ପୁରୁଷୋତ୍ତମପୁର,୧୭।୭ (ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଅରଖପୁର ଗ୍ରାମରେ ଗୁରୁବାର ରଥଟଣା ଚାଲିଥିବା ବେଳେ ପାରିବାରିକ ଶତ୍ରୁତାକୁ କେନ୍ଦ୍ର କରି ଭିଣୋଇ ଟିଟୁ କରଣ (୩୨) ତାଙ୍କ ଶଳା ସତ୍ୟବାନ ପାଣ୍ଡିଙ୍କୁ ଖଣ୍ଡାରେ ହାଣି ମରଣାନ୍ତକ ଆକ୍ରମଣ କରିଥିଲେ।
ଏହି ଘଟଣାରେ ପୁରୁଷୋତ୍ତମପୁର ପୋଲିସ ଥାନା କେସ୍ ନଂ. ୪୫୧/୨୬ରେ ମାମଲା ରୁଜୁ କରି ଅଭିଯୁକ୍ତ ଟିଟୁ କରଣଙ୍କୁ ଗିରଫ କରିଛି। ଶୁକ୍ରବାର ତାଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଥାନା ଆଇଆଇସି କୁଳମଣି ସେଠୀ ସୂଚନା ଦେଇଛନ୍ତି।
ସୂଚନା ଅନୁଯାୟୀ, ସତ୍ୟବାନଙ୍କ ଭଉଣୀଙ୍କୁ ତାଙ୍କ ସ୍ୱାମୀ ତଥା ସେହି ଗ୍ରାମର ଟିଟୁ କରଣ ଦୀର୍ଘଦିନ ଧରି ନିର୍ଯାତନା ଦେଉଥିଲେ। ଏହାକୁ ନେଇ ସତ୍ୟବାନ ଓ ତାଙ୍କ ପରିବାର ପକ୍ଷରୁ ବାରମ୍ବାର ପ୍ରତିବାଦ କରାଯାଉଥିଲା। ଏହି କାରଣରୁ ଟିଟୁ ସତ୍ୟବାନଙ୍କ ପ୍ରତି ବିରୋଧଭାବ ପୋଷଣ କରି ତାଙ୍କୁ ଜୀବନରୁ ମାରିଦେବା ପାଇଁ ସୁଯୋଗ ଖୋଜୁଥିବା ଅଭିଯୋଗ ହୋଇଛି।
ଗୁରୁବାର ଗ୍ରାମରେ ରଥଟଣା ଚାଲିଥିବା ବେଳେ ସତ୍ୟବାନ ରଥ ଟାଣୁଥିଲେ। ସେହି ସମୟରେ ଟିଟୁ ହଠାତ୍ ଏକ ଖଣ୍ଡାରେ ତାଙ୍କ ଉପରେ ଆକ୍ରମଣ କରିଥିଲେ। ଆକ୍ରମଣ ପରେ ଅଭିଯୁକ୍ତ ଗହଳିର ସୁଯୋଗ ନେଇ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ। ପରେ ପୋଲିସ ତଦନ୍ତ କରି ଅଭିଯୁକ୍ତଙ୍କୁ ଗିରଫ କରିଥିଲା।

