ପୋଲିସ କାର୍ଯ୍ୟାନୁଷ୍ଠାନ ନେଲାନି, ହାଇକୋର୍ଟରେ ମାମଲା

କଟକ,୮ା୧୦ (କାର୍ତ୍ତିକ ସାହୁ)ସଙ୍ଗୀତ ନାଟକ ଏକାଡେମୀ ଭଳି ସରକାରୀ ସଂସ୍ଥାରେ ଡିଗ୍ରୀ ପାଠ୍ୟକ୍ରମରେ ଶାସ୍ତ୍ରୀୟ ନୃତ୍ୟ ପିଲାମାନଙ୍କୁ ପଢ଼ାଯାଉଛି। ହେଲେ ପାଠ୍ୟକ୍ରମ ସମାପ୍ତ ପରେ ଡିଗ୍ରୀ ସାର୍ଟିଫିକେଟ ପ୍ରଦାନ କରାଯାଉନାହିଁ। ଯଦ୍ଦ୍ବାରା ବଲାଙ୍ଗୀରର ଜଣେ ଛାତ୍ରୀ ଠକାମିର ଶିକାର ହୋଇଥିବା ନେଇ ପୋଲିସ ନିକଟରେ ଅଭିଯୋଗ କରିଛନ୍ତି। ହେଲେ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ। ଫଳରେ ପୋଲିସର ନିଷ୍କ୍ରିୟତା ବିରୋଧରେ ସେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଏନେଇ ହାଇକୋର୍ଟରେ ମାମଲା ରୁଜୁ ହୋଇଛି। ହାଇକୋର୍ଟ ପୋଲିସକୁ ମାମଲା ରୁଜୁ ପାଇଁ ନିର୍ଦ୍ଦେଶ ଦେବାକୁ ସେ ପ୍ରାର୍ଥନା କରିଛନ୍ତି। ଆଇନଜୀବୀ ଆଶିଷ କୁମାର ମିଶ୍ର ମାମଲା ପରିଚାଳନା କରୁଛନ୍ତି।
ବିବରଣୀରୁ ପ୍ରକାଶ, ବଲାଙ୍ଗୀର ଜିଲା ଟିଟିଲାଗଡ଼ ଥାନା ଅନ୍ତର୍ଗତ ସିରଭାତପଡ଼ାର ଛାତ୍ରୀ ଜୁସି କେଶ ହାଇକୋର୍ଟରେ ଏହି ମାମଲା ଦାଏର କରିଛନ୍ତି। ଏଥିରେ ଗୃହ ବିଭାଗ ସଚିବ, ବଲାଙ୍ଗୀର ଏସ୍‌ପି ଓ ଟିଟିଲାଗଡ଼ ଥାନା ଆଇଆଇସିଙ୍କୁ ପକ୍ଷଭୁକ୍ତ କରିଛନ୍ତି। ଆବେଦନକାରୀ ଜଣେ ନିଯୁକ୍ତି ପାଇ ନ ଥିବା ଯୁବତୀ। ସେ ସଙ୍ଗୀତ ନାଟକ ଏକାଡେମୀରୁ ଡିଗ୍ରୀ ପାଠ୍ୟକ୍ରମରେ ଶାସ୍ତ୍ରୀୟ ନୃତ୍ୟ ବିଷୟ ଶିକ୍ଷାଲାଭ କରିଥିଲେ। ତାଙ୍କୁ ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ ପାଠ୍ୟକ୍ରମ କୃତକାର୍ଯ୍ୟ ବି. ମସ୍‌. ସାର୍ଟିଫିକେଟ ମିଳିଥିଲା। ନିକଟରେ ବଲାଙ୍ଗୀର ଜିଲାରେ ଠିକା କଳା ଶିକ୍ଷକ ନିଯୁକ୍ତି ନିମନ୍ତେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏଥିପାଇଁ ସେ ଆବେଦନ କରିଥିଲେ। ହେଲେ ବଲାଙ୍ଗୀର ଜିଲାପାଳ ଓ ଡିପିସି ତାଙ୍କୁ ସଙ୍ଗୀତ ନାଟକ ଏକାଡେମୀରୁ ଡିଗ୍ରୀ ସମତୁଲ୍ୟ ସାର୍ଟିଫିକେଟ ଆଣିଲେ ଉକ୍ତ ପଦବୀ ନିମନ୍ତେ ଯୋଗ୍ୟ ହେବେ ବୋଲି କହିଥିଲେ। ଆବେଦନକାରୀ ଏ ବାବଦରେ ସଙ୍ଗୀତ ନାଟକ ଏକାଡେମୀର ସଚିବଙ୍କୁ ଯୋଗାଯୋଗ କରିଥିଲେ। ହେଲେ ସଚିବ ତାଙ୍କୁ ଏକାଡେମୀ ପକ୍ଷରୁ ସରକାରଙ୍କୁ ସାର୍ଟିଫିକେଟ ପ୍ରଦାନ ପାଇଁ ଅନୁମୋଦନ ଦେବା ନିମନ୍ତେ ଆବେଦନ କରାଯାଇଛି ବୋଲି କହିଥିଲେ। ସଚିବଙ୍କ ଏଭଳି ଉକ୍ତି ସମ୍ପୂର୍ଣ୍ଣ ମିଥ୍ୟା ଓ ସାର୍ଟିଫିକେଟ ପାଇବା ନିମନ୍ତେ କରୁଥିବା ଦାବିରୁ ନଜର ହଟାଇବା ପାଇଁ ଏଭଳି କହିଥିବା ଆବେଦନକାରୀ ଦର୍ଶାଇଛନ୍ତି। ଏକାଡେମୀ ନାମଲେଖା ବ୍ରୋଶରରେ ବି. ମସ୍‌. ସାର୍ଟିଫିକେଟ ଡିଗ୍ରୀ ସମତୁଲ ବୋଲି ଉଲ୍ଲେଖ କରୁଥିବାବେଳେ ବାସ୍ତବ କ୍ଷେତ୍ରରେ ତାହା ନୁହେଁ। ଏହାଦ୍ୱାରା ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ସହ ଏକାଡେମୀ ଖେଳୁଛି ବୋଲି ଆବେଦନକାରୀ ଦର୍ଶାଇଛନ୍ତି। ତେବେ ଏ ନେଇ ଜୁସି ଏତଲା ଦେବାକୁ ଟିଟିଲାଗଡ଼ ଥାନାକୁ ଯାଇଥିଲେ ବି ପୋଲିସ ମାମଲା ରୁଜୁ କରି ନ ଥିଲା। ଏହା ବିରୋଧରେ ନିମ୍ନ ଅଦାଲତରେ ଆବେଦନ କରିଥିଲେ। ହେଲେ ନିମ୍ନ ଅଦାଲତ ମାମଲାକୁ ବିଚାର ପାଇଁ ଗ୍ରହଣ ନ କରି ଆଇନ ଅନୁଯାୟୀ ଉପଯୁକ୍ତ ଫୋରମ୍‌ରେ ଆବେଦନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏ ସମ୍ପର୍କରେ ଟିଟିଲାଗଡ ଆଇଆଇସି ମନୋଜ ପ୍ରଧାନଙ୍କୁ ପଚାରିବାରୁ ଏ ନେଇ ଥାନାରେ ଅଭିଯୋଗ ହୋଇ ନ ଥିବା କହିଛନ୍ତି।