ଭୁବନେଶ୍ୱର,୧୨ା୧୦(ତ୍ରିନାଥ ମହାନ୍ତି): ମହିଳାଙ୍କୁ ସୁରକ୍ଷା ବଦଳରେ ଇଜ୍ଜତ ଲୁଟୁଛି ପୋଲିସ। ଖୋଦ୍ ଜଣେ ରାଜନେତ୍ରୀଙ୍କୁ ୬ ମାସ ହେବ ଯୌନ ନିର୍ଯାତନା ଦେଉଥିଲେ ପୋଲିସ କର୍ମଚାରୀ। ରାତି ହେଲେ ମହିଳାଙ୍କୁ ହ୍ବାଟ୍ସଆପ୍ରେ ଭିଡିଓ କଲ୍ କରି ଉଲଗ୍ନ ହେବାକୁ ବାଧ୍ୟ କରୁଥିଲେ। ନ ହେଲେ ମାମଲା ରୁଜୁ କରି ଗିରଫ କରିବାକୁ ଭୟ ଦେଖାଉଥିଲେ। ପୋଲିସ କର୍ମଚାରୀଙ୍କ ଏଭଳି କାର୍ନାମାକୁ ଲୁଚାଇବା ସହ ଅଭିଯୋଗକୁ ଚାପି ଦେଇଥିଲା ବଡ଼ଗଡ଼ ଥାନା ପୋଲିସ। ଶେଷରେ ପୀଡିତା ନେତ୍ରୀ ଡିସିପି ଶର୍ବଣା ବିବେକଙ୍କୁ ଭେଟି ଘଟଣା ଜଣାଇବା ପରେ ଅଭିଯୁକ୍ତ ପୋଲିସକୁ ଗିରଫ କରାଯାଇଛି। ସେ ହେଲେ ବଡ଼ଗଡ଼ ଥାନା ପିସିଆର୍ରେ କାମ କରୁଥିବା ହାବିଲ୍ଦାର ତାପସ ପ୍ରଧାନ। ଏନେଇ ବଡ଼ଗଡ଼ ଥାନାରେ ତାପସଙ୍କ ବିରୋଧରେ ବିଏନ୍ଏସ୍ ଧାରା ୭୫(୨), ୪୮, ୭୯, ୩୫୧(୨) ଓ ଏସ୍ଟି/ଏସି ଆକ୍ଟରେ ଏକ ମାମଲା (ନଂ.୭୫୮/୨୬) ରୁଜୁ କରାଯାଇଛି। କୋର୍ଟ ଚାଲାଣ ପରେ ଅଭିଯୁକ୍ତ ତାପସଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।
ଅଭିଯୋଗ ଅନୁସାରେ, ବଡ଼ଗଡ଼ ଥାନାଞ୍ଚଳରେ ପରିବାର ସହ ରହୁଥିବା ପୀଡିତା ନେତ୍ରୀ ସମସ୍ୟାରେ ପଡ଼ି ୧୧୨କୁ ଫୋନ୍ କରିଥିଲେ। କଣ୍ଟ୍ରୋଲ ରୁମ୍ ବଡ଼ଗଡ଼ ଥାନା ଅଞ୍ଚଳରେ ଥିବା ପିସିଆର ଭ୍ୟାନ୍କୁ ଉକ୍ତ ମହିଳାଙ୍କୁ ସହଯୋଗ କରିବାକୁ ପଠାଇଥିଲେ। ସେଦିନ ଉକ୍ତ ପିସିଆର ଭ୍ୟାନ୍ରେ ହାବିଲ୍ଦାର ତାପସଙ୍କ ଡ୍ୟୁଟି ପଡ଼ିଥିଲା। ସେ ଘଟଣା ସ୍ଥଳକୁ ଯାଇ ତାଙ୍କୁ ସହଯୋଗ କରିବା ସହ ଫୋନ୍ ନମ୍ବର ଆଣିଥିଲେ। ସେବେଠୁ ସେ ଉକ୍ତ ନେତ୍ରୀଙ୍କୁ ବାରମ୍ବାର ଫୋନ୍ କରି ପ୍ରେମ ନିବେଦନ କରୁଥିଲେ। ଧମକ ଦେଇ କଥା ହେବା ସହ ମାନସିକ ନିର୍ଯାତନା ଦେଉଥିଲେ। ସେ ତାଙ୍କୁ ହ୍ବାଟ୍ସଆପ୍ରେ ଭିଡିଓ କଲ୍ କରି ଉଲଗ୍ନ ହେବାକୁ ବାଧ୍ୟ କରୁଥିଲେ। ଏହି ସମୟରେ ତାପସ ନେତ୍ରୀଙ୍କ ଉଲଗ୍ନ ଅବସ୍ଥାର ଭିଡିଓ ରେକର୍ଡିଂ କରି ନିଜ ମୋବାଇଲ୍ରେ ରଖିଥିଲେ। ପରବର୍ତ୍ତୀ ସମୟରେ ତାଙ୍କୁ ବ୍ଲାକ୍ମେଲିଂ କରି ହଇରାଣ କରୁଥିଲେ। ତାଙ୍କୁ ବିଭିନ୍ନ ହୋଟେଲ, ଲଜ୍ ଏବଂ ନିରୋଳା ସ୍ଥାନକୁ ଡାକୁଥିଲେ। ସେ ଯିବାକୁ ମନା କଲେ ଭିଡିଓ ଭାଇରାଲ କରିଦେବା ଧମକ ଦେଉଥିଲେ। ନିର୍ଯାତନା ଅଧିକ ହେବାରୁ ନେତ୍ରୀ ଜଙ୍କେ ବଡ଼ଗଡ଼ ଥାନାରେ ଅଭିଯୋଗ କରିଥିଲେ। ହେଲେ ବଡ଼ଗଡ଼ ପୋଲିସ ପୀଡିତା ନେତ୍ରୀଙ୍କୁ ନ୍ୟାୟ ଦେବା ବଦଳରେ ତାଙ୍କ ଅଭିଯୋଗକୁ ଗ୍ରହଣ କରି ନ ଥିଲା। ନ୍ୟାୟ ପାଇଁ ନେତ୍ରୀ ଜଣଙ୍କ ଥାନାକୁ ଗଲେ ବିଭିନ୍ନ ବାହାନା ଦେଖାଇ ତଡ଼ି ଦିଆଯାଉଥିଲା। ଶେଷରେ ପୀଡିତା ଡିସିପି ଶର୍ବଣା ବିବେକ ଏମ୍ଙ୍କୁ ଭେଟିବା ପରେ ତାଙ୍କ ନିର୍ଦ୍ଦେଶକ୍ରମେ ଥାନାରେ ଏକ ମାମଲା ରୁଜୁ ସହ ଅଭିଯୁକ୍ତ ହାବିଲଦାରଙ୍କୁ ରବିବାର ଗିରଫ କରାଯାଇଛି। ଗିରଫର ୨୪ ଘଣ୍ଟା ଭିତରେ ତାଙ୍କୁ ନିଲମ୍ବନ କରାଯିବ ବୋଲି ଜଣାପଡ଼ିଛି। ଅନ୍ୟପକ୍ଷରେ ଅଭିଯୋଗ ରଖି ନ ଥିବା ଓ ଥାନାରୁ ପୀଡିତାଙ୍କୁ ତଡି ଦେଇଥିବା ପୋଲିସ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବାକୁ ପୀଡିତାଙ୍କ ସହ ସ୍ଥାନୀୟ ଲୋକେ ଦାବି କରିଛନ୍ତି।