ପୋଲିସ-ବିସ୍ଥାପିତ ଧସ୍ତାଧସ୍ତି

ସମ୍ବଲପୁର,୧୪ା୯(ବ୍ୟୁରୋ): ସମ୍ବଲପୁର ସମଲେଇ ଯୋଜନାରେ ବିସ୍ଥାପିତ ଓ ପୋଲିସ ମଙ୍ଗଳବାର ଧସ୍ତାଧସ୍ତି ହୋଇଛନ୍ତି। ସହରର ଘୁନଘୁଟିପଡାରେ ୩ ଘର ଉଚ୍ଛେଦ କରିବା ସମୟରେ ଏଭଳି ସ୍ଥିତି ସୃଷ୍ଟି ହୋଇଛି। ପୋଲିସ ବିସ୍ଥାପିିତଙ୍କୁ ଗୋଡ଼ାଇ ଗୋଡ଼ାଇ କାବୁ କରି ନେଇଥିଲେ ହେଁ ପୁଣି ସେମାନେ ଆସି ଜିଲାପାଳଙ୍କ ଅଫିସ ଘେରାଉ କରିଥିଲେ। ସକାଳ ୮ଟାରୁ ସନ୍ଧ୍ୟା ପର୍ଯ୍ୟନ୍ତ ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା। ଜିଲାପାଳଙ୍କ ଅଫିସକୁ ଧସେଇ ପଶିବା ବେଳେ ପୋଲିସ ସେମାନଙ୍କୁ ବଳପୂର୍ବକ ଅଟକାଇଥିଲା। ଏହି ଘଟଣାରେ ଧନୁପାଲି ଥାନା ଅଧିକାରିଣୀ ଅନିତା ପ୍ରଧାନ ଆହତ ହୋଇଥିଲେ। ସେହିପରି ଆନ୍ଦୋଳନକାରୀଙ୍କ ମଧ୍ୟରେ ପିଙ୍କି ବିଭାର ଓ ସାଲିନୀ ଭୋଇ ଆହତ ହୋଇଛନ୍ତି। ପିଙ୍କି ଜିଲା ସଦର ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ସାଲିନୀଙ୍କୁ ପ୍ରାଥମିକ ଚିକିତ୍ସା ପରେ ଛାଡିଦିଆଯାଇଛି। ପରିସ୍ଥିତିକୁ ଦେଖି ଜିଲାପାଳଙ୍କ ଅଫିସ ସମ୍ମୁଖରେ ବ୍ୟାପକ ପୋଲିସ ମୁତୟନ ହୋଇଥିଲେ। ଅତିରିକ୍ତ ଏସ୍‌ପି ତପନ କୁମାର ମହାନ୍ତି, ଏସ୍‌ଡିପିଓ ପ୍ରଦୀପ କୁମାର ସାହୁଙ୍କ ସହ ଥାନା ଅଧିକାରୀମାନେ ଉପସ୍ଥିତ ଥିଲେ। ଆନ୍ଦୋଳନକାରୀଙ୍କ ପକ୍ଷରୁ ୪ ଜଣିଆ ଟିମ୍‌ ଏଡିଏମ୍‌ ଅଜାମ୍ବର ମହାନ୍ତିଙ୍କ ସହ ଆଲୋଚନା କରିଥିଲେ। ହେଲେ ସୁଫଳ ମିଳି ନ ଥିଲା। ସନ୍ଧ୍ୟା ପର୍ଯ୍ୟନ୍ତ ଜିଲାପାଳଙ୍କ ଅଫିସ ସମ୍ମୁଖରେ ସେମାନେ ଧାରଣାରେ ବସିଥିଲେ। ଅନ୍ୟପଟେ ଏଡିଏମ୍‌ ମହାନ୍ତି କହିଛନ୍ତି, ସମଲେଇ ଯୋଜନା କାମ ଦ୍ରୁତ ଗତିରେ ଚାଲିିଛି। ଧାର୍ଯ୍ୟ ସମୟ ଭିତରେ କାମ ସମ୍ପୂର୍ଣ୍ଣ କରାଯିବ। ନିୟମ ଦୃଷ୍ଟିରୁ ଉଚ୍ଛେଦ କରାଯାଉଥିଲା। ହେଲେ ବ୍ୟକ୍ତିଗତ ଭାବେ କେତେଜଣ ଅଭିଯୋଗ କରୁଛନ୍ତି। ସେମାନଙ୍କ ସହିତ ପ୍ରଶାସନ ଆଲୋଚନା କରି ସମାଧାନ କରିବ ବୋଲି କହିଥିଲେ।
ପ୍ରକାଶ ଯେ, ସମଲେଇ ଯୋଜନାରେ ଘୁନଘୁଟିପଡା ଉଚ୍ଛେଦ ହେଉଛି। ପୂର୍ବରୁ ଅନେକ ଘର ଭାଙ୍ଗିଥିବାବେଳେ କେତେକ ଘର ରହିଯାଇଛି। ଅବଶିଷ୍ଟ ଘରର ଲୋକେ ଅଭିଯୋଗ କରିଛନ୍ତି, ସୋମବାର ବିଳମ୍ବିତ ରାତିରେ ପୋଲିସ କର୍ମଚାରୀ ଘରକୁ ଆସି କବାଟ ବାଡେଇ ଉଠାଇଥିଲେ। ପରେ ସକାଳୁ ପ୍ରଶାସନ ପୋଲିସ ଲଗାଇ ଘର ଭାଙ୍ଗିବାକୁ ଆସିଥିଲେ। ୩ଜଣଙ୍କ ଘର ବଳପୂର୍ବକ ଭାଙ୍ଗିଦେଇଛନ୍ତି। ଏହି ମାମଲା ହାଇକୋର୍ଟରେ ବିଚାରାଧୀନ ଥିବାବେଳେ ଗରିବ ପରିବାର ଉପରେ ଜୁଲମ କରାଯାଉଛି। ବିରୋଧ କରିବା ପରେ ମାରପିଟ କରି ଥାନାକୁ ନେଇଯାଇଥିଲେ। ସୂଚନାଯୋଗ୍ୟ, ସମଲେଇ ମନ୍ଦିର ପାରିପାର୍ଶ୍ୱିକ ଉନ୍ନତି ପାଇଁ ରାଜ୍ୟ ସରକାର ପ୍ରାୟ ୨୫୦ କୋଟି ଟଙ୍କାର ସମଲେଇ ଯୋଜନା କରିଛନ୍ତି। ପ୍ରକଳ୍ପ ନିର୍ମାଣାଧୀନ ରହିଛି। ଅନେକ ପରିବାର କ୍ଷତିପୂରଣ ନେଇ ନିଜଆଡୁ ଘର ଛାଡି ଚାଲିଯାଇଛନ୍ତି। ଅନ୍ୟ ବିସ୍ଥାପିତଙ୍କ ପାଇଁ ମଧ୍ୟ ସ୍ବତନ୍ତ୍ର ପ୍ୟାକେଜ୍‌ କରାଯାଇଛି।