ଅତାବିରା, ୧୦ା୩ (ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଟୋପ ଗ୍ରାମରେ ଚଢ଼ାଉ କରି ପୋଲିସ ବିପୁଳ ପରିମାଣର ଗୋ-ମାଂସ ଜବତ କରିବା ସହ ଜଣେ ଅଭିଯୁକ୍ତକୁ ଗିରଫ କରିଛି। ଗିରଫ ବ୍ୟକ୍ତି ଜଣକ ସେହି ଗ୍ରାମର କୃଷ୍ଣ ଆଣ୍ଡାଲି ବୋଲି ଜଣାପଡ଼ିଛି।
ଅଭିଯୁକ୍ତ କୃଷ୍ଣ ଆଣ୍ଡାଲି ଗ୍ରାମରେ ଗୋ-ମାଂସ ବିକ୍ରି କରୁଥିବା ନେଇ କୁଜାପାଲି ଗ୍ରାମର ପ୍ରଶାନ୍ତ ଭୋଇ ପୋଲିସକୁ ଗୁପ୍ତ ସୂଚନା ଦେଇଥିଲେ। ଏହି ସୂଚନାକୁ ଆଧାର କରି ଅତାବିରା ଥାନା ଅଧିକାରୀ ପ୍ରକାଶ କର୍ଣ୍ଣଙ୍କ ନେତୃତ୍ୱରେ ପୋଲିସ ଟିମ ମଙ୍ଗଳବାର ଦିନ ହଠାତ ଚଢ଼ାଉ କରିଥିଲା। ଚଢ଼ାଉ ସମୟରେ ଘଟଣାସ୍ଥଳରୁ ଗୋ-ମାଂସ ଜବତ କରାଯାଇଥିଲା।
ଜବତ ହୋଇଥିବା ମାଂସକୁ ପ୍ରାଣୀଧନ ଚିକିତ୍ସାଧିକାରୀଙ୍କ ଦ୍ୱାରା ପରୀକ୍ଷା କରାଯାଇ ତାହା ଗୋ-ମାଂସ ବୋଲି ନିଶ୍ଚିତ କରାଯାଇଛି। ଗିରଫ ଅଭିଯୁକ୍ତକୁ ବୁଧବାର ଦିନ କୋର୍ଟ ଚାଲାଣ କରାଯିବ ବୋଲି ଥାନା ଅଧିକାରୀ ସୂଚନା ଦେଇଛନ୍ତି। ଏହି କାରବାରରେ ସମ୍ପୃକ୍ତ ଥିବା ଅନ୍ୟ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ପୋଲିସ ପକ୍ଷରୁ ତନାଘନା ଜାରି ରହିଥିବା ପ୍ରକାଶ କର୍ଣ୍ଣ (ଥାନା ଅଧିକାରୀ) କହିଛନ୍ତି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ପୋଲିସ ନିଜର ତଦନ୍ତ ପ୍ରକ୍ରିୟାକୁ ଜୋରଦାର କରିଛି।

