ଦିଗପହଣ୍ଡି,୮।୯(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ପୋଲିସ ସୋମବାର ପୁରୀ ସହର ବାସେଳୀସାହି ଥାନା ମାଟିତୋଟା ସାହିର ଖୋର୍ଦ୍ଧା ଜିଲା ଟାଙ୍ଗୀ ଥାନା ଭୂଷଣ୍ଡପୁର ଗ୍ରାମରେ ରହୁଥିବା ସୁକାନ୍ତ ମଲ୍ଲିକ ଓରଫ ଟିମାଙ୍କୁ ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ଗିରଫ କରିଛି। ଥାନା ମାମଲା ନଂ.୩୨୪/୨୫ ଅନୁଯାୟୀ ଅଭିଯୁକ୍ତଙ୍କୁ ବ୍ରହ୍ମପୁର ଜିଲା ଦୌରା ଜଜ କୋର୍ଟକୁ ଚାଲାଣ କରାଯିବା ପରେ ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ବ୍ରହ୍ମପୁର ବିଚାର ବିଭାଗୀୟ ଜେଲ ହାଜତକୁ ପଠାଇ ଦିଆଯାଇଛି। ରବିବାର ମଧ୍ୟାହ୍ନରେ ଥାନା ଏସ.ଆଇ ଜ୍ୟୋତି ରଞ୍ଜନ ବେହେରା ସଦଳବଳେ ଦିଗପହଣ୍ଡି ସହର ଉପକଣ୍ଠ ଘୋଡ଼ାହାଡ଼ ଡ଼୍ୟାମ ରାସ୍ତାର ନିମପଲ୍ଲୀ ହନୁମାନ ଛକରେ ଗାଡ଼ି ଚେକିଂ କରୁଥିବା ବେଳେ ଏକ ଅଟୋ (ନଂ. ଓଡ଼ି୦୨ ଏ ଏକ୍ସ -୧୪୩୦) ଡ଼୍ୟାମ ରାସ୍ତାରେ ଦିଗପହଣ୍ଡି ଅଭିମୁଖେ ଆସୁଥିଲା। ପୋଲିସ ଚେକିଂ ଚାଲିଥିବା ଦେଖି ଅଟୋ ଚାଳକ ପୁଣି ଅଟୋକୁ ବୁଲାଇ ଫେରିଯାଉଥିବା ବେଳେ ପୋଲିସ ଟିମ୍ ଅଟୋର ପିଛାକରି ଧରିଥିଲେ। ଖାନତଲାସି କରିବାରୁ ସେଥିରେ ୫ଟି ଜରି ଅଖାରେ ଗଞ୍ଜେଇ ଥିବା ଜଣାପଡିଥିଲା। ଏନେଇ ଥାନା ଏସ.ଆଇ ଦିଗପହଣ୍ଡି ଥାନା ଭାରପ୍ରାପ୍ତ ଆଇଆଇସି ତଥା ଡିଏସପି ପ୍ରଶାନ୍ତ କୁମାର ପାତ୍ରଙ୍କୁ ଫୋନ ଯୋଗେ ସମସ୍ତ ଘଟଣା ଜଣାଇଥିଲେ।ପରେ ଦିଗପହଣ୍ଡି ତହସିଲଦାର ତଥା ଏକଜିକ୍ୟୁଟିଭ ମାଜିଷ୍ଟ୍ରେଟ ସନ୍ତୋଷ କୁମାର ସାହୁଙ୍କ ଉପସ୍ଥିତିରେ ଅଭିଯୁକ୍ତଙ୍କ ମୋବାଇଲ ଫୋନ, ଅଟୋ ଓ ଗଞ୍ଜେଇ ଜବତ କରାଯାଇଥିଲା। ଗଞ୍ଜେଇ ଓଜନ କରିବାରୁ ତାହା ୫୬ କେଜି ୨୨୦ ଗ୍ରାମ ହୋଇଥିଲା। ଅଭିଯୁକ୍ତ ଙ୍କୁ ପୋଲିସ ପଚରାଉଚୁରା କରିବାରୁ ସେ ନିୟମିତ ବ୍ୟବଧାନରେ ଗଜପତି ଜିଲା ତମ୍ପା ଗ୍ରାମ ଇଲାକାରୁ ପୁରୀକୁ ଗଞ୍ଜେଇ ଚୋରା ଚାଲାଣ କରୁଥିବା ସ୍ବୀକାର କରିଥିଲେ। ପରେ ତାଙ୍କୁ ଗିରଫ କରାଯାଇଥିଲା ବୋଲି ଆଇଆଇସି ଜଣାଇଛନ୍ତି।


