ପୋଲିସ-ଆନ୍ଦୋଳନକାରୀ ମୁହାଁମୁହିଁ

ସାଂଘାଇ, ୯।୧: ଚାଇନାରେ ଆଉଥରେ ସାଧାରଣ ନାଗରିକ ଓ ପୋଲିସଙ୍କ ମଧ୍ୟରେ ମୁହାଁମୁହିଁ ସ୍ଥିତି ଉପୁଜିଛି। ସେଣ୍ଟ୍ରାଲ ଚାଇନାରେ ଥିବା କାଭିଡ୍‌-୧୯ ଆଣ୍ଟିଜେନ୍‌ କିଟ୍‌ ନିର୍ମାଣକାରୀ କମ୍ପାନୀ ଜାଇବିଓ ବିନା ନୋଟିସ୍‌ରେ ଅନେକ ଲୋକଙ୍କୁ ଚାକିରିରୁ ବାହାର କରିଥିବାବେଳେ ଏହାକୁ ବିରୋଧ କରି ଶନିବାର କର୍ମଚାରୀମାନେ କମ୍ପାନୀ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଘଟଣା ସମ୍ପର୍କରେ ସୂଚନା ପାଇ ଆନ୍ଦୋଳନ ସ୍ଥଳରେ ପୋଲିସ ପହଞ୍ଚିଥିବାବେଳେ ଉତ୍ତେଜିତ ଲୋକେ ପୋଲିସ ଉପରକୁ ଆକ୍ରମଣ କରିବାକୁ ପଛାଇ ନ ଥିଲେ।

ରାସ୍ତାରେ ଥିବା ଟ୍ରାଫିକ୍‌ କୋନ୍‌, ବାକ୍ସ ଆଦି ସେମାନେ ପୋଲିସ ଉପରକୁ ଫୋପାଡ଼ିବା ଆରମ୍ଭ କରିଥିଲେ। ଘଟଣା ନେଇ ଅନେକ ଭିଡିଓ ଏବେ ସୋସିଆଲ ମିଡିଆରେ ବହୁଳ ପ୍ରସାରିତ ହେବାରେ ଲାଗିଛି। ବିକ୍ଷୋଭର କାରଣ ସ୍ପଷ୍ଟ ହୋଇ ନ ଥିବାବେଳେ କେତେଜଣଙ୍କ ମତରେ କମ୍ପାନୀ ମନଇଚ୍ଛା କର୍ମଚାରୀଙ୍କ ଦରମା କାଟି ଦେଇଥିବାରୁ ଅସନ୍ତୁଷ୍ଟ ଲୋକେ ରାସ୍ତାକୁ ଓହ୍ଲାଇଛନ୍ତି। ରିପୋର୍ଟ ମୁତାବକ ବିକ୍ଷୋଭ ପ୍ରଦର୍ଶନ କରୁଥିବା ଲୋକେ ‘ଆମ ଟଙ୍କା ଫେରାଅ’ କହି ନାରାବାଜି କରୁଥିଲେ। କଡ଼ା ସଂଘର୍ଷ ପରେ ପୋଲିସ ଆନ୍ଦୋଳନକାରୀଙ୍କୁ ଶାନ୍ତ କରିଥିଲା।

Share