ଅଭିଯୁକ୍ତଙ୍କୁ ପୋଲିସର ଏନ୍‌କାଉଣ୍ଟର

ରାଉରକେଲା ଅଫିସ,୧୫।୧୧:ଜମିବାଡ଼ି ବିବାଦରୁ ରାଉରକେଲା ଝିରପାଣି ଥାନା ଅନ୍ତର୍ଗତ ଝରିଆକୋଚା ବସ୍ତିର ବାଞ୍ଛାନିଧି ତନ୍ତୀ(୪୨)ଙ୍କୁ ଗୁଳି ମାରି ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ଅଜିତ ଓରାମ ଓରଫ ଚୁମକୁଙ୍କୁ ପୋଲିସ ସୋମବାର ଏନ୍‌କାଉଣ୍ଟର କରିଛି। ତାଙ୍କୁ ରାଉରକେଲା ଜେନେରାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ପୋଲିସ କହିଛି। ଅଜିତଙ୍କଠାରୁ ଏକ ୯ ଏମ୍‌ଏମ୍‌ ପିସ୍ତଲ ସହ ୩ଟି ଅଫୁଟା ଗୁଳି ଜବତ କରାଯାଇଛି। ଅନ୍ୟପକ୍ଷେ ହତ୍ୟା ଘଟଣାର ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ପୋଲିସ ତନାଘନା ଚଳାଇଛି।
ସୂଚନା ଅନୁସାରେ, ବାଞ୍ଛାନିଧି ଝରିଆକୋଚା ବସ୍ତିରେ କିଛି ଅନାବାଦି ଜାଗା ଜବରଦଖଲ କରିବାକୁ ନେଇ ବହୁବର୍ଷ ହେଲା ଅଜିତ ଓ ବାଞ୍ଛାନିଧିଙ୍କ ମଧ୍ୟରେ ବିବାଦ ଲାଗିରହିଥିଲା। ରବିବାର ସକାଳେ ବାଞ୍ଛାନିଧି ଘର ପାଖରେ ଯାଉଥିବା ବେଳେ କିଛି ଦୁର୍ବୃତ୍ତ ଏକ ବାଇକ୍‌ରେ ଆସି ତାଙ୍କ ଉପରକୁ ଦୁଇ ରାଉଣ୍ଡ ଗୁଳି ଚାଳନା କରି ଫେରାର ହୋଇ ଯାଇଥିଲେ। ସେଥିରୁ ଗୋଟିଏ ଗୁଳି ବାଞ୍ଛାନିଧିଙ୍କ ଦେହରେ ବାଜିବାରୁ ସେ ତଳେ ପଡିଯାଇଥିଲେ। ତାଙ୍କୁ ଆଇଜିଏଚ୍‌ରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା। ଏହି ଘଟଣା ପରେ ମୁଖ୍ୟ ଅଭିଯୁକ୍ତ ଅଜିତ ଜଲଦା ଫାଣ୍ଡି ଅନ୍ତର୍ଗତ ହାତିବନ୍ଧା ଜଙ୍ଗଲରେ ଲୁଚି ରହିଥିଲେ। ରଘୁନାଥପାଲି ପୋଲିସ ଓ ଝିରପାଣି ପୋଲିସ କୌଣସି ବିଶେଷ ସୂତ୍ରରୁ ଖବର ପାଇ ଉକ୍ତ ଜଙ୍ଗଲରେ ଅପରେଶନ କରୁଥିବାବେଳେ ହଠାତ ଅଜିତ ପୋଲିସ ଉପରକୁ ଆଖିବୁଜା ଗୁଳି ଚାଳନା କରିଥିଲେ। ପୋଲିସ ପାଲଟା ଗୁଳି ଚଳାଇବାରୁ ଅଜିତଙ୍କ ଡାହାଣ ଗୋଡରେ ଗୁଳି ବାଜିଥିଲା। ଫଳରେ ସେ ଦୌଡି ନ ପାରି ଜଙ୍ଗଲ ମଝି ରାସ୍ତାରେ ପଡିଯାଇଥିଲେ। ପୋଲିସ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଆରିଜିଏଚ୍‌ରେ ଭର୍ତ୍ତି କରିଛି। ସେଠାରେ ପୋଲିସ ହେପାଜତରେ ତାଙ୍କର ଚିକିତ୍ସା କରାଯାଉଛି।