Posted inଜାତୀୟ

ଧ୍ରୁବୀକରଣର ପ୍ରୟୋଗଶାଳା

ହାଇଦ୍ରାବାଦ/ନୂଆଦିଲ୍ଲୀ,୩୦ା୧୧: ଡିସେମ୍ବର ୧ରେ ହେବାକୁ ଥିବା ଗ୍ରେଟର ହାଇଦ୍ରାବାଦ ମ୍ୟୁନିସିପାଲ କର୍ପୋରେଶନ (ଜିଏଚ୍‌ଏମ୍‌ସି) ନିର୍ବାଚନ ଉଭୟ ଜାତୀୟ ଓ ଆଞ୍ଚଳିକ ଦଳଗୁଡ଼ିକ ପାଇଁ ଅଗ୍ନିପରୀକ୍ଷା ହୋଇଛି। ହାଇଦ୍ରାବାଦ ତେଲଙ୍ଗାନାର ରାଜଧାନୀ ଓ ଅର୍ଥନୈତିକ ଇଞ୍ଜିନ ହୋଇଥିବାରୁ ନିର୍ବାଚନ ଜିତିବା ପାଇଁ ଶାସକ ତେଲଙ୍ଗାନା ରାଷ୍ଟ୍ର ସମିତି (ଟିଆର୍‌ଏସ୍‌), କଂଗ୍ରେସ, ଅଲ୍‌ ଇଣ୍ଡିଆ ମଜ୍‌ଲିସ୍‌-ଇ-ଇତ୍ତେହାଦୁଲ-ମୁସଲମିନ (ଏଆଇଏମ୍‌ଆଇଏମ୍‌) ପ୍ରାଣପଣେ ଉଦ୍ୟମ କରୁଛନ୍ତି। ବିଶେଷକରି ଭାଜପା ଏବଂ ଏଆଇଏମ୍‌ଆଇଏମ୍‌ ମଧ୍ୟରେ ବାକ୍‌ଯୁଦ୍ଧ ଲଢ଼େଇକୁ ରୋଚକ କରିଛି। ଉଭୟ ପକ୍ଷ ପରସ୍ପରକୁ ଟାର୍ଗେଟ କରି ମତଦାତାଙ୍କୁ ନିଜ ଆଡ଼କୁ ଆକର୍ଷିତ କରିବା ଲାଗି ଗୋଟି ଚଳାଉଛନ୍ତି। ଏଆଇଏମ୍‌ଆଇଏମ୍‌ ଅଧ୍ୟକ୍ଷ ଅସାଦୁଦ୍ଦିନ ଓଓ୍ବାଇସି ଓ ତାଙ୍କ ଭାଇ ଆକବରୁଦ୍ଦିନ ଓଓ୍ବାଇସି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସମେତ ଗୈରିକ ଦଳର ନେତାଙ୍କୁ ଯେଉଁ ଭାଷାରେ ସମାଲୋଚନା କରୁଛନ୍ତି ତାହା ସମସ୍ତଙ୍କୁ ବିସ୍ମିତ କରିଛି। ସବୁଠୁ ବେଶି ଆଶ୍ଚର୍ଯ୍ୟ କରିଛି ଏହି ନିର୍ବାଚନ ପାଇଁ ହାଇଦ୍ରାବାଦରେ ଭାଜପାର କେନ୍ଦ୍ରୀୟ ନେତାମାନଙ୍କ ଗହଳି। ୨୦୨୩ରେ ରାଜ୍ୟରେ ବିଧାନସଭା ନିର୍ବାଚନ ଥିବାରୁ ଭାଜପା ଏହାକୁ ଏକ ଜାତୀୟ ନିର୍ବାଚନ ଭାବେ ଲଢ଼ୁଛି। କର୍ନାଟକ ପରେ ତେଲଙ୍ଗାନା ଦେଇ ଦକ୍ଷିଣ ଭାରତରେ ବଳ ବୃଦ୍ଧି କରିବାକୁ ଚାହୁଁଥିବା ଏହି ଦଳର ରଣନୀତି ଓ ନିକଟରେ ବିହାର ସୀମାଞ୍ଚଳରେ ୫ ଆସନ ହାତେଇଥିବା ଓଓ୍ବାଇସିଙ୍କ ପାର୍ଟି ହିନ୍ଦୁ-ମୁସ୍‌ଲିମ ରାଜନୀତି ଜରିଆରେ ଜିଏଚ୍‌ଏମ୍‌ସି ନିର୍ବାଚନକୁ ଧର୍ମୀୟ ଧ୍ରୁବୀକରଣର ପ୍ରୟୋଗଶାଳାରେ ପରିଣତ କରିଛି।
ପୂର୍ବରୁ କେବେ ଦେଖାଯାଇ ନ ଥିଲା, ଏବେ ତାହା ଦେଖିବାକୁ ମିଳୁଛି। ବୃହତ୍‌ ହାଇଦ୍ରାବାଦ ମହାନଗର ନିଗମ ନିର୍ବାଚନ ପାଇଁ ସ୍ବରାଷ୍ଟ୍ରମନ୍ତ୍ରୀ, ଭାଜପା ମୁଖ୍ୟ, ଭାଜପା ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ, ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ଅନ୍ୟ କେନ୍ଦ୍ରମନ୍ତ୍ରୀମାନେ ପ୍ରଚାର କରୁଛନ୍ତି। ପୂର୍ବରୁ ଦେଶର କୌଣସି ସ୍ଥାନୀୟ ନିର୍ବାଚନରେ ଏଭଳି ହାଇପ୍ରୋଫାଇଲ୍‌ ନେତାଙ୍କ ଏତେ ହାଇଭୋଲ୍ଟେଜ୍‌ ପ୍ରଚାର ଦେଖିବାକୁ ମିଳି ନ ଥିଲା। ଶନିବାର ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା ଓ ଦଳର ହିନ୍ଦୁତ୍ୱ ଚେହେରା ଯୋଗୀ ଆଦିତ୍ୟନାଥ ହାଇଦ୍ରାବାଦରେ ରୋଡ୍‌ ଶୋ’ କରିଥିବାବେଳେ ରବିବାର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହା ପ୍ରଚାର କରିଛନ୍ତି। ଏତେ ସଂଖ୍ୟକ ଭାଜପା ନେତାଙ୍କ ଉପସ୍ଥିତି ଯୋଗୁ ବିଶ୍ୱାସ କରିବା ମୁସ୍କିଲ ହୋଇଯାଇଛି ଯେ, ଏହା କେବଳ ଏକ ମହାନଗର ନିଗମ ନିର୍ବାଚନ।

ବଳ କଷାକଷି କାହିଁକି
ଏଠାରେ ପ୍ରଶ୍ନ ଉଠୁଛି, ଭାଜପା ଜିଏଚ୍‌ଏମ୍‌ସି ନିର୍ବାଚନରେ ଏତେ ବଳ କାହିଁକି ଖଟାଉଛି। ବିଶ୍ଳେଷକଙ୍କ ମତରେ ହାଇଦ୍ରାବାଦ ଦଖଲ କରି ଭାଜପା ଚାରମିନାର ଉପରେ ଚଢ଼ି ତେଲଙ୍ଗାନା ସମେତ ପୂରା ଦକ୍ଷିଣ ଭାରତକୁ କବ୍‌ଜା କରିବାକୁ ରଣନୀତି ପ୍ରସ୍ତୁତ କରିଛି। ଏଇଥିପାଇଁ ଗୈରିକ ଦଳ ହାଇଦ୍ରାବାଦର ନାମ ବଦଳାଇ ‘ଭାଗ୍ୟନଗର’ କରିବାକୁ ଚାହୁଁଛି, ଯାହାକି ଯୋଗୀଙ୍କ ଶନିବାର ଭାଷଣରୁ ସ୍ପଷ୍ଟ ହୋଇଛି। ଅନ୍ୟପକ୍ଷରେ ବିହାରରେ ୫ ଆସନ ଦଖଲ କରିବା ପରେ ଓଓ୍ବାଇସିଙ୍କ ବଳ ବୃଦ୍ଧି ଘଟିଛି। ବିହାର ନିର୍ବାଚନରେ ଏଆଇଏମ୍‌ଆଇଏମ୍‌ ପ୍ରତିଦ୍ୱନ୍ଦ୍ୱିତା କରି ନ ଥିଲେ ମହାମେଣ୍ଟ ସରକାର ଗଠନ କରିଥାଆନ୍ତା। ତେଣୁ ବିରୋଧୀ ଏହାକୁ ‘ଭାଜପାର ବି ଟିମ୍‌’ ଆଖ୍ୟା ଦେଇଥିବାବେଳେ ଏହି କଳଙ୍କ ପୋଛିବା ପାଇଁ ଓଓ୍ବାଇସି ଭ୍ରାତା ଉଦ୍ୟମ କରୁଛନ୍ତି। ଆକବରୁଦ୍ଦିନ ଓଓ୍ବାଇସି ‘ଆମେ ପୂର୍ବତନ ଚା ବାଲା କି ଯୋଗୀ ଫୋଗୀଙ୍କୁ ଡରୁନାହୁଁ’ ବୋଲି କହିବା ଉପରୋକ୍ତ ଯୁକ୍ତିକୁ ଯଥାର୍ଥ ଭାବେ ପ୍ରମାଣିତ କରୁଛି। ଭାଜପାର ଯୁବ ଚେହେରା ତେଜସ୍ବୀ ସୂର୍ଯ୍ୟା କହିଛନ୍ତି, ଓଓ୍ବାଇସିଙ୍କୁ ଭୋଟ ଦେବାର ମାନେ ହେଉଛି ପାକିସ୍ତାନର ଜନକ ମହମ୍ମଦ ଅଲୀ ଜିନ୍ନାଙ୍କୁ ଭୋଟ ଦେବା। ତାଙ୍କ ଦଳ ଓସାମା ବିନ୍‌ ଲାଡେନଙ୍କ ଅଲ୍‌-କାଏଦା ସହ ଜଡ଼ିତ। ଜିଏଚ୍‌ଏମ୍‌ସି ନିର୍ବାଚନରେ ତାଙ୍କୁ ଜିତାଇଲେ ମହାରାଷ୍ଟ୍ର, ପଶ୍ଚିମବଙ୍ଗ ସମେତ ଅନ୍ୟ ରାଜ୍ୟଗୁଡ଼ିକରେ ଓଓ୍ବାଇସିଙ୍କ ଶକ୍ତି ବୃଦ୍ଧି ହେବ। ତେଣୁ ଚଳିତ ନିର୍ବାଚନରେ ଓଓ୍ବାଇସି ଭ୍ରାତାଙ୍କ ଉପରେ ଭାଜପା ସର୍ଜିକାଲ ଷ୍ଟ୍ରାଇକ୍‌ କରିବାକୁ ଯାଉଛି ବୋଲି ଦଳୀୟ ନେତାମାନେ କହୁଛନ୍ତି। ଜବାବରେ ଓଓ୍ବାଇସି କହିଛନ୍ତି, ଭାଜପା ସାମ୍ପ୍ରଦାୟିକ ବିଭେଦ ସୃଷ୍ଟି କରିବା ପାଇଁ ହାଇଦ୍ରାବାଦକୁ ଆସିଥିବାରୁ ଡିସେମ୍ବର ୧ରେ ଭୋଟର ଏହା ଉପରେ ସର୍ଜିକାଲ୍‌ ଷ୍ଟ୍ରାଇକ୍‌ କରିବେ।
ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହା ହାଇଦ୍ରାବାଦରେ ରୋଡ୍‌ ଶୋ’ ବେଳେ ସମ୍ବୋଧିତ କରି କହିଛନ୍ତି, ତେଲଙ୍ଗାନାବାସୀ ଟିଆର୍‌ଏସ୍‌ ଏବଂ ଓଓ୍ବାଇସିଙ୍କ ମେଣ୍ଟକୁ ନେଇ କ୍ଷୁବ୍ଧ। ଏଥର ହାଇଦ୍ରାବାଦର ଭୋଟର ଜଣେ ଭାଜପା ମେୟରଙ୍କୁ ଦେଖିବାକୁ ଚାହାନ୍ତି। ସେମାନେ ସୁଶାସନ ଚାହୁଁଥିବାରୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱ ଉପରେ ଭରସା କରିଛନ୍ତି। ତେବେ ରାଜନୈତିକ ଦଳଗୁଡ଼ିକ ସ୍ଥାନୀୟ ସମସ୍ୟାକୁ ଅଣଦେଖା କରି ସାମ୍ପ୍ରଦାୟିକ ପ୍ରସଙ୍ଗ ଉଠାଉଥିବାରୁ ହାଇଦ୍ରାବାଦ ଭୋଟର କାହାକୁ ବାଛୁଛନ୍ତି ତାହା ଡିସେମ୍ବର ୪ରେ ଗଣତି ପରେ ସ୍ପଷ୍ଟ ହେବ।

ବର୍ତ୍ତମାନ ସ୍ଥିତି ଓ ଭାଜପାର ଆଶା

ଜିଏଚ୍‌ଏମ୍‌ସି ନିର୍ବାଚନରେ ଭୋଟ ଦେବା ପାଇଁ ୧୮ ଲକ୍ଷ ମତଦାତା ରହିଛନ୍ତି। ସେମାନଙ୍କ ମଧ୍ୟରୁ ପ୍ରାୟ ୧୪ ଲକ୍ଷ ହିନ୍ଦୁ ଓ ଅବଶିଷ୍ଟ ୪ ଲକ୍ଷ ଓଲ୍ଡ ସିଟିର ମୁସଲମାନ। ୨୦୧୬ ଜିଏଚ୍‌ଏମ୍‌ସି ନିର୍ବାଚନରେ ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ(କେସିଆର୍‌)ଙ୍କ ଟିଆର୍‌ଏସ୍‌କୁ ୧୫୦ ଆସନ ମଧ୍ୟରୁ ୯୯ ଓ୍ବାର୍ଡରେ ସଫଳତା ମିଳିଥିବାବେଳେ ଏଆଇଏମ୍‌ଆଇଏମ୍‌ ୪୪ ଆସନରେ ବିଜୟୀ ହୋଇଥିଲା। ଭାଜପା ୪, କଂଗ୍ରେସ ୨ ଓ ଚନ୍ଦ୍ରାବାବୁ ନାଇଡୁଙ୍କ ତେଲୁଗୁ ଦେଶମ୍‌ ପାର୍ଟି (ଟିଡିପି) ଗୋଟିଏ ଓ୍ବାର୍ଡରେ ସନ୍ତୁଷ୍ଟ ହୋଇଥିଲା। ଜିଏଚ୍‌ଏମ୍‌ସି ଅଞ୍ଚଳରେ ୪ ଲୋକ ସଭା ଆସନ ଆସୁଛି। ୨୦୧୯ ସାଧାରଣ ନିର୍ବାଚନରେ ଭାଜପା ତେଲଙ୍ଗାନାର ମୋଟ ୨୪ ଆସନ ମଧ୍ୟରୁ ୭ଟିରେ ଜିତିଥିଲା। ସେହିପରି ବିଧାନସଭା ଆସନ କଥା ଦେଖିଲେ ମହାନଗର ନିଗମ ଅଞ୍ଚଳ ପରିସରରେ ୨୪ ନିର୍ବାଚନମଣ୍ଡଳୀ ରହିଛି, ଯାହାକି ତେଲଙ୍ଗାନା ବିଧାନସଭାର ମୋଟ ଆସନ ସଂଖ୍ୟା ୧୨୦ର ୫ ଭାଗରୁ ଭାଗେ। ୨୦୧୮ ବିଧାନସଭା ନିର୍ବାଚନରେ ଭାଜପାକୁ ଗୋଟିଏ ଆସନ ମିଳିଥିବାବେଳେ ଗତ ନଭେମ୍ବରରେ ଡୁବକ୍‌ ନିର୍ବାଚନମଣ୍ଡଳୀରେ ଅନୁଷ୍ଠିତ ଉପନିର୍ବାଚନରେ ଦଳ ବିଜୟୀ ହୋଇଥିଲା। ସାଧାରଣତଃ ଉପନିର୍ବାଚନଗୁଡ଼ିକରେ ଶାସକ ଦଳକୁ ସଫଳତା ମିଳୁଥିବାବେଳେ ଏହି ସିଟ୍‌ରେ ଟିଆର୍‌ଏସ୍‌କୁ ହରାଇବା ପରେ ଭାଜପା ପାଇଁ ନୂଆ ଆଶା ସଞ୍ଚାର ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri