ଟିଏ, ଡିଏ ନାଁରେ କରିଥିଲେ ଦେଢ଼କୋଟି ଟଙ୍କା ଚଳୁ, ଡାଟା ଏଣ୍ଟ୍ରି ଅପରେଟରଙ୍କୁ ବାନ୍ଧିଲା ପୋଲିସ

କଟକ,୨୮ା୮(ପ୍ରଭୁକଲ୍ୟାଣ ପାଲ): ଟିଏ, ଡିଏ ନାଁରେ ଦେଢ଼ କୋଟି ଟଙ୍କା ଚଳୁ କରି ଶେଷରେ ବନ୍ଧା ହୋଇଛନ୍ତି ଡାଟା ଏଣ୍ଟ୍ରି ଅପରେଟର। ଅନ୍ୟ ଲୋକଙ୍କ ଦରମାରେ ନିଜେ ଅୟସ କରୁଥିଲେ ଡାଟା ଏଣ୍ଟ୍ରି ଅପରେଟର। କଟକ ଏସ୍‌ସିବି ମେଡିକାଲ ଅଧୀକ୍ଷକଙ୍କ କାର୍ଯ୍ୟାଳୟର ଆକାଉଣ୍ଟ ସେକ୍ସନର ବଡ଼ ଠକେଇ ଘଟଣାରେ ଶୁକ୍ରବାର ଠକ ଦିନେଶ ରାଉତଙ୍କୁ ଗିରଫ କରିଛି ମଙ୍ଗଳାବାଗ ଥାନା ପୋଲିସ। ମେଡିକାଲ କର୍ମଚାରୀଙ୍କ ଟିଏ, ଡିଏ, ଛୁଟି ଭତ୍ତା(ଲିଭ ସାଲାରି) ଆଦି ସରକାରୀ ସହାୟତା ବାବଦ ୧ କୋଟି ୪୦ ଲକ୍ଷରୁ ଅଧିକ ଟଙ୍କା ଆତ୍ମସାତ୍‌ କରିବା ଓ ପରେ ଏହି କେଳେଙ୍କାରୀ ଅଡିଟ୍‌ରେ ଧରାପଡ଼ିବା ପରେ ରିପୋର୍ଟକୁ ଆଧାର କରି ମେଡିକାଲ ମେଡିକାଲ ଅଧୀକ୍ଷକ ପ୍ରଫେସର ଡା. ଜ୍ୟୋତିଷ ଚନ୍ଦ୍ର ଚୌଧୁରୀ ମଙ୍ଗଳାବାଗ ଥାନାରେ ଏତଲା ଦେଇଥିଲେ। ତେବେ ଆଜି ଏହି ଠକଙ୍କୁ ଗିରଫ କରିଛି ପୋଲିସ।

୨୦୧୫ରୁ ଏସ୍‌ସିବିରେ ଏକ ଠିକା କର୍ମଚାରୀ ଭାବରେ ଡାଟା ଏଣ୍ଟ୍ରି ଅପରେଟର ଭାବରେ କାର୍ଯ୍ୟ ଆରମ୍ଭ କରିଥିଲେ ଦିନେଶ। ବର୍ଷ ବର୍ଷ ଧରି ଏହି ପଦବୀରେ ରହିବା ପରେ ଠକେଇ ଲାଳସାରେ ବାନ୍ଧି ହୋଇଥିଲେ ସେ। ଥାନାରେ ମାମଲା ହେବା ପରେ ଗତକାଲି ରାତିରେ ପୋଲିସର ଏକ ସ୍ବତନ୍ତ୍ର ଟିମ୍‌ ଏସ୍‌ସିବି ମେଡିକାଲ ଆକାଉଣ୍ଟ ସେକ୍ସନରେ ଚଢ଼ାଉ କରି ଛାନ୍‌ଭିନ୍‌ କରିଥିଲା। ଠିକାସଂସ୍ଥା ଦ୍ବାରା ନିୟୋଜିତ ଡାଟା ଏଣ୍ଟ୍ରି ଅପରେଟର ଦିନେଶ ରାଉତଙ୍କ ଉପରେ ସନ୍ଦେହ ହେବା ପରେ ପୋଲିସ ତାଙ୍କୁ ଉଠାଇ ନେଇ ଅଟକ ରଖିଥିଲା। ଗତ ୧୦ ବର୍ଷ ଭିତରେ ତା’ର ଆକାଉଣ୍ଟକୁ କେଉଁ ସୂତ୍ରରୁ ଅର୍ଥ ଆସି ଜମା ହେଉଥିଲା ଏବଂ ଅନ୍ୟ କେଉଁ ଆକାଉଣ୍ଟକୁ ଟ୍ରାନ୍ସଫର ହୋଇଛି ସେସବୁ ପୋଲିସ ଖୋଳତାଡ଼ ଜାରି ରଖିଛି। ଅନ୍ୟପଟେ ଗିରଫ ଅଭିଯୁକ୍ତଙ୍କୁ କାର୍ଯ୍ୟରୁ ବହିଷ୍କାର କରିଛନ୍ତି ଏସ୍‌ସିବି କର୍ତ୍ତୃପକ୍ଷ।

Dharitri – Odisha’s No.1 Odia Daily

Share