ମୋବାଇଲ ମରାମତି ଖର୍ଚ୍ଚ ମାଗିବାରୁ ମହିଳାଙ୍କୁ ହତ୍ୟା ଉଦ୍ୟମ, ଫେରାର୍‌ ଥିବା ତୃତୀୟ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ବଞ୍ଚୋ/ଆନନ୍ଦପୁର/ହାଟଡିହୀ , ୯।୬(ପ୍ରଦୋଷ ବିଶ୍ୱାଳ/ ସୁଶାନ୍ତ କୁମାର ସାହୁ/ ଶୁଭକାନ୍ତ ନାୟକ) : କେନ୍ଦୁଝର ଜିଲା ରାମଚନ୍ଦ୍ରପୁର ଥାନା ଉଲ୍ଲୋଳ ଗ୍ରାମରେ ମୋବାଇଲ ଚୋରି ଘଟଣାକୁ ନେଇ ଆକ୍ରମଣ ଏବଂ ହତ୍ୟା ଉଦ୍ୟମ ଘଟଣାରେ ଆନନ୍ଦପୁର ଏସଡିପିଓଙ୍କ ହସ୍ତକ୍ଷେପ ପରେ ଦୀର୍ଘ ଦେଢ଼ ବର୍ଷ ପରେ ପୋଲିସ ଫେରାର୍‌ ଅଭିଯୁକ୍ତକୁ ମଙ୍ଗଳବାର ଗିରଫ କରି କୋର୍ଟ ଚାଲାଣ କରିଛି । କାଞ୍ଚନ ପଲେଇଙ୍କ ଅଭିଯୋଗ ଅନୁସାରେ ଗତ ୬ ଅଗଷ୍ଟ ୨୦୨୪ରେ ତାଙ୍କ ଗାଁର ଆକାଶ ନାଥ ତାଙ୍କ ମୋବାଇଲ ଚୋରି କରିଥିଲେ। ସେ ଜାଣିବା ପରେ ଫେରାଇ ଦେବାକୁ ଦାବି କଲେ। ଆକାଶ ନାଥ ରାଗି ଯାଇ ଫୋନକୁ ପାଣିରେ ବୁଡ଼ାଇ ଦେଇ ଅଚଳ କରିଦେଇଥିଲେ ।  ଅଭିଯୋଗକାରୀ କାଞ୍ଚନ ମୋବାଇଲ ମରାମତି କରି ମରାମତି ଖର୍ଚ୍ଚ ଦେବାକୁ ଅନୁରୋଧ କଲେ। ଏହାକୁ ନେଇ  ଆକାଶ ନାଥ, ତାଙ୍କ ବାପା ଅଭିମନ୍ୟୁ ନାଥ ଓ ସମ୍ପର୍କୀୟ ରବୀନ୍ଦ୍ର ନାଥ ମିଶି ତାଙ୍କୁ ଲୁହା ରଡରେ ଆକ୍ରମଣ କରି ଗୁରୁତର ଆହତ କରିଥିଲେ। ତଦନ୍ତ ସମୟରେ ପୋଲିସ ଘଟଣାରେ ବ୍ୟବହୃତ ଲୁହା ରଡ୍‌ ଜବତ କରିଥିଲା। ଏହି ମାମଲାରେ ଆକାଶ ନାଥ ଓ ଅଭିମନ୍ୟୁ ନାଥଙ୍କୁ ପୂର୍ବରୁ ଗିରଫ କରି ୬ ଅଗଷ୍ଟ ୨୦୨୪ରେ ଅଦାଲତକୁ ଚାଲାଣ କରାଯାଇଥିବା ବେଳେ ଫେରାର୍‌ ଥିବା ରବୀନ୍ଦ୍ର ନାଥ (୩୩)ଙ୍କୁ ପୋଲିସ ଗିରଫ କରିଛି। ତାଙ୍କୁ ମଧ୍ୟ ଅଦାଲତକୁ ଚାଲାଣ କରାଯାଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି।

 

Odisha’s No.1 Odia Daily