ନୀଳଗିରି,୧୩।୧୧(ପ୍ରଶାନ୍ତ ବିଶ୍ୱାଳ):ଓଡ଼ିଶାର ମାଟି କଳାର ଆକର୍ଷଣ ଟାଣି ଆଣିଛି ବିଦେଶିନୀଙ୍କୁ। ପୋଲାଣ୍ଡ ମହିଳା ମାଗଡାଲେନା କାମିନସ୍କା ଏହି କଳା ଶିକ୍ଷା କରିବାକୁ ଚାଲି ଆସିଛନ୍ତି ବାଲେଶ୍ୱର ଜିଲା ନୀଳଗିରି ଉପଖଣ୍ଡ ଚିନ୍ତାମଣିପୁର ଗ୍ରାମକୁ। ଟେରାକୋଟା ଶିଳ୍ପୀ ରମେଶ ଚନ୍ଦ୍ର ମୁଦୁଲିଙ୍କୁ ନିଜର ଗୁରୁ ଭାବେ ଗ୍ରହଣ କରି ତାଙ୍କ ଘରେ ରହିବା ସହ ପରିବାର ସଦସ୍ୟଙ୍କ ଭଳି ରୋଷେଇ କରୁଛନ୍ତି। ଦୀପାବଳି ମଧ୍ୟ ପାଳନ କରିଛନ୍ତି। ମାଗଡାଲେନା ଜଣେ ଦକ୍ଷ ସେରାମିକ୍ ଆର୍ଟିଷ୍ଟ। ଦିଲ୍ଲୀରେ ଅନୁଷ୍ଠିତ ଟେରାଫେଷ୍ଟ ମେଳାକୁ ଅନେକ ବିଦେଶୀ ପର୍ଯ୍ୟଟକ ଆସିଥାନ୍ତି। ଶିଳ୍ପୀ ରମେଶଙ୍କ ମାଟିରେ ନିର୍ମିତ ମୟୂର କଳାକୃତି ଦେଖି ମାଗଡାଲେନା ବେଶ୍ ଆକର୍ଷିତ ହୋଇଥିଲେ। ସେ ରମେଶଙ୍କଠାରୁ ଏହି କଳା ଶିଖିବାକୁ ଇଚ୍ଛା ପ୍ରକାଶ କରିଥିଲେ। ରମେଶ ମଧ୍ୟ ଖୁସିର ସହ ତାଙ୍କୁ ଶିଖାଇବା ପାଇଁ ସମ୍ମତି ଦେଇଥିଲେ। ସେ ତାଙ୍କ ଗାଁକୁ ଆସି ୫ଦିନ ହେଲା ମାଟି ଶଙ୍ଖ ତିଆରି କଳା ଶିଖୁଛନ୍ତି। ଚିନ୍ତାମଣିପୁର ଗାଁର ପରିବେଶ, ଓଡ଼ିଶାର ପରମ୍ପରା, ସଂସ୍କୃତି ଓ ଐତିହ୍ୟକୁ ସେ ଭଲ ପାଇ ବସିଛନ୍ତି। ଏଠାରେ ମାଟିରେ ବିଭିନ୍ନ ପ୍ରକାର ମାଟି ପାତ୍ର, କଳସ, ଚା କପ୍, ହାତୀ ଘୋଡ଼ା ଓ ମାଟିରେ ତିଆରି ଶଙ୍ଖ ମୂର୍ତ୍ତି ନିର୍ମାଣ ହୋଇଥାଏ। ଏଠାରେ ଗ୍ରାମୀଣ ପରିବେଶ ଏବଂ ଲୋକଙ୍କ ଆପଣାପଣ ତାଙ୍କୁ ବେଶ୍ ପ୍ରଭାବିତ କରିଛି। ଆସନ୍ତାବର୍ଷ ପୁଣି ଆସିବା ପାଇଁ ସେ ଯୋଜନା କରୁଥିବା କହିଛନ୍ତି। ଏଥିସହିତ ପୋଲାଣ୍ଡକୁ ଯିବା ପାଇଁ ସେ ରମେଶଙ୍କୁ ନିମନ୍ତ୍ରଣ କରିଛନ୍ତି, ଯେଉଁଠାରେ ଅନ୍ୟମାନଙ୍କୁ ମଧ୍ୟ ମାଟି ଶଙ୍ଖ ତିଆରି କଳା ଶିଖାଇବାର ସୁଯୋଗ ମିଳିପାରିବ। ଯଦି ଭଗବାନଙ୍କ ଆଶୀର୍ବାଦ ରହିବ, ତେବେ ନିଶ୍ଚିତ ଭାବେ ପୋଲାଣ୍ଡ ଯାଇ ଆମ ଓଡ଼ିଶାର ପାରମ୍ପରିକ ମାଟି କଳାର ପ୍ରଚାର ଓ ପ୍ରସାର କରିବାକୁ ଶିଳ୍ପୀ ରମେଶ ପ୍ରସ୍ତୁତ ଥିବା କହିଛନ୍ତି। ମାଟି କେବଳ ମାଟି ନୁହେଁ, ଏହା ଆମର ପରିଚୟ, ସଂସ୍କୃତି ଓ ପରମ୍ପରା । ଆମ ଗାଁର କଳା ଆଜି ବିଦେଶରେ ନୂଆ ପରିଚୟ ସୃଷ୍ଟି କରିପାରିବ ବୋଲି ରମେଶ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି।