ଆରପାରିରେ ପ୍ରବଚକ ଚାରଣ ରାମଦାସ

ପୁରୀ ଅଫିସ,୨୫।୫: ପ୍ରସିଦ୍ଧ ପ୍ରବଚକ ପଣ୍ଡିତ ଚାରଣ ରାମଦାସଙ୍କ ସୋମବାର ରାତିରେ ଦେହାନ୍ତ ହୋଇଛି। ସେ କରୋନାରେ ଆକ୍ରାନ୍ତ ହୋଇ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ କିଛିଦିନ ତଳେ ଚିକିତ୍ସିତ ହେଉଥିଲେ। ସାମାନ୍ୟ ସୁସ୍ଥ ହେବା ପରେ ସେ ପୁରୀସ୍ଥିତ ରମାବଲ୍ଲଭ ରୋଡ୍‌ସ୍ଥିତ ନିଜ ବାସଭବନକୁ ଫେରି ହୋମ୍‌ ଆଇସୋଲେଶନରେ ଥିଲେ। ପରେ ପୁଣି ସ୍ବାସ୍ଥ୍ୟାବସ୍ଥା ଖରାପ ହେବାରୁ ତାଙ୍କୁ ସ୍ଥାନୀୟ କୋଭିଡ୍‌ ହସ୍ପିଟାଲ ଆଇଡିଏଚ୍‌ର ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ତାଙ୍କ ଶ୍ୱାସକ୍ରିୟାରେ ସମସ୍ୟା ଦେଖାଦେଇଥିଲା। ତେବେ ଚିକିତ୍ସା ଚାଲିଥିବାବେଳେ ତାଙ୍କର ମୃତ୍ୟୁ ଘଟିଛି। ଏ ନେଇ କୋଭିଡ୍‌ ହସ୍ପିଟାଲ୍‌ ଦାୟିତ୍ୱରେ ଥିବା ଡା. ଦେବଦୁର୍ଲଭ ନାୟକ ସନ୍ଧ୍ୟା ୬ଟା ୩୦ରେ ପରିବାର ଲୋକଙ୍କୁ ଜଣାଇବା ପରେ ମୃତ୍ୟୁ ଖବର ସ୍ପଷ୍ଟ ହୋଇଥିଲା।
ଉଲ୍ଲେଖଯୋଗ୍ୟ, ଚାରଣ ରାମଦାସ ପ୍ରବଚନ ପାଇଁ ଓଡ଼ିଶାର ଘରେ ଘରେ ପରିଚିତ ଥିଲେ। ଜଗନ୍ନାଥ ସଂସ୍କୃତି ଓ ପରମ୍ପରାର ପ୍ରଚାରକ ଭାବେ ତାଙ୍କର ବେଶ୍‌ ଖ୍ୟାତି ରହିଥିଲା। ତାଙ୍କ ହେରାପଞ୍ଚମୀର କାହାଣୀ ପୁରୀ ଜିଲାର ପ୍ରତି ଗାଁ ଗାଁରେ ଲୋକଙ୍କ ମନ କିଣିପାରିଥିଲା। ପ୍ରବଚକ ଭାବେ ସେ ପୁରପଲ୍ଲୀ ବୁଲି ମଧ୍ୟ ଜଗନ୍ନାଥ ପରମ୍ପରା ବର୍ଣ୍ଣନା କରିଛନ୍ତି। ସେ ୧୯୬୯ ମସିହା ମାର୍ଚ୍ଚ ୧୧ ତାରିଖରେ ଜନ୍ମଗ୍ରହଣ କରିଥିଲେ। ମଙ୍ଗଳବାର ତାଙ୍କର ଶେଷକୃତ୍ୟ ହେବା ନେଇ ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ଏ ନେଇ ଜଗନ୍ନାଥ ସଂସ୍କୃତିର ଗବେଷକ ସୂର୍ଯ୍ୟ ନାରାୟଣ ରଥଶର୍ମା କହିଛନ୍ତି ଯେ, ପିଲାବେଳୁ ତାଙ୍କ ସହ ଜଗନ୍ନାଥ ସଂସ୍କୃତିକୁ ନେଇ ଆଲୋଚନା କରିଛୁ। ଏଭଳି ଦୁଃଖଦ ଖବର ମୋତେ ମର୍ମାହତ କରିଛି। ଏହି କ୍ଷତି କେବେ ପୂରଣ ହୋଇ ପାରିବ ନାହିଁ।