ଅଭିଯୁକ୍ତଙ୍କୁ ଧରିବାକୁ ଯାଇ ଆକ୍ରମଣର ଶିକାର ହେଲେ ପୋଲିସ ଏଏସ୍‌ଆଇ

ଭେଡ଼େନ,୨୫ା୫(ଡି.ଏନ୍‌.ଏ.): ବରଗଡ଼ ଜିଲା ଭେଡ଼େନ ଥାନା ଅଧୀନ ଧୁବେନପାଲିରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଅଭିଯୁକ୍ତଙ୍କୁ ଧରିବାକୁ ଯାଇ ପୋଲିସ ଏଏସ୍‌ଆଇ ରାମଚନ୍ଦ୍ର ଦାଶ ଆକ୍ରମଣର ଶିକାର ହୋଇଛନ୍ତି। ଅଭିଯୁକ୍ତଙ୍କ କଟୁରୀ ଚୋଟରେ ତାଙ୍କର ମୁଣ୍ଡ ଓ ହାତରେ ଗଭୀର କ୍ଷତ ହୋଇଛି। ତାଙ୍କୁ ଗୁରୁତର ଅବସ୍ଥାରେ ଭେଡ଼େନ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି।
ପ୍ରକାଶ ଯେ, ଅଁଳାପାଲି ପଞ୍ଚାୟତ ଅନ୍ତର୍ଗତ ତେନ୍ତୁଲିଟିକ୍ରା ଛକରେ ମୋହନ ସାହୁ ଓ ବୃନ୍ଦାବନ ପଧାନ ଓରଫ ଭାଲୁ କୌଣସି କାରଣରୁ ବରଗାଁ ଗ୍ରାମର ଦୈତାରୀ ପାଣିଗ୍ରାହୀଙ୍କୁ ଏକ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ କରି ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ। ଦୈତାରୀଙ୍କ ଅଭିଯୋଗ କ୍ରମେ ପୋଲିସ ଏକ ମାମଲା (ନଂ.୧୫୭/୨୩)ରୁଜୁ କରି ଅଭିଯୁକ୍ତଙ୍କୁ ଧରିବା ପାଇଁ ତନାଘନା ଚଳାଇଥିଲା। ତେବେ ବୃନ୍ଦାବନ ପଧାନ ଧୁବେନପାଲିରେ ଲୁଚି ରହିଥିବା ପୋଲିସ ବିଶ୍ୱସ୍ତ ସୂତ୍ରରୁ ଖବର ପାଇଥିଲା। ଭେଡ଼େନ ଥାନା ଅଧିକାରୀ ସଙ୍ଗୀତା ମହାପାତ୍ରଙ୍କ ନିର୍ଦ୍ଦେଶ କ୍ରମେ ଏସ୍‌.ଆଇ ଦୟାନିଧି ପାତ୍ର, ଏଏସ୍‌ଆଇ ରାମଚନ୍ଦ୍ର ଦାଶ, ହାବିଲଦାର ଜୟରାମ ଆଚାର୍ଯ୍ୟ ସଦଳବଳ ଚଢାଉ କରିଥିଲେ। ପୋଲିସକୁ ଦେଖି ବୃନ୍ଦାବନ ହଠାତ୍‌ ଏକ ଧାରୁଆ କଟୁରୀରେ ଆକ୍ରମଣ କରିଥିଲା। ଏଥିରେ ଏଏସ୍‌ଆଇ ଦାଶ ଗୁରୁତର ଆହତ ହୋଇଥିଲେ।
ଅନ୍ୟପକ୍ଷେ ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର ହେବାକୁ ଉଦ୍ୟମ କରୁଥିବା ବେଳେ ଅନ୍ୟ ପୋଲିସ କର୍ମଚାରୀ ତାଙ୍କୁ କାବୁ କରିନେଇଥିଲେ। ପୋଲିସ ଆକ୍ରମଣରେ ବ୍ୟବହୃତ କଟୁରୀକୁ ଜବତ କରିଛି। ଏ ନେଇ ଭେଡ଼େନ ଥାନାରେ ଏକ ମାମଲା (ନଂ.୧୫୯/୨୩) ରୁଜୁ ହୋଇଛି। ଅଭିଯୁକ୍ତଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି।