ଖବରଦାତାଙ୍କୁ ପୋଲିସର ଆକ୍ରମଣ: ଏନ୍‌ଏଚ୍‌ଆର୍‌ସିରେ ଅଭିଯୋଗ

ଯାଜପୁର ଅଫିସ,୩୧ା୫:ଧରିତ୍ରୀର ପୁରୀ ଜିଲା ପ୍ରତିନିଧି ଦତ୍ତାତ୍ରେୟ ନାୟକଙ୍କୁ ପୋଲିସର ଆକ୍ରମଣ ଘଟଣା ସମ୍ପର୍କରେ ଜାତୀୟ ମାନବାଧିକାର କମିଶନ (ଏନ୍‌ଏଚ୍‌ଆର୍‌ସି)ଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି। ଜାତୀୟ ମାନବାଧିକାର ଡିଫେଣ୍ଡର ଭଜମନ ବିଶ୍ୱାଳଙ୍କ ଆବେଦନ (୮୫୦୦/ଆଇଏନ୍‌/୨୦୨୧)କୁ ଏନ୍‌ଏଚ୍‌ଆର୍‌ସି ଶନିବାର ଗ୍ରହଣ କରିଛନ୍ତି। ବିଶ୍ୱାଳ ତାଙ୍କ ଆବେଦନ ପତ୍ରରେ ଦର୍ଶାଇଛନ୍ତି ଯେ, ରାଜ୍ୟ ସରକାରଙ୍କ ମୁଖ୍ୟ ଶାସନ ସଚିବଙ୍କ ମାଧ୍ୟମରେ ଜୀବନ, ସ୍ବତନ୍ତ୍ରତା ଏବଂ ସମ୍ମାନର ମାନବିକ ଅଧିକାର ଉଲ୍ଲଂଘନ ହେତୁ ଖବରଦାତା ଦତ୍ତାତ୍ରେୟ ନାୟକଙ୍କୁ ୩ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ କରାଯାଉ। ଉକ୍ତ ଅପରାଧରେ ଜଡ଼ିତ ଦୋଷୀ ତଥା ପୋଲିସ କର୍ମଚାରୀଙ୍କ ବେତନରୁ କ୍ଷତିପୂରଣ ରାଶି କଟାଯିବାକୁ ବିଶ୍ୱାଳ ଅନୁରୋଧ କରିଛନ୍ତି। ସେ ଆହୁରି ଦର୍ଶାଇଛନ୍ତି ଯେ, କୋଭିଡ୍‌-୧୯ ପରିସ୍ଥିତିରେ ଖବରଦାତା ଦତ୍ତାତ୍ରେୟ ନିଜ ଜୀବନକୁ ଭୟ ନ କରି ବୃତ୍ତିଗତ ସେବା ଅନୁଯାୟୀ କର୍ତ୍ତବ୍ୟ କରୁଥିଲେ। ରାଜ୍ୟ ସରକାର ଖବରଦାତାମାନଙ୍କୁ କରୋନା ଯୋଦ୍ଧା ଭାବରେ ଘୋଷଣା କରିଛନ୍ତି, ଯେଉଁମାନେ ସାରା ରାଜ୍ୟରେ ନାଗରିକଙ୍କ ସୁରକ୍ଷା ତଥା କଲ୍ୟାଣ ଦିଗରେ ନିରନ୍ତର କାର୍ଯ୍ୟ କରୁଛନ୍ତି। କରୋନା ସଂକ୍ରମଣକୁ ସଙ୍କୁଚିତ କରିବା ପାଇଁ ଦେଶବ୍ୟାପୀ ଲକ୍‌ଡାଉନ ଅଧୀନରେ ରଖାଯାଇଥିବା ପ୍ରତିବନ୍ଧକରୁ ଗଣମାଧ୍ୟମକୁ ମୁକ୍ତ କରାଯାଇଛି। ଏଭଳି ସ୍ଥିତିରେ ପୁରୀ ପୋଲିସ ଦ୍ୱାରା ଖବରଦାତା ଦତ୍ତାତ୍ରେୟଙ୍କ ଉପରେ ହୋଇଥିବା ନିର୍ଦ୍ଦୟ ଆକ୍ରମଣ ସଂକ୍ରାନ୍ତରେ ବିଭିନ୍ନ ମହଲରୁ ନିନ୍ଦା କରାଯାଉଛି। କ୍ଷମତା, ପଦବୀ ଏବଂ ଖାକି ପୋଷାକର ଅପବ୍ୟବହାର କରାଯାଇଛି। ତେଣୁ ସମ୍ପୃକ୍ତ ଅଭିଯୁକ୍ତଙ୍କ ବିରୋଧରେ ଆପରାଧିକ ମାମଲା ପଞ୍ଜୀକରଣ କରି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଶ୍ୱାଳ ଏନ୍‌ଏଚ୍‌ଆର୍‌ସିଙ୍କ ନିକଟରେ ଅନୁରୋଧ କରିଛନ୍ତି। ଏହି ଅଭିଯୋଗ ସମ୍ପର୍କରେ ବିଶ୍ୱାଳ ଇ-ମେଲ୍‌ ଯୋଗେ ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ଗୃହ ବିଭାଗ ସଚିବ, ପୋଲିସ ଡିଜି, ଓଡ଼ିଶା ମାନବାଧିକାର ସୁରକ୍ଷା କମିଶନ, ପୁରୀ ଜିଲାପାଳ ପ୍ରମୁଖଙ୍କୁ ଅବଗତ କରାଇଛନ୍ତି।