ମୋହନା,୨୨ା୫ (ମନ୍ମଥ ମିଶ୍ର): ଗଞ୍ଜେଇ ଚୋରା ଚାଲାଣ ଓ ପ୍ରୋତ୍ସାହନ ମାମଲାରେ ଅଡ଼ବା ଥାନା ବିରିକୋଟ ପଞ୍ଚାୟତର ପୂର୍ବତନ ସରପଞ୍ଚ ମାଶା ମାଝୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ସୂଚନାଯୋଗ୍ୟ, ମୋଶା ମାଝୀ ଦୀର୍ଘ ଦିନରୁ ଗଞ୍ଜେଇ କାରବାର ସହିତ ସମ୍ପୃକ୍ତ ଥିଲେ। ଏହାର ବରିଷ୍ଠ ପ୍ରମାଣ ସଂଗ୍ରହ କରିବା ସହ ତାଙ୍କୁ ଗିରଫ କରିବା ପାଇଁ କିଛି ଦିନ ହେଲା ରା.ଉଦୟଗିରି ଏସଡ଼ିପିଓ ରାକେଶ କୁମାର ସାହୁ ଲାଗି ପଡ଼ିଥିଲେ। ଗୁରୁବାର ମୋହନା ମାଜିଷ୍ଟ୍ରେଟ ଚକ୍ରଧର ପାଢୀଙ୍କ ଉପସ୍ଥିତିରେ ୪୦ ଜଣିଆ ପୋଲିସ ସହିତ ମାଶା ମାଝୀଙ୍କ ବାସଭବନରେ ଚଢାଉ କରିଥିଲେ। ତାଙ୍କ ଘରୁ ଗୋଟିଏ ଧଳାରଙ୍ଗର ହୁଣ୍ଡାଇ ଭେନ୍ୟୁ କାର, ୫୫ଟି ନୂଆଁ ଓ ପୁରୁଣା ଏଟିଏମକାର୍ଡ଼, ୬ଟି ବ୍ୟାଙ୍କ ପାସ୍ବୁକ, ୫ଟି ଚେକ୍ବୁକ, ୬ଟି ଜମିପଟ୍ଟା, ୩ଟି ସ୍କେଚମ୍ୟାପ, ଗୋଟିଏ ଆଧାର କାର୍ଡ଼, ଗୋଟିଏ ପ୍ୟାନ୍ କାର୍ଡ଼ ସହିତ ଅମାପ ସମ୍ପତ୍ତିର ଅଧିକାରୀ ହୋଇଥିବା ଏସଡ଼ିପିଓ ସୂଚ଼ନା ଦେଇଛନ୍ତି । ମାଶା ମାଝୀ ବିଗତ ଦିନରେ ଅଡବା ଥାନା ଅଞ୍ଚଳରୁ ଜବତ ଗଞ୍ଜେଇରେ ସଂପୁକ୍ତ ଥିବା ସହ ଗଞ୍ଜେଇ ବ୍ୟବସାୟୀଙ୍କୁ ଘରକୁ ଡାକି ଆଶ୍ରୟ ଦେବା ଓ ସହାୟତା ପ୍ରଦାନ କରିବା, ସରକାରୀ ଜମିରେ କୋଠା ନିର୍ମାଣ କରିବା, ଗ୍ରାମବାସୀଙ୍କୁ ଏକାଠି କରି ବାହାର ସ୍ଥାନକୁ ଗଞ୍ଜେଇ ଚାଲାଣ କରିବା ଆଦି ସଙ୍ଗୀନ ଅଭିଯୋଗ ରହିଛି। ଶୁକ୍ରବାର ତାଙ୍କୁ କୋର୍ଟ ଚାଲାଣ କରାଯାଇଛି। ଅଧିକା ତଥ୍ୟ ସଂଗ୍ରହ ପାଇଁ ଅଡ଼ବା ଥାନା ସବଇନିସପେକ୍ଟର ପି.କେ. ପରିଡା ତଦନ୍ତ ଚାଇଛନ୍ତି।