ପୋଲିସ ବିଫଳତା ଏଡ଼ାଇବାର ଅପଚେଷ୍ଟା: ସାଲୁଜା

ବଲାଙ୍ଗୀର ଅଫିସ/ବେଲପଡ଼ା,୩ା୨ (ଡି.ଏନ୍‌.ଏ.):କଣ୍ଟାବାଞ୍ଜି-ବେଲପଡା ରାସ୍ତାରେ ଥିବା ଆଲିସାନ୍‌ ସିନେମା ହଲ୍‌ରେ ବୁଧବାର ରାତିରେ ଘଟିଥିବା ଗଣ୍ଡଗୋଳ ଘଟଣାରେ ବେଲପଡା ଥାନା ପୋଲିସ ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ପୁଅ ଅମିତ୍‌ ଓରଫ୍‌ ସେଜି ସିଂ ସାଲୁଜାଙ୍କ ସମେତ ୬ ଜଣଙ୍କୁ ଗିରଫ କରିଛି। ଏହି ଘଟଣାରେ ପ୍ରତିକ୍ରିୟା ରଖି ବିଧାୟକ ସନ୍ତୋଷ ସିଂ ସାଲୁଜା କହିଛନ୍ତି ଛୋଟ ଘଟଣାକୁ ବଡ ରୂପ ଦେବାର ଅପଚେଷ୍ଟା କରାଯାଉଛି। ଆଲିସାନ୍‌ ସିନେମା ହଲର ପାର୍ଟନର ହେଉଛନ୍ତି ଭୁବନେଶ୍ୱରରେ ଥିବା ଜଣେ ପୋଲିସ ଡିଜି। ସେ ଏହି ଛୋଟ ଘଟଣାକୁ ବଡ ରୂପ ଦେବାକୁ ଚେଷ୍ଟା କରୁଛନ୍ତି। ଏହି ଘଟଣା ପରେ ପ୍ରଥମେ ୪ଟି ଦଫାରେ ମାମଲା ରୁଜୁ ହୋଇଥିଲା। ପରେ ୧୦ଟି ସଙ୍ଗିନ ଦଫା ଯୋଡା ଯାଇଛି। ଆଲିସାନ୍‌ ସିନେମା ହଲ୍‌ ମାଲିକ କିଶନ ଅଗ୍ରୱାଲଙ୍କ ସହ ଉକ୍ତ ପୋଲିସ ଡିଜିଙ୍କ ପାର୍ଟନରଶିପ୍‌ ରହିଛି। ବଲାଙ୍ଗୀର ଜିଲାରେ ଆଇନ ଶୃଙ୍ଖଳା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡିଛି। ବଲାଙ୍ଗୀର ଭଳି ଶାନ୍ତିପ୍ରିୟ ସହର ଏବଂ ଜିଲାରେ ଏବେ ପ୍ରତିଦିନ ଅପରାଧ ଘଟିଚାଲିଛି। ରାଜ୍ୟସ୍ତରରେ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ଘଟଣା ଘଟିଛି। ଜଣେ ପୋଲିସ ଅଫିସର ତାଙ୍କୁ ହତ୍ୟା କରିଛନ୍ତି ଏବଂ କ୍ରାଇମବ୍ରାଞ୍ଚ ବି ତା’ର ଖିଅ ପାଉନାହିଁ। ଏପର୍ଯ୍ୟନ୍ତ ଅଭିଯୁକ୍ତଙ୍କୁ ଧରାଯାଇନାହିଁ। ଏଇ ସବୁ ଘଟଣାକୁ ଆଢୁଆଳରେ ରଖିଦେବାକୁ ଏହି ଚକ୍ରାନ୍ତ କରାଯାଇଛି ବୋଲି ବିଧାୟକ ସାଲୁଜା କହିଛନ୍ତି। ସିନେମା ହଲ୍‌କୁ ସିନେମା ଦେଖି ଯାଇଥିବା ୬ ଜଣ ନିରୀହ ଲୋକଙ୍କ ଉପରେ ପୋଲିସ ୧୦ଟି ସଙ୍ଗିନ ଦଫା ଲଗାଇଛି। ଏଥିରୁ ପୋଲିସର ଆଭିମୁଖ୍ୟ ସ୍ପଷ୍ଟ ବୋଲି ସେ କହିଛନ୍ତି।