୨୧ ବର୍ଷ ପରେ ପୋଲିସ ଇନ୍ସପେକ୍ଟରଙ୍କୁ ୨ ବର୍ଷ ଜେଲ

ବ୍ରହ୍ମପୁର, ୪ା୧୨(ସୁବାସ ଚନ୍ଦ୍ର ପାଢ଼ୀ): ୨୧ ବର୍ଷ ପରେ ଏକ ଆୟବହିର୍ଭୂତ ସମ୍ପତ୍ତି ଠୁଳ ମାମଲାର ଚୂଡ଼ାନ୍ତ ରାୟ ପ୍ରକାଶ ପାଇଛି। ସ୍ବତନ୍ତ୍ର ଭିଜିଲାନ୍ସ ଜଜ୍‌ ଡ. ଅରୁଣ କୁମାର ସାହୁ ସୋମବାର ଉକ୍ତ ମାମଲାର ଶୁଣାଣି କରି ତତ୍କାଳୀନ ପୋଲିସ ଇନ୍ସପେକ୍ଟର ତପନ କୁମାର ପାଢୀଙ୍କୁ ୨ ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥିସହ ୧୦ହଜାର ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜରିମାନା ଅନାଦାୟ ଅଧିକ ୧ ମାସ ସଶ୍ରମ କାରାଦଣ୍ଡରେ ଦଣ୍ଡିତ ପାଇଁ ରାୟରେ ଉଲ୍ଲେଖ କରିଛନ୍ତି।

ତପନ ୧୯୮୧ରେ ପୋଲିସ ସବ୍‌ଇନ୍ସପେକ୍ଟର ଭାବେ କାମ ଆରମ୍ଭ କରିଥିଲେ। ୨୦୦୨ ଏପ୍ରିଲ ୧୬ ତାରିଖରେ ଗଞ୍ଜାମ ପୋଲିସ ଜିଲାର ଡିସିଆରବିରେ ଇନ୍ସପେକ୍ଟର ଭାବେକାର୍ଯ୍ୟରତ ଥିଲେ। ତାଙ୍କ ବିରୋଧରେ ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ ହୋଇଥିଲା। ଭିଜିଲାନ୍ସ ଟିମ ତାଙ୍କର ବ୍ରହ୍ମପୁର ବାସଭବନ ସମେତ ୩ଟି ସ୍ଥାନରେ ଚଢ଼ାଉ କରିଥିଲା । ସେହି ସମୟରେ ତପନଙ୍କର ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ମୂଲ୍ୟ ୧୭ ଲକ୍ଷ ୨୮ ହଜାର ୦୪୫ ଟଙ୍କା ଆକଳନ କରାଯାଇଥିଲା। ସେଥିମଧ୍ୟରୁ ୧୪ ଲକ୍ଷ ୭୮ହଜାର ୧୫୫ ଟଙ୍କା ତାଙ୍କର ଆୟବହିର୍ଭୂତ ସମ୍ପତ୍ତି ଠାବ ହୋଇଥିଲା। ଯାହାର ହିସାବ ଭିଜିଲାନ୍ସ ନିକଟରେ ସେ ଦାଖଲ କରିପାରି ନ ଥିଲେ।
ତାଙ୍କ ବିରୋଧରେ ୧୭/୦୨ରେ ଏକ ମାମଲା ରୁଜୁ ହୋଇଥିଲା। ଏହି ମାମଲାର ତଦନ୍ତକାରୀ ଅଧିକାରୀ ତଥା ତତ୍କାଳୀନ ଭିଜିଲାନ୍ସ ଇନ୍ସପେକ୍ଟର ପ୍ରଶାନ୍ତ କୁମାର ଦ୍ବିବେଦୀ କୋର୍ଟରେ ଚାର୍ଜଶିଟ ଦାଖଲ କରିଥିଲେ। ମାମଲାର ବିଚାର ବେଳେ କୋର୍ଟରେ ୨୮ଜଣ ସାକ୍ଷୀଙ୍କ ବୟାନ ରେକର୍ଡ କରାଯାଇଥିଲା। ଏହାକୁ ଆଧାର କରି ଜଜ୍‌ ଦଣ୍ଡାଦେଶ ଶୁଣାଇଛନ୍ତି। ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ପିପି ସୁରେନ୍ଦ୍ର ପଣ୍ଡା ମାମଲା ପରିଚାଳନା କରିଥିଲେ।