ହିଞ୍ଜିଳିକାଟୁ, ୫।୫(ଦ୍ବିତୀକୃଷ୍ଣ ପଣ୍ଡା): ପ୍ରେମ ବିବାହ କରି ନିଜ ଅଧିକାର ପାଉ ନଥିବା ଜଣେ ଯୁବତୀ ୨ବର୍ଷିୟା ଶିଶୁକନ୍ୟାକୁ ଧରି ଶାଶୁଘର ଆଗରେ ଧାରଣା ଦେଇଥିବା ବେଳେ ହତ୍ୟାର ଶିକାର ହୋଇଛନ୍ତି। ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଅଧୀନ ଖରିଡ଼ା ଗ୍ରାମରେ ମଙ୍ଗଳବାର ଏହି ହତ୍ୟାକାଣ୍ଡ ଘଟିଛି। ଧାରଣା ଦେବା ପୂର୍ବରୁ ଯୁବତୀ ଜଣଙ୍କ ସୁରକ୍ଷା ପାଇଁ ହିଞ୍ଜିଳି ଥାନାରେ ନିବେଦନ କରିଥିଲେ ମଧ୍ୟ ପୋଲିସ ତାଙ୍କୁ ସୁରକ୍ଷା ଦେବାରେ ବିଫଳ ହୋଇଛି। କେବଳ ସେତିକି ନୁହେଁ, ପାରିବାରିକ ନ୍ୟାୟ ଓ ଅଧିକାର ପାଇଁ ଯୁବତୀ ଜଣଙ୍କ ବ୍ରହ୍ମପୁର ମହିଳା ଥାନାରେ ଅଭିଯୋଗ କରିଥିଲେ। ମହିଳା ଥାନା ପୋଲିସ ଗ୍ରାମରେ ପହଞ୍ଚି ତଦନ୍ତ କରିବାର କିଛି ସମୟ ପରେ ଯୁବତୀଙ୍କୁ ତାଙ୍କ ଦିଅର ଟାଙ୍ଗିଆରେ ହାଣି ହତ୍ୟା
କରିଛନ୍ତି। ମୃତା ଯୁବତୀ ଜଣଙ୍କ ହେଲେ ଗଞ୍ଜାମ ଥାନା ଅଧୀନ ଅଗସ୍ତି ନୂଆଗାଁର ପୂଜା ସ୍ବାଇଁ (୨୧)। ଖବରପାଇ ହିଞ୍ଜିଳି ପୋଲିସ ଘଟଣାସ୍ଥଳରେ ପହଞ୍ଚି ହତ୍ୟାକାରୀ ଦିଅରଙ୍କୁ କାବୁ କରି ଥାନାକୁ ନେଇଛି। ଏ ନେଇ ଥାନାରେ ନଂ.୨୯୭/୨୬ରେ ହତ୍ୟା ମାମଲା ରୁଜୁ ହୋଇଛି। ପୋଲିସ ଘଟଣାର ତଦନ୍ତ କରୁଥିବା ଥାନା ଆଇଆଇସି ଶ୍ରୀନିବାସ ସେଠୀ କହିଛନ୍ତି। ମୃତଦେହ ନିକଟରେ ବସି ରହିଥିବା ନିଷ୍ପାପ ଶିଶୁକନ୍ୟାକୁ ଗାଁର ଜଣେ ମହିଳାଙ୍କ ଜିମାରେ ରଖାଯାଇଛି। ତାଙ୍କୁ ଚାଇଲ୍ଡ ଲାଇନ୍କୁ ପଠାଯିବ ବୋଲି ଆଇଆଇସି କହିଛନ୍ତି।
ସୂଚନା ଅନୁଯାୟୀ, ପୂଜା ପ୍ରାୟ ଅଢ଼େଇ ବର୍ଷ ତଳେ ସୋସିଆଲ ମିଡିଆ (ଇନ୍ଷ୍ଟାଗ୍ରାମ)ରେ ଖରିଡା ଗ୍ରାମର ଚିଣ୍ଟୁ ଗୌଡ ଓରଫ ଜିଣ୍ଟୁ (୨୪)ଙ୍କ ସହ ପରିଚିତ ହୋଇଥିଲେ। ଉଭୟଙ୍କ ମଧ୍ୟରେ ସମ୍ପର୍କ ବଢ଼ିବା ପରେ ବିବାହ ପାଇଁ ନିଷ୍ପତ୍ତି ନେଇଥିଲେ। ପୁରୀ ଜିଲା ଡେଲାଙ୍ଗର ଏକ ଶିବ ମନ୍ଦିରରେ ବିବାହ କରି ସେମାନେ ଡେଲାଙ୍ଗରେ ପ୍ରାୟ ବର୍ଷେ ପର୍ଯ୍ୟନ୍ତ ରହିଥିଲେ। ସେମାନଙ୍କର ଏକ ୨ ବର୍ଷର ଝିଅ ରହିଛି। ଗତ ୧୮ ତାରିଖରେ ଜିଣ୍ଟୁ ପୁଜାକୁ ନେଇ ବ୍ରହ୍ମପୁର ଆସିଥିଲେ। ଏକ ହୋଟେଲ ରେ ଖାଇବା ପରେ କୌଶଳ କ୍ରମେ ଫେରାର ହୋଇଯାଇଥିଲେ। ବିଭିନ୍ନ ସ୍ଥାନରେ ଖୋଜାଖୋଜି ପରେ ମଧ୍ୟ ପୁଜା, ସ୍ବାମୀ ଜିଣ୍ଟୁର ସନ୍ଧାନ ପାଇନଥିଲେ। ଫଳରେ ପୁଜା ଘଟଣା ନେଇ ୧୯ ତାରିଖରେ ହିଞ୍ଜିଳି ଥାନାରେ ନିଜ ଅଧିକାର ଓ ସ୍ବାମୀ ଓ ଶଶୁର ଘର ପକ୍ଷରୁ ପାରିବାରିକ ହିଂସା ନେଇ ଅଭିଯୋଗ କରିଥିଲେ। ଅଭିଯୋଗ ଭିତ୍ତିରେ ହିଞ୍ଜିଳି ଥାନାରେ କେସ ନଂ -୨୪୧/୨୬ ରେ ଏକ ମାମଲା ରୁଜୁ ହୋଇଥିଲା। ପୁଲିସ ପୁଜାଙ୍କ ଶାଶୁ, ଶଶୁର, ନଣନ୍ଦ ଓ ସ୍ବାମୀଙ୍କୁ ୪୧ ନୋଟିସ ଜାରି କରି ମହିଳାଙ୍କ ବ୍ରହ୍ମପୁର ସଖୀ ସେଣ୍ଟରକୁ ପଠାଇ ଦେଇଥିଲେ। ତେବେ ହିଞ୍ଜିଳି ଥାନାରେ ପୁଲିସ କୌଣସି ଆଖିଦୃଶିଆ ପଦକ୍ଷେପ ନେଇନଥିବା ମହିଳା ଜଣଙ୍କ ଅଭିଯୋଗ କରିଥିଲେ। ଫଳରେ ସୋମବାର ଅର୍ଥାତ୍ ୩ ମଇରେ ପୁଜା ବ୍ରହ୍ମପୁର ମହିଳା ଥାନାରେ ଏକ ପାରିବାରିକ ହିଂସା ନେଇ ଅଭିଯୋଗ କରିଥିଲେ। ସୋମବାର ସନ୍ଧ୍ୟାରେ ହିଞ୍ଜିଳି ଥାନା ଆସି ଖରିଡା ଗ୍ରାମର ସ୍ବାମୀଙ୍କ ଘର ସମ୍ମୁଖରେ ଧାରଣା ଦେବା ପାଇଁ କହିବା ସହ ସୁରକ୍ଷା ଦାବି କରିଥିଲେ। ତେବେ ସୋମବାର ସନ୍ଧ୍ୟାରେ ଖରିଡା ଗ୍ରାମରେ ପହଞ୍ଚି ସ୍ବାମୀଙ୍କ ଘର ବାରଣ୍ଡାରେ ୨ ବର୍ଷର ଝିଅକୁ ଧରି ବସିଥିଲେ। ଶଶୁର ଘର ଲୋକ ଘରର ଦାଣ୍ଡ କବାଟ ତାଲା ପକାଇ କୁଆଡେ ଫେରାର ହୋଇଯାଇଥିଲେ। ମଙ୍ଗଳବାର ପୁଜା ନିଜ ୨ ବର୍ଷର ଝିଅ ସହ ଶଶୁର ଘର ବାରଣ୍ଡାରେ ଖାଇ ବସିଥିବା ବେଳେ ଦିଅର ଏକ ଟାଙ୍ଗିଆରେ ପୁଜାଙ୍କ ବେକ, ମୁଣ୍ଡକୁ ଆକ୍ରମଣ କରିଥିଲେ। ଫଳରେ ପୁଜା ଘଟଣା ସ୍ଥଳରେ ହିଁ ଟଳି ପଡ଼ିଥିଲେ। ଖବର ପାଇ ହିଞ୍ଜିଳି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ପୁଜାଙ୍କ ଶବକୁ ଜବତ କରିବା ସହ ବ୍ୟବଛେଦ ପାଇଁ ବ୍ରହ୍ମପୁର ବଡ ମେଡିକାଲକୁ ପଠାଇଥିଲେ। ଅଭିଯୁକ୍ତ ଦିଅରଙ୍କୁ ଖରିଡା ଗ୍ରାମରୁ କାବୁ କରି ଥାନାରେ ଅଟକ ରଖିଛି। ସନ୍ଧ୍ୟାରେ ସାଇଣ୍ଟଫିକ ଓ ଫୋରେନ୍ସିକ ଟିମ ଖରିଡା ଗ୍ରାମ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି। ହିଞ୍ଜିଳି ଥାନାରେ ଆସିକା ଏସଡିପିଓ ସନ୍ତୋଷ କୁମାର ଜେନା ପହଞ୍ଚି ଘଟଣାର ତଦନ୍ତ ଜାରି ରଖିଛନ୍ତି। ପୂଜାଙ୍କ ୨ ବର୍ଷର ଝିଅକୁ ଖରିଡା ଗାଁର ଜଣେ ମହିଳାଙ୍କ ଜିମାରେ ରଖାଯାଇଛି। ତାଙ୍କୁ ଚାଇଲ୍ଡ ଲାଇନ୍କୁ ପଠାଯିବ ବୋଲି ଆଇଆଇସି ସେଠୀ କହିଛନ୍ତି।