ପୁରୁଷୋତ୍ତମପୁର,୨୨ା୭(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ପୋଲିସକୁ ଏକ ବଡ଼ସଫଳତା ମିଳିଥିବା ବେଳେ ସହ ଅଭିଯୋଗର ୨୪ ଘଣ୍ଟା ମଧ୍ୟରେ ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୬ ଜଣଙ୍କୁ ଧରିବାରେ ପୋଲିସ ସକ୍ଷମ ହୋଇଛି। ଏହାସହ ସେମାନଙ୍କ ନିକଟରୁ ଗୋଟିିଏ ବନ୍ଧୁକ, ଦୁଇଟି ଜୀବନ୍ତଗୁଳି,ଖଣ୍ଡା,୩ଟି ମୋବାଇଲ, ପଲସର ବାଇକ୍ ନଂ ଓଡି ୦୭ ବିଏ ୧୪୯୫କୁ ଜବତ କରିଛନ୍ତି। ଗିରଫ ଅଭିୁକ୍ତମାନେ ହେଲେ ଭାଟକୁମରଡ଼ା ଗ୍ରାମର ମୁଖ୍ୟ ଅଭିଯୁକ୍ତ ଆକାଶ ପଲେଇ(୨୫), ସୁଧୀର ନାହାକ( ୨୦), ବବୁଲୁ ଗୌଡ(୨୦),ବିଭୂ ଗୌଡ଼(୧୯), ଓମ୍ ଓରଫ ଶିବଶମ୍ଭୁ ଗୌଡ଼(୧୯) ଓ ହରିହର ଛାଟେଇ (୨୦)। ଘଟଣାକୁ ନେଇ ପୁରୁଷୋତ୍ତମପୁର ଏସ୍ଡିପିଓ ସୁଜିତ୍ କୁମାର ନାୟକ ଓ ଆଇଆଆଇସି କୁଳମଣି ସେଠୀ ଓ ତଦନ୍ତକାରୀ ଅଫିସର ଏସ୍ଆଇ ଦେବାଶିଷ ମିଶ୍ର ଗୁରୁବାର ଖବରଦାତା ସମ୍ମିଳନୀରେ କହିଛନ୍ତି ଯେ, ଭାଟକୁମରଡ଼ା ଗ୍ରାମର ମିଲୁସାହୁ ନାମକ ମହିଳା ଗତ ୨୦ ତାରିଖରେ ପୋଲିସରେ ଅଭିଯୋଗ କରିଥିଲେ ଯେ, ତାଙ୍କ ପୁଅ ଶିବରାମ ସାହୁ ଗତ ୧୮ ତାରିଖ ରାତିରେ ଜଳଖିଆ ଖାଇବାକୁ ଗାଁ ଛକକୁ ଯିବାବେଳେ ଅଭିଯୁକ୍ତମାନେ ଏକ ଅନ୍ଧାର ଜାଗାକୁ ଡାକିନେଇ ଏକଲୁହା ରଡ୍ରେ ମାଡ଼ ମାରିବା ସହ ୧ ଲକ୍ଷଟଙ୍କା ବଟିଦେବାକୁ ଦାବି କରିଥିଲେ। ଏହାସହ ଧମକଦେଇ କହିଥିଲେ ଯେ, ଯଦି ଏହିଘଟଣା ବାପାକୁ ଜଣାଇବୁ ତେବେ ବନ୍ଧୁକରେ ଜୀବନରେ ମାରି ଶେଷକରି ଦେବୁ। ପୁଣି ୧୯ ତାରିଖ ସନ୍ଧ୍ୟାରେ ଅଭିଯୁକ୍ତମାନେ ତାଙ୍କ ଘର ନିକଟକୁ ଆସି ବିନାକାରଣରେ ଗଣ୍ଡଗୋଳ ସୃଷ୍ଟିକରି ଶିବରାମଙ୍କୁ ମାଡ଼ ମାରିଲେ। ଏହାଦେଖି ପରିବାର ଲୋକେ ଆସି ଛଡ଼ାଇବାରୁ ସେମାନଙ୍କୁ ମଧ୍ୟ ମାଡ଼ ମାରିଲେ। ଗୁରୁତର ଆହତ ଅବସ୍ଥାରେ ଶିବରାମଙ୍କୁ ଚିକିତ୍ସା ନିମନ୍ତେ ପ୍ରଥମେ ଭାଟକୁମରଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ସେଠାରୁ ବ୍ରହ୍ମପୁର ବଡ଼ ମେଡିକାଲକୁ ନିଆଯାଇଥିଲା। ଏହି ଅଭିଯୋଗକୁ ପୋଲିସ ଅତି ଗୁରୁତର ସହ ନେଇ କେସ୍ ନଂ ୪୫୭/୨୬ ପ୍ରକାରେ ଛାନ୍ଭିନ୍ ଭାବରେ ତଦନ୍ତ କରିବା ସହ ଗଞ୍ଜାମ ଏସ୍ପିଙ୍କ ନିର୍ଦ୍ଦେଶ ପ୍ରକାରେ ପୋଲିସ ପକ୍ଷରୁ ସ୍ବତନ୍ତ୍ର ଟିମ୍ ଗଠନ କରି ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଅଭିଯୁକ୍ତମାନଙ୍କୁ ଧରିଆଣି ଥାନାରେ ଜେରା କରାଯାଇଥିଲା। ଏହି ସମୟରେ ସେମାନେ ସ୍ବୀକାର କରିଛନ୍ତି ଯେ, ଗତ ବର୍ଷ ଗ୍ରାମରୁ ଏକ ବାଇକୁ ଏହି ଗ୍ୟାଙ୍ଗ ଚୋରି କରିଥିଲେ। ଯାହାକି ସେହି ଚୋରି ସମୟର ଭିଡିଓ ଫୁଟେଜ୍ ଶିବରାମ ଗ୍ରାମରେ କରିଥିବା ଷ୍ଟେସନାରୀ ଦୋକାନରେ ଲାଗିଥିବା ସିସିଟିଭି କ୍ୟାମେରାରୁ ଜଣାପଡ଼ିଥିଲା। ଫଳରେ ପୋଲିସ ସେହି ଅଭିଯୁକ୍ତଙ୍କୁ ଗିରଫ କରି ଜେଲ ପଠାଇଥିଲା। ଶିବରାମ ଲଗାଇଥିବା ସିସିଟିଭି ଯୋଗୁ ଚୋରି ଧରାପଡ଼ିଥିବାରୁ ସେହି କେସର ଖର୍ଚ୍ଚ ଶିବରାମଙ୍କଠାରୁ ଅସୁଲ କରିବା ଲାଗି ଅଭିଯୁକ୍ତମାନେ ଏପରି କାଣ୍ଡ ଭିଆଇଥିବାର ପୋଲିସ ଆଗରେ ପ୍ରକାଶ କରିଥିବାର ଏସ୍ଡିିଓ ସୁଜିତ କମାର ନାୟକ କହିଛନ୍ତି। ଏମାନଙ୍କ ସମେତ ଏହି ଗ୍ୟାଙ୍ଗରେ ଆହୁରି କିଛି ଅଭିଯୁକ୍ତ ଥିବାବେଳେ ସେମାନେ ଫେରାର ହୋଇଯାଇଛନ୍ତି। ସେମାନଙ୍କୁ ମଧ୍ୟ ଖୁବ୍ଶୀଘ୍ର ଗିରଫ କରାଯିବା ସହ ଏହାର ଆହୁରି ଅଧିକ ତଦନ୍ତ ଚାଲିଥିବା ନେଇ ପୋଲିସ କହିଛି।