ଅଭିଯୋଗ ଗ୍ରହଣ କରୁନି ପୋଲିସ

ବଇଣ୍ଡା,୨୧।୩(ଡି.ଏନ.ଏ.): ଅନୁଗୋଳ ଜିଲା କିଶୋରନଗର ଥାନା ବଅଁରନାଳୀ ଗ୍ରାମରେ ଥିବା ଏକ ପୋଖରୀରୁ କେତେଜଣ ବ୍ୟକ୍ତି ବେଆଇନ ଭାବେ ମାଛ ମାରି ନେଇଯାଉଥିବା ସୋମବାର ଗ୍ରାମ କମିଟି ପକ୍ଷରୁ କିଶୋରନଗର ଥାନାରେ ଅଭିଯୋଗ ହୋଇଛି। ତେବେ ପୋଲିସ ପକ୍ଷରୁ ଘଟଣାର ତଦନ୍ତ କରାଯାଉ ନ ଥିବା ଗ୍ରାମ କମିଟି ସଭାପତି ଦିବ୍ୟଲୋଚନ ବେହେରା ଅଭିଯୋଗ କରିଛନ୍ତି। ଏ ନେଇ ଗ୍ରାମରେ ଉତ୍ତେଜନା ଦେଖାଦେଇଛି।
ଗ୍ରାମବାସୀ କହିଛନ୍ତି, ଏହି ପୋଖରୀରେ ଗ୍ରାମର ୨୦ଟି ପରିବାରର ଜମି ରହିଛି। ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ମଧ୍ୟ ଗ୍ରାମବାସୀ ପୋଖରୀରେ ମାଛ ଯାଆଁଳ ଛାଡ଼ିଛନ୍ତି। ହେଲେ ଅନ୍ୟ ଏକ ସାହିର କେତେଜଣ ବ୍ୟକ୍ତି ବେଆଇନ ଭାବେ ଶନିବାର ଓ ରବିବାର ଦୁଇଦିନ ଧରି ପୋଖରୀରୁ ମାଛ ମାରି ନେଇଛନ୍ତି। ଏ ନେଇ ପୋଲିସ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ। ଫଳରେ ଗ୍ରାମ ପୋଖରୀରୁ ଅସାମାଜିକ ବ୍ୟକ୍ତିମାନେ ମାଛ ମାରି ନେଇ ବାହାରେ ବିକ୍ରି କରୁଛନ୍ତି। ଏ ନେଇ ତୁରନ୍ତ ପଦକ୍ଷେପ ନିଆ ନ ଗଲେ ଆଗାମୀ ଦିନରେ ଥାନା ଘେରାଉ କରାଯିବ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି। ଏ ନେଇ ଅନୁଗୋଳ ଡିଏସ୍‌ପି ଏ.କେ. ପଣ୍ଡା କହିଛନ୍ତି, ଗ୍ରାମ ପୋଖରୀରୁ ମାଛ ମରାଯିବା ଘଟଣା ସମ୍ପର୍କରେ ତଦନ୍ତ କରାଯିବ।