ମୋହନା,୧୩।୪(ମନ୍ମଥ ମିଶ୍ର): ଜଙ୍ଗଲରେ ଲୁଚାଇ ରଖାଯାଇଥିବା ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି ରା.ଉଦୟଗିରି ପୋଲିସ। ବିଶେଷ ସୂତ୍ରରୁ ଖବର ପାଇ ସୋମବାର ରା. ଉଦୟଗିରି ଏସ୍ଡ଼ିପିଓ ରାକେଶ କୁମାର ସାହୁଙ୍କ ନେତୃତ୍ୱରେ ରା. ଉଦୟଗିରି ଥାନା ଅଧିକାରୀଙ୍କ ସହ ପୋଲିସ ଫୋର୍ସ କିରାମା ପଞ୍ଚାୟତ ଅଧୀନ ବିମନପୁର ଗ୍ରାମ ନିକଟ ଜଙ୍ଗଲରେ ଚଢାଉ କରିଥିଲା। ଚଢାଉ ବେଳେ ଏକ ପରିତ୍ୟକ୍ତ ଘର ଭିତରେ ଓ ବାହାରେ ପ୍ରାୟ ୪ରୁ ୫ଫୁଟ ପର୍ଯ୍ୟନ୍ତ ଗାତ ଖୋଳି ପ୍ଳାଷ୍ଟିକ ଡ୍ରମ ଏବଂ ଟିଣ ବକ୍ସରେ ଗଞ୍ଜେଇ ଲୁଚାଇ ରଖାଯାଇଥିବା ଜଣାପଡିଥିଲା।
ପରବର୍ତ୍ତୀ ସମୟରେ ପୋଲିସ ଲୁଚାଇ ରଖାଯାଇଥିବା ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି। ଜବତ ଗଞ୍ଜେଇକୁ ୬୭ଟି ପ୍ଲାଷ୍ଟିକ ଜରି ବସ୍ତାରେ ଭର୍ତ୍ତି କରି ଓଜନ କରାଯାଇଥିଲା। ଯାହାକି ୨୦୧୦ କିଲୋ ହୋଇଥିବା ବେଳେ ଏହାର ଆନୁମାନିକ ବଜାର ମୂଲ୍ୟ ୨କୋଟି ଟଙ୍କା ହେବ ବୋଲି ଏସ୍ଡିପିଓ ସୂଚନା ଦେଇଛନ୍ତି ।
ଅନ୍ୟପକ୍ଷେ ଘଟଣା ସ୍ଥଳରୁ ଅଭିଯୁକ୍ତମାନେ ଚମ୍ପଟ ମାରିଥିବା ବେଳେ ପୋଲିସ ତଦନ୍ତ ଜାରି ରଖିଛି । ଗତ କିଛି ଦିନ ଭିତରେ ଏସଡିପିଓଙ୍କ ନେତୃତ୍ୱରେ ଜିଲା ପୋଲିସ ପକ୍ଷରୁ ଶତାଧିକ ଟନ୍ ଗଞ୍ଜେଇ ଜବତ କରିଛି। ହେଲେ ଗଞ୍ଜେଇ ମାଫିଆମାନେ ଦିନକୁ ଦିନ ନୂଆଁ ନୂଆଁ ତରିକା ଆପଣାଇବାରେ ଲାଗିଛନ୍ତି।
ପୋଲିସକୁ ଭୁଆଁ ବୁଲାଇବା ପାଇଁ ସଂରକ୍ଷିତ ଜଙ୍ଗଲର ପାହାଡ଼ କୋରଡ଼, ଗୁମ୍ଫା, ଘର ଭିତରେ ଓ ବାହାରେ ଗାତ ଖୋଳି ଡ୍ରମ ଏବଂ ଟିଣ ବକ୍ସରେ ଗଞ୍ଜେଇ ରଖି ବାହାର ରାଜ୍ୟକୁ ଚାଲାଣ କରୁଥିବା ଦେଖିବାକୁ ମିଳିଛି। ଗଞ୍ଜେଇ ଚୋରା ଚାଲାଣରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଧରିବା ପାଇଁ ଉଦ୍ୟମ ଜାରି ରହିଥିବା ଏସ୍ଡ଼ିପିଓ ସାହୁ କହିଛନ୍ତି।