କୁଚିଣ୍ଡା,୨୦ା୪(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା ମହୁଲପାଲି ଥାନା ଅଞ୍ଚଳର ଜନୈକା ବିବାହିତା ମହିଳାଙ୍କ ସହ ଶାରୀରିକ ସମ୍ପର୍କ ରଖି ଶେଷରେ ତାଙ୍କୁ ପ୍ରତାରଣା କରିବା ଅଭିଯୋଗରେ କୁଚିଣ୍ଡା ପୋଲିସ ଶନିବାର କୁଚିଣ୍ଡା ବ୍ଲକ କଲ୍ଲେହିପାଲି ଯୁକ୍ତଦୁଇ କଲେଜ ଅଧ୍ୟକ୍ଷଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅଧ୍ୟକ୍ଷ ହେଲେ ମହୁଲପାଲି ଥାନା କୁର୍ମିମୁଣ୍ଡା ଗ୍ରାମର ଡିଲେଶ୍ୱର ବେହେରା(୫୮)।
ପୀଡ଼ିତା ମହିଳାଙ୍କ ଏତଲା କ୍ରମେ ପୋଲିସ କୁଚିଣ୍ଡା ଥାନାରେ ଭାରତୀୟ ନ୍ୟାୟ ସଂହିତା ଧାରା ୯୬/୨୯୭/୩୫୧(୨)କେସ୍ ନଂ.୮୧/୨୫ରେ ମାମଲା ରୁଜୁ କରି ତଦନ୍ତ କରୁଛି।
ସୂଚନାନୁଯାୟୀ, କଲ୍ଲେହିପାଲି ଯୁକ୍ତଦୁଇ କଲେଜ ଅଧ୍ୟକ୍ଷ ଡିଲେଶ୍ୱର ବେହେରା ନିଜ ଗ୍ରାମର ଜଣେ ବିବାହିତା ମହିଳାଙ୍କ ସହ ଦୀର୍ଘ ବର୍ଷ ହେବ ପ୍ରେମ ସମ୍ପର୍କ ରଖିଥିଲେ। ପୁନଃ ବିବାହର ପ୍ରଲୋଭନ ଦେଖାଇ ତାଙ୍କ ସହ ବାରମ୍ବାର ଶାରୀରିକ ସମ୍ପର୍କ ରଖିଥିଲେ। ଏ ସମ୍ପର୍କରେ ସଂପୃକ୍ତ ମହିଳାଙ୍କ ସ୍ବାମୀ ଜାଣିବା ପରେ ମହିଳାଙ୍କ ପରିବାରରେ ଅଶାନ୍ତି ସୃଷ୍ଟି ହୋଇଥିଲା ଓ ପରେ ମହିଳାଙ୍କୁ ତାଙ୍କ ସ୍ବାମୀ ଘରୁ ତଡ଼ି ଦେଇଥିଲେ। ତେଣୁ ମହିଳା ଜଣକ ଅନ୍ୟ ଉପାୟ ନ ପାଇ ଅଧ୍ୟକ୍ଷ ଡିଲେଶ୍ୱରଙ୍କୁ ବିବାହ ପାଇଁ ଜିଦ୍ କରିବାରୁ ସେ ସ୍ପଷ୍ଟ ଭାବେ ମନା କରି ତାଙ୍କୁ ହତ୍ୟା ଧମକ ଦେଇଥିବା ଥାନାରେ ସେ ଗତ ୧୭ରେ କୁଚିଣ୍ଡା ଥାନାରେ ଅଭିଯୋଗ କରିଥିଲେ। ଏହି ଆଧାରରେ ଅଧ୍ୟକ୍ଷଙ୍କୁ ପୋଲିସ ବାନ୍ଧିଛି।


