୩ ଜଣଙ୍କୁ ଗିରଫ କରି ହାତବାନ୍ଧି ବସିଛି ପୋଲିସ

ଡେରାବିଶ,୨୮ା୧୧(ସ୍ବ.ପ୍ର.): କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ବାଲିଆଠାରେ ବୁଧବାର ସନ୍ଧ୍ୟାରେ କାର୍ତ୍ତିକେଶ୍ୱର ମେଢ଼ ଭସାଣି ଶୋଭାଯାତ୍ରାରେ ଘଟିଥିବା ବାଣ ବିସ୍ଫୋରଣ ଘଟଣାକୁ ଇତିମଧ୍ୟରେ ୯୬ ଘଣ୍ଟା ବିତିଛି। ୪୦ରୁ ଊର୍ଦ୍ଧ୍ୱ ଆହାତଙ୍କ ମଧ୍ୟରୁ ରବିବାର ସନ୍ଧ୍ୟା ଯାଏ ୩୩ ଜଣ କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି। ସେମାନଙ୍କ ମଧ୍ୟରୁ ଅଧିକାଂଶଙ୍କ ଅବସ୍ଥା ଗୁରୁତର ରହିଛି। ହେଲେ ଏହି ଘଟଣାରେ ଦାୟୀ ପୋଲିସ ଓ ପ୍ରଶାସନିକ ଅଧିକାରୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ କରାଯାଉ ନାହିଁ ବୋଲି ବରିଷ୍ଠ ଭାଜପା ନେତା ବିଜୟ ମହାପାତ୍ର ରବିବାର କହିଛନ୍ତି।
ଆହତମାନଙ୍କ ମଧ୍ୟରୁ ୧୨ ଜଣ ଆଇସିୟୁରେ ଚିକିତ୍ସାଧୀନ ଅଛନ୍ତି। ପୋଲିସ ଏହି ଘଟଣାରେ ନିଜ ଆଡ଼ୁ ସଦର ଥାନାରେ ଏକ ମାମଲା(ନଂ. ୪୯୪/୨୨)ରୁଜୁ କରିବା ସହ ପୂଜା କମିଟିର ୩ କର୍ମକର୍ତ୍ତାଙ୍କୁ ଗିରଫ କରି ଶୁକ୍ରବାର କୋର୍ଟ ଚାଲାଣ କରିଛି। ତେବେ ଏହି ସମ୍ବେଦନଶୀଳ ଘଟଣାର ମୁଖ୍ୟ ନାୟକ ସାଜିଥିବା ପୋଲିସ ଓ ଭସାଣି ଉତ୍ସବରେ ଉପସ୍ଥିତ ଥିବା କେତେଜଣ ପ୍ରଶାସନିକ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କେବେ ହେବ ବୋଲି ବିଜୟ ପ୍ରଶ୍ନ କରିଛନ୍ତି। ଘଟଣାର ପରଦିନ ବରିଷ୍ଠ ପୋଲିସ ଅଧିକାରୀ ଘଟଣାସ୍ଥଳକୁ ଯାଇ କେବଳ ଭସାଣି ଉତ୍ସବ ପାଇଁ ଅନୁମତି ଦିଆଯାଇଥିଲା। ବାଣ ଫୁଟାଇବା ଓ ଡିଜେ ବଜାଇବା ଉପରେ ପୋଲିସ ପକ୍ଷରୁ ବାରଣ କରାଯାଇଥିବା କଥା ଗଣମାଧ୍ୟମକୁ କହିଥିଲେ। ଏହା ସମ୍ପୂର୍ଣ୍ଣ ହାସ୍ୟାସ୍ପଦ କଥା ବୋଲି ସେ କହିଛନ୍ତି।
କଟକ-ଚାନ୍ଦବାଲି ରାଜପଥକୁ ଦୀର୍ଘ ୪ ଘଣ୍ଟା ବନ୍ଦ କରି ଭସାଣି ଶୋଭାଯାତ୍ରା ଚାଲିବା, ବାଣ ଫୁଟାଇବା ଓ ଡିଜେ ବଜାଇବା ପାଇଁ କିଏ ଅନୁମତି ଦେଇଥିଲା ବୋଲି ବିଜୟ ପ୍ରଶ୍ନ କରିଛନ୍ତି। ଦୀର୍ଘ ୪ ଘଣ୍ଟା ଧରି ଯାନବାହାନ ସମେତ ଗାଡ଼ି ଚଳାଚଳ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଥିଲା। ବସ୍‌ ଓ ଚାରିଚକିଆ ଗାଡ଼ିରେ ଯାଉଥିବା ଯାତ୍ରୀ ଯେଉଁ ମାନସିକ କଷ୍ଟ ଭୋଗିଛନ୍ତି ସେଥିପାଇଁ କିଏ ଦାୟୀ ରହିବ। ପୋଲିସ ପୂଜା କମିଟି ଓ ବଜାର ଶାନ୍ତି କମିଟିର କର୍ମକର୍ତ୍ତାଙ୍କୁ ବାଣ ଫୁଟାଇବା ପାଇଁ ମନା କରିଥିଲେ ମଧ୍ୟ ସେମାନେ ମାନିଲେ ନାହିଁ ବୋଲି ଅନୁଧ୍ୟାନ କରିବାକୁ ଯାଇଥିବା ବରିଷ୍ଠ ଅଧିକାରୀ ଗଣମାଧ୍ୟମକୁ ସୂଚନା ଦେଇଥିବା ସେ ଜାଣିବାକୁ ପାଇଥିଲେ। ଆଇନ ଶୃଙ୍ଖଳା ରକ୍ଷା ପାଇଁ ପ୍ରଶାସନ ପକ୍ଷରୁ ପୋଲିସକୁ ମୁତୟନ କରାଯାଇଥିଲା। ଘଟଣାସ୍ଥଳରେ ଦାୟିତ୍ୱରେ ଥିବା ପୋଲିସ କଥା କର୍ମକର୍ତ୍ତା ମାନିଲେ ନାହିଁ କହିବା ଏଥିରେ ସମ୍ପୃକ୍ତ ଅଧିକାରୀଙ୍କୁ ଘଣ୍ଟ ଘୋଡ଼ାଇବା ଭଳି ହୋଇଛି ବୋଲି ବିଜୟ କହିଛନ୍ତି। ସେପଟେ ବାଣ ବିସ୍ଫୋରଣରେ ଗୁରୁତର ହୋଇ ଚିକିତ୍ସିତ ହେଉଥିବା ଲୋକଙ୍କ ସମ୍ପର୍କୀୟମାନେ ମାନସିକ ଅଶାନ୍ତି ଭିତରେ ଦିନ କାଟୁଛନ୍ତି। ଏହି ଘଟଣାର ନିରପେକ୍ଷ ତଦନ୍ତ କରାଯାଇ ଦୋଷୀମାନଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ରାଜ୍ୟ ସରକାରଙ୍କ ନିକଟରେ ସେ ଦାବି କରିଛନ୍ତି।