Categories: ଜାତୀୟ

ଭଡ଼ାଟିଆଙ୍କୁ ୩ ଖଣ୍ଡ

ଗାଜିଆବାଦ୍‌, ୧୫।୧୨: ଉତ୍ତର ପ୍ରଦେଶ ଗାଜିଆବାଦ୍‌ ଜିଲା ମୋଦିନଗରରେ ଭଡ଼ାଟିଆ ଅଙ୍କିତ ଖୋକାରଙ୍କୁ ହତ୍ୟା ଅଭିଯୋଗରେ ଘରମାଲିକ ଉମେଶ ଶର୍ମାଙ୍କୁ ପୋଲିସ ଗିରଫ କରିଛି। କିଛିଦିନ ପୂର୍ବେ ଅଙ୍କିତ ପୈତୃକ ସମ୍ପତ୍ତିକୁ କୋଟିଏ ଟଙ୍କାରେ ବିକ୍ରି କରିଥିଲେ। ଟଙ୍କା ଲୋଭରେ ଘର ମାଲିକ ଉମେଶ ବନ୍ଧୁ ପ୍ରଭେଶଙ୍କ ସହ ମିଶି ଅଙ୍କିତଙ୍କୁ ହତ୍ୟା କରିଥିବା ପୋଲିସ କହିଛି। ମାବାପାଙ୍କ ମୃତ୍ୟୁ ପରେ ଲକ୍ଷ୍ନୌ ୟୁନିଭର୍ସିଟିରେ ପଢ଼ୁଥିବା ଅଙ୍କିତ ଏକୁଟିଆ ଉମେଶଙ୍କ ଘରେ ଭଡ଼ାରେ ରହୁଥିଲେ। ଅଙ୍କିତଙ୍କ ଜଣେ ବନ୍ଧୁ ତାଙ୍କୁ ବହୁବାର ଫୋନ୍‌ ଓ ମେସେଜ୍‌ କରିବା ପରେ କୌଣସି ଉତ୍ତର ପାଇ ନ ଥିଲେ। ଏହାର କିଛିଦିନ ପରେ ଅଙ୍କିତଙ୍କଠାରୁ ତାଙ୍କୁ କିଛି ମେସେଜ୍‌ ମିଳିଥିଲା। ଅଙ୍କିତଙ୍କ ମେସେଜ୍‌ ଶୈଳୀ ଦେଖି ତାଙ୍କ ବନ୍ଧୁଙ୍କର ସନ୍ଦେହ ହୋଇଥିଲା। ଏ ନେଇ ସେ ଥାନାରେ ଅଭିଯୋଗ କଲେ। ଏହା ପରେ ପୋଲିସ ଘଟଣାର ତଦନ୍ତ କରିଥିଲା। ପ୍ରାଥମିକ ତଦନ୍ତରୁ ପୋଲିସ ଉମେଶ ଓ ତାଙ୍କ ବନ୍ଧୁଙ୍କୁ ଗିରଫ କରିଛି। ଗତ ଅକ୍ଟୋବର ୯ରେ ଅଙ୍କିତଙ୍କୁ ସେମାନେ ହତ୍ୟା କରିଥିଲେ। ଏହାପରେ ତାଙ୍କ ଶରୀରକୁ ତିନିଖଣ୍ଡ କରି କେନାଲରେ ଫୋପାଡ଼ି ଦେଇଥିଲେ । ଉମେଶ ଓ ପ୍ରଭେଶଙ୍କ ବିରୋଧରେ ମାମଲା ରୁଜୁ କରି ପୋଲିସ ଘଟଣାର ତଦନ୍ତ ଚଳାଇଛି। ଅଙ୍କିତଙ୍କ ଏଟିଏମ୍‌ ଓ ଫୋନ୍‌ ସେମାନଙ୍କଠାରୁ ପୋଲିସ ଜବତ କରିଛି।

Share