ଘଟଣାର ପର୍ଦ୍ଦା ହଟାଇପାରୁନି ପୋଲିସ

ବୌଦ୍ଧ,୧ା୪(ସ୍ବ.ପ୍ର.): ବୌଦ୍ଧ ବନଖଣ୍ଡ ଅଧୀନସ୍ଥ ଖଲିଆପାଲି ଛକରେ ଗତ ମଙ୍ଗଳବାର ବିଳମ୍ବିତ ରାତିରେ ବନ ବିଭାଗ ଗାଡି ଉପରକୁ ଗୁଳିମାଡ କରାଯାଇଥିଲା । ଏହି ଗାଡିରେ ଏସିଏଫଙ୍କ ସମେତ ଆଠ ଜଣ ବନ କର୍ମଚାରୀ ବସିଥିଲେ । ଗୁଳିମାଡ ଯୋଗୁ ଦୁଇଜଣ ବନ କର୍ମଚାରୀ ଗୁରୁତର ଆହତ ହୋଇଥିଲେ । ଏହି ଘଟଣାର ୩ ଦିନ ବିତିଥିଲେ ମଧ୍ୟ ପୋଲିସ ଘଟଣାର ପର୍ଦ୍ଦାଫାସ କରି ପାରିନାହିଁ । ଗୁଳିମାଡ ଘଟଣା ଜିଲାରେ ଏକ ପ୍ରମୁଖ ଘଟଣା ହୋଇଥିବା ବେଳେ ଏପଟେ ଗୁରୁବାର ଦିନ ସୋସିଆଲ ମିଡିଆରେ ଓଡିଶା ଅଣଗେଜେଟେଡ ବନ ସେବା ସଂଘର ରାଜ୍ୟ ସଭାପତି ଜଗବନ୍ଧୁ ପାତ୍ର ଏକ ପୋଷ୍ଟ କରି ସେ ସିଧା ପୋଲିସ ଉପରକୁ ଅଙ୍ଗୁଳି ଉଠାଇଛନ୍ତି । ସୋସିଆଲ ମିଡିଆରେ ଏହି ଗୁଳିମାଡ କୌଣସି ଦୁର୍ବୃତ୍ତ ନୁହେଁ, ପୋଲିସ କର୍ମଚାରୀ ଏହି କାଣ୍ଡ ଭିଆଇଛନ୍ତି ବୋଲି ଲେଖିଛନ୍ତି । କ’ଣ ତାଙ୍କର ଉଦ୍ଦେଶ୍ୟ, କାହିଁକି ଏଭଳି କଲେ ଏହା ତଦନ୍ତସାପେକ୍ଷ ବୋଲି ଲେଖିଛନ୍ତି। ହେଲେ ବୌଦ୍ଧ ପୋଲିସ ବିରୋଧରେ ନିଜେ ସେମାନେ କ’ଣ ତଦନ୍ତ କରିବେ ବୋଲି ସେ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତିା ଯାହାକୁ ନେଇ ଜିଲାରେ ଚର୍ଚ୍ଚା ଜୋର ଧରିଛି । ସୋସିଆଲ ମିଡିଆରେ ପାତ୍ରଙ୍କ ଅଭିଯୋଗରେ କିଛିଟା ସତ୍ୟାସତ୍ୟ ଥିବା ନେଇ ସାଧାରଣରେ ମଧ୍ୟ ଚର୍ଚ୍ଚା ହେଉଛି ।
ପାତ୍ର ଅଭିଯୋଗ କରିଛନ୍ତି, ଘଟଣା ରାତିରେ ପଲସର ଓ ଆପାଚିରେ ଚାରି ଜଣ ପୋଲିସ କର୍ମଚାରୀ ଡିଉଟି କରୁଥିବା ବେଳେ ବାରକୋଡାଠାରେ ୩ ଜଣ ବନ କର୍ମଚାରୀଙ୍କ ସହିତ ଭେଟଘାଟ ହୋଇଥିଲା । ଏହାର କିଛି ସମୟ ପରେ ଖଲିଆପାଲି ଛକ ଠାରେ ବନ ବିଭାଗର ଗାଡି ଉପରକୁ ଗୁଳିମାଡ ହୋଇଥିଲା ବୋଲି ସେ କହିଛନ୍ତି। ଏଥିସହିତ ଶୁକ୍ରବାର ସନ୍ଧ୍ୟାରେ ଓଡିଶା ଅଣଗେଜେଟେଡ ବନ ସେବା ସଂଘର ଜୋନାଲ କାର୍ଯ୍ୟକାରୀ କମିଟି ବୈଠକ ବାମଣ୍ଡା ନର୍ସରୀଠାରେ ବସିଥିବା ଜଣାପଡିଛି । ବୈଠକ ପରେ ସେମାନଙ୍କ ପରବର୍ତ୍ତୀ କାର୍ଯ୍ୟପନ୍ଥା କଣ ରହିବ ସେ ନେଇ ସୂଚନା ଦିଆଯିବ ବୋଲି ରାଜ୍ୟ ସଂଘର ସଭାପତି ପାତ୍ର କହିଛନ୍ତି । ଘଟଣାସ୍ଥଳରେ ପଡିଥିବା ଖୋକାକୁ ନେଇ ଲୋକଙ୍କ ମଧ୍ୟରେ ପୋଲିସ ଉପରେ ସନ୍ଦେହ ଦୃଢ ହେବା ସହ ପୋଲିସର କାର୍ଯ୍ୟକୁ ନେଇ ଅଙ୍ଗୁଳି ଉଠୁଛି। ଏହି ଘଟଣାକୁ ନେଇ ବନ ସଂଘ ପକ୍ଷରୁ କଠୋର ନିଷ୍ପତ୍ତି ନିଆଯାଇପାରେ । ଏପରିକି ସେମାନଙ୍କ ଜୀବନ ପ୍ରତି ବିପଦ ଆଶଙ୍କା କରି ଭବିଷ୍ୟତରେ କାର୍ଯ୍ୟ ବନ୍ଦ ଆନ୍ଦୋଳନ ମଧ୍ୟ କରିବାର ସମ୍ଭାବନା ଦେଖାଦେଇଛି। କୁଆଡେ ବନ କର୍ମଚାରୀମାନେ ଗାଡିର ନମ୍ବର ଜାଣିଥିବା ନେଇ ମଧ୍ୟ ଚର୍ଚ୍ଚା ହେଉଛି । ଏନେଇ ବୌଦ୍ଧ ଥାନା ଅଧିକାରୀ ତଦନ୍ତ ଚାଲିଥିବା ନେଇ ସୂଚନା ଦେଇଛନ୍ତିା ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରାଯିବାକୁ ଦାବି ହେଉଛି ।