ସକାଳଠୁ ରାତି ପର୍ଯ୍ୟନ୍ତ ପୋଲିସ ନାକେଦମ୍‌

ଭୁବନେଶ୍ୱର/ବାଲିଅନ୍ତା,(ଡି.ଏନ୍‌.ଏ.),୧୯ା୧୦: ଚାଷୀଙ୍କ ବିଭିନ୍ନ ଦାବି ନେଇ ଭୁବନେଶ୍ୱର ଅଭିମୁଖେ ବାହାରିଥିବା ନବନିର୍ମାଣ କୃଷକ ସଙ୍ଗଠନର ଆନ୍ଦୋଳନ ପାଇଁ ମଙ୍ଗଳବାର କମିଶନରେଟ ପୋଲିସ ସକାଳଠାରୁ ରାତି ପର୍ଯ୍ୟନ୍ତ ନାକେଦମ୍‌ ହୋଇଛି। ନବନିର୍ମାଣ କୃଷକ ସଙ୍ଗଠନର ହଜାର ହଜାର କର୍ମକର୍ତ୍ତାଙ୍କୁ ରାଜଧାନୀ ଭିତରକୁ ପ୍ରବେଶ ନ କରାଇବାକୁ କମିଶନରେଟ ପୋଲିସ ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ଡିସିପି ପ୍ରତୀକ ସିଂଙ୍କ ସମେତ ଭୁବନେଶ୍ୱର ସହରାଞ୍ଚଳ ପୋଲିସ ଜିଲାର ବରିଷ୍ଠ ଅଧିକାରୀମାନେ ହଂସପାଳ ଛକରେ ଜଗି ରହିଥିଲେ। ଏଥିସହ ସୁରକ୍ଷା ଦୃଷ୍ଟିରୁ ୨୦ରୁ ଅଧିକ ପ୍ଲାଟୁନ ଫୋର୍ସ ମଧ୍ୟ ମୁତୟନ କରାଯାଇଥିଲା। ହଂସପାଳ ଓ ମଞ୍ଚେଶ୍ୱର ହାଇଟେକ୍‌ ଛକରେ ପୋଲିସ ବ୍ୟାରିକେଡ୍‌ ନିର୍ମାଣ କରିଥିଲା। ଚାଷୀମାନେ ସକାଳୁ ପ୍ରାୟ ୩ ଘଣ୍ଟା ଧରି ରାସ୍ତାରେ ଛଣ ଧରି ବସି ରହିଥିଲେ। ପରେ ମଧ୍ୟାହ୍ନ ପ୍ରାୟ ୧ଟାରେ ପୋଲିସ ସେମାନଙ୍କୁ ଛାଡ଼ିଥିଲା। ପରେ କିଛି ବାଟ ପରେ ଚାଷୀମାନେ ରାସ୍ତାରେ ବସି ସରକାରଙ୍କ ବିରୋଧରେ ନାରାବାଜି ଦେଇଥିଲେ। ଡିସିପି ଘଟଣାସ୍ଥଳରେ ପହଞ୍ଚତ୍ ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଥିଲେ। ସହର ମଧ୍ୟକୁ ପ୍ରବେଶ କରି ଗହଳି ସୃଷ୍ଟି କରିବା, ଜନସାଧାରଣଙ୍କୁ ଅସୁବିଧା ଏବଂ ରାସ୍ତା ମଝିରେ ବିଶୃଙ୍ଖଳା ଆଦି ନ କରିବାକୁ ସେ ମାଇକ ସାହାଯ୍ୟରେ ଚାଷୀମାନଙ୍କୁ କହିଥିଲେ। ଏପରିକି ତାଙ୍କ ସହ କେଜେଣ ଚାଷୀ ନେତା ଓ ପ୍ରତିନିଧି ଭୁବନେଶ୍ୱର ଯାଇ ଦାବି ସମ୍ପର୍କରେ ଆଲୋଚନା କରିବା ପରେ ଏକ ଉଚ୍ଚସ୍ତରୀୟ କମିଟି ଦ୍ୱାରା ସମସ୍ୟା ସମାଧାନ ହେବ ବୋଲି ସେ କହିଥିଲେ। ହେଲେ ଚାଷୀମାନେ ଏଥିରେ ରାଜି ନ ହୋଇ ଆନ୍ଦୋଳନ ଜାରି ରଖିଥିଲେ। ପୋଲିସର କଥା ନ ମାନି କେତେଜଣ ଚାଷୀ ମଞ୍ଚେଶ୍ୱର ହାଇଟେକ୍‌ ଛକ ନିକଟକୁ ଆସି ହୋହାଲ୍ଲା କରିଥିବା ଦେଖିବାକୁ ମିଳିଥିଲା। ରାତି ୯ଟା ପର୍ଯ୍ୟନ୍ତ ଚାଷୀମାନେ ମଧ୍ୟ ରାସ୍ତାରେ ବସି ରହିଥିଲେ। ରାତି ପ୍ରାୟ ୧୦ଟା ସମୟରେ ଚାଷୀ କଟକଣା ନ ମାନି ଆଗକୁ ଯିବାକୁ ଚେଷ୍ଟା କରିବାରୁ ପୋଲିସ ଚାଷୀମାନଙ୍କ ମଧ୍ୟରେ ପୁଣି ଧସ୍ତାଧସ୍ତି ହୋଇଥିଲା। ଏନେଇ ଡିସିପି ସିଂ କହିଛନ୍ତି, ରାସ୍ତା ଅବରୋଧ, ପୋଲିସ ସହ ଦୁର୍ବ୍ୟବହାର ଏବଂ ବିଶୃଙ୍ଖଳା ଆଦି ଘଟଣାକୁ କେନ୍ଦ୍ର କରି ମଞ୍ଚେଶ୍ୱର ଏବଂ ପାହାଳ ଥାନାରେ ୨ଟି ପୃଥକ୍‌ ମାମଲା ରୁଜୁ କରାଯାଇଛି। ଚାଷୀନେତା ଅକ୍ଷୟ କୁମାରଙ୍କ ସମେତ ୫୦କୁ ଅଧିକ କର୍ମକର୍ତ୍ତାଙ୍କୁ ଅଟକ ରଖାଯାଇ ତଦନ୍ତ କରାଯାଉଥିବା ଡିସିପି ସିଂ କହିଛନ୍ତି।