ପୂର୍ଣ୍ଣ ମନା

ପୁରୁଷୋତ୍ତମପୁର,୮।୯(ସବିତା ମିଶ୍ର): ଆସନ୍ତା ୧୪ ତାରିଖରେ ହେବାକୁ ଥିବା ଗଣେଷପୂଜାକୁ ଶାନ୍ତିଶୃଙ୍ଖଳାର ସହ ପାଳନ କରିବାକୁ ପୁରୁଷୋତ୍ତମପୁର ପୋଲିସ ଏବଂ ପ୍ରଶାସନ ପକ୍ଷରୁ କଡ଼ା ପଦକ୍ଷେପ ନିଆଯାଇଛି।

ପୂଜା ସମୟରେ ଡିଜେ ସାଉଣ୍ଡ, ଅଶ୍ଳୀଳ ନୃତ୍ୟ ଉପରେ ସମ୍ପୂର୍ଣ୍ଣ ରୋକ୍‌ ଲଗାଯାଇଛି। ମଙ୍ଗଳବାର ସାରେ ପୁରୁଷୋତ୍ତମପୁର ଥାନା ପରିସରରେ ଆଇଆଇସି କୁଳମଣି ସେଠୀଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ତହସିଲଦାର ବିନୋଦ କୁମାର ବେହେରା, ଏସଡିପିଓ ସୁଜିତ କୁମାର ନାୟକ ଯୋଗଦେଇ ପୂଜା କମିଟିଗୁଡ଼ିକୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି।

ଉଚ୍ଚଶବ୍ଦରେ ସାଉଣ୍ଡ ନ ବଜାଇବା, ବିଶୃଙ୍ଖଳା ସୃଷ୍ଟି ନ କରିବା, ରାସ୍ତା ଅବରୋଧ ନ କରିବା, ମଦ୍ୟପାନ ଓ ନିଶାସେବନକୁ କଡ଼ା ଭାବେ ବାରଣ କରାଯାଇଛି। ପୂଜାମଣ୍ଡପରେ ସିସିଟିଭି, ଅଗ୍ନିନିର୍ବାପକ ବ୍ୟବସ୍ଥା ଓ ବିଦ୍ୟୁତ୍‌ ସୁରକ୍ଷା ଅନିବାର୍ଯ୍ୟ କରାଯାଇଛି।
ଭସାଣି ନିର୍ଦ୍ଧାରିତ ଦିନ ଏବଂ ସମୟସୀମା ମଧ୍ୟରେ କରିବାକୁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ଭସାଣି ସ୍ଥଳରେ ଅଗ୍ନିଶମ ବିଭାଗ କର୍ମଚାରୀଙ୍କୁ ନିୟୋଜିତ କରିବାକୁ କୁହାଯାଇଛି। ବୈଠକରେ ପୁରୁଷୋତ୍ତମପୁର ସହରର ୩୦ଟି ପୂଜାମଣ୍ଡପର କର୍ମକର୍ତ୍ତା ଉପସ୍ଥିତ ରହିଥିଲେ।

Share