ସମ୍ବଲପୁର, ୨୦।୯ (ପ୍ରମୋଦ ବହିଦାର): ସମ୍ବଲପୁର ଜିଲାରେ ନିଶା କାରବାର ବିରୋଧରେ ପୋଲିସର ବଡ଼ଧରଣର କାର୍ଯ୍ୟାନୁଷ୍ଠାନ ଦେଖିବାକୁ ମିଳିଛି। ‘ନିଶାମୁକ୍ତ ଓଡ଼ିଶା ଅଭିଯାନ’ ଅନ୍ତର୍ଗତ ରେଙ୍ଗାଲି ଥାନା ଅଞ୍ଚଳରେ ଚାଲିଥିବା ରାତ୍ରିକାଳୀନ ପାଟ୍ରୋଲିଂ ସମୟରେ ପୋଲିସ ଓ ନିଶା କଫ୍ସିରପ୍ ଚୋରା ବେପାରୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟିଛି। କଟକ ପଟୁ ଦୁଇଟି କାରରେ ବିପୁଳ ପରିମାଣର କୋଡିନ୍ କଫ୍ସିରପ୍ କତରବଗା ଓ ଠେଲକୋଲୋଇ ଅଭିମୁଖେ ଚାଲାଣ ହେଉଥିବା ସୂଚନା ପାଇ ପୋଲିସ ଟିମ୍ ଜଙ୍ଗଲା-ପାଣ୍ଡୋଲୋଇ ରାସ୍ତାରେ ଯାଞ୍ଚ ଆରମ୍ଭ କରିଥିଲା।
ସକାଳ ପ୍ରାୟ ସାଢ଼େ ୬ଟା ବେଳେ ପ୍ରଥମ କାର (ଓଡି-୧୫-ଏଚ୍-୧୪୩୨)କୁ ସନ୍ଦେହରେ ଅଟକାଇ ପୋଲିସ ଚାଳକ ଆଶୁତୋଷ ମେଣ୍ଡଳୀଙ୍କୁ କାବୁ କରିଥିଲା। ତେବେ ତାଙ୍କ ସହ ଥିବା ଅନ୍ୟ ଜଣେ ବ୍ୟକ୍ତି ଜଙ୍ଗଲ ମଧ୍ୟକୁ ଫେରାର ହୋଇଯାଇଥିଲେ। ଏହି ସମୟରେ କାର ପଛରେ ଦ୍ରୁତଗତିରେ ଆସୁଥିବା ଅନ୍ୟ ଏକ ନମ୍ବରବିହୀନ ଏର୍ଟିଗା କାର ନିୟନ୍ତ୍ରଣ ହରାଇ ଗଛରେ ଧକ୍କା ହୋଇଥିଲା।
ଗାଡ଼ିରୁ ବାହାରି ଖସି ପଳାଇବାକୁ ଉଦ୍ୟମ କରୁଥିବା ଚାଳକ ପ୍ରୀତମ ବିଶ୍ୱାଳ ପୋଲିସ ଉପରକୁ ୪ ରାଉଣ୍ଡ ଗୁଳି ଚଳାଇଥିବା ପୋଲିସ ପକ୍ଷରୁ କୁହାଯାଇଛି। ଆତ୍ମରକ୍ଷା ପାଇଁ ପୋଲିସ ପକ୍ଷରୁ ୩ ରାଉଣ୍ଡ ନିୟନ୍ତ୍ରିତ ପାଲଟା ଗୁଳିଚାଳନା କରାଯାଇଥିଲା। ଏଥିରେ ପ୍ରୀତମଙ୍କ ଡାହାଣ ଗୋଡ଼ରେ ଗୁଳି ବାଜିଥିଲା। ତାଙ୍କୁ ଗୁରୁତର ଆହତ ଅବସ୍ଥାରେ ତୁରନ୍ତ ରେଙ୍ଗାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି।
ଉକ୍ତ ଦୁଇଟି କାରରୁ ମୋଟ ୨୪ କାର୍ଟୁନ ନିଷିଦ୍ଧ କୋଡିନ୍ଯୁକ୍ତ ନିଶା କଫ୍ସିରପ୍ ଜବତ କରାଯାଇଛି। ଏଥିସହ ଘଟଣାସ୍ଥଳରୁ ଗୋଟିଏ ଦେଶୀ ୯ ଏମ୍ଏମ୍ ପିସ୍ତଲ ଓ ୭ଟି ଫୁଟା ଗୁଳି ଖୋକା ମଧ୍ୟ ଜବତ କରାଯାଇଛି।ଫେରାର ଥିବା ଅଭିଯୁକ୍ତମାନଙ୍କୁ ଧରିବା ସହ ଏହି ଚୋରା କାରବାରର ମୁଖ୍ୟ ଚେର ଖୋଜିବା ପାଇଁ ପୋଲିସ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଛି।