ନୂଆପଡ଼ା,୯ା୫ (ମକାରୁ ବେମାଲ): ନୂଆପଡ଼ା ସଦର ବ୍ଲକ ଚୁଳାଭାଟ ପଞ୍ଚାୟତ ଭଏଁଷାଦାଦର ଗଁାରେ ଥିବା ସର୍ବସାଧାରଣ ପୋଖରୀକୁ କେତେଜଣ ବ୍ୟକ୍ତି ଜବରଦଖଲ କରିଥିବାରୁ ଗ୍ରାମବାସୀ ଏହାକୁ ବିରୋଧ କରିଛନ୍ତି। ଜିଲା ପ୍ରଶାସନକୁ ଅନେକ ଥର ଲିଖିତ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ନ ମିଳିବାରୁ ଶନିବାର ଗଁାରେ ସଭା କରି ଆନ୍ଦୋଳନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ପ୍ରାପ୍ତ ସୂଚନା ଅନୁଯାୟୀ, ଭଏଁଷାଦାଦର ଗଁାର ଦାଦରପଡା, ବରପଦରପଡା, ସେମିଲିଆପଡା ଓ କେନ୍ଦୁପଡାରେ ୧୫୦ରୁ ଊର୍ଦ୍ଧ୍ୱ ପରିବାର ଥିବାବେଳେ ୭ ଶହରୁ ଅଧିକ ଲୋକ ବସବାସ କରୁଛନ୍ତି। ଲୋକଙ୍କ ସୁବିଧା ପାଇଁ ଗ୍ରାମରେ ୧୯୮୭ ମସିହାରେ ୧୧ ଏକର ୫୫ ଡେସିମିଲ ପରିମିତ ସ୍ଥାନରେ ଏକ ସର୍ବସାଧାରଣ ପୋଖରୀ ରାମେଶ୍ୱର ପ୍ରୋଜେକ୍ଟ କୁସୁମକଟା ନିର୍ମାଣ ହୋଇଥିଲା। ଏହି ପୋଖରୀ ପାଣିକୁ ୪ ପଡାର ଲୋକେ ଦୈନିକ ବ୍ୟବହାର କରୁଥିବାବେଳେ ଗୃହପାଳିତ ପଶୁ ଓ ବନ୍ୟଜନ୍ତୁ ପାଣି ପିଇ ତୃଷା ମେଣ୍ଟାଉଥିଲେ ା ବର୍ତ୍ତମାନ ପୋଖରୀ ପାଣି ଶୁଖି ଯାଇଥିବାରୁ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ା ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ ପକ୍ଷରୁ ଗ୍ରାମରେ ପାଇପ୍ ବିଛାଯିବାର ୩-୪ ବର୍ଷ ବିତିଯାଇଥିଲେ ମଧ୍ୟ ଜଳ ଯୋଗାଣ ହୋଇନାହିଁ। ଏପରିସ୍ଥଳେ ଲୋକେ ନଈନାଳରେ ବାଲିକୂଅ କରି ଦୂଷିତ ପାଣି ବ୍ୟବହାର କରୁଛନ୍ତି। ସେପଟେ ପୋଖରୀର କିଛି ଅଂଶକୁ ଗଁାର କେତେଜଣ ବ୍ୟକ୍ତି ପୋତି ଚାଷ କାର୍ଯ୍ୟରେ ବ୍ୟବହାର କରୁଛନ୍ତି ା ଗ୍ରାମବାସୀ ଅନେକଥର ସଭା କରି ମନାକଲା ପରେ ମଧ୍ୟ ସେମାନେ କର୍ଣ୍ଣପାତ କରୁନାହାନ୍ତି। ଏହାର ସମାଧାନ ପାଇଁ ଧରମବନ୍ଧା ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲା। ଏପରି କି ନୂଆପଡ଼ା ଜିଲାପାଳଙ୍କୁ ଲିଖିତ ଜଣାଇବା ସହ ଜିଲାସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିରରେ ୨ ଥର ଗ୍ରାମବାସୀ ଲିଖିତ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ପାଇନାହାନ୍ତି। ତେଣୁ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିବାକୁ ଗ୍ରାମବାସୀ ସଭା କରି ନିଷ୍ପତ୍ତି ନେଇଛନ୍ତି। ଯେତେଦିନ ପର୍ଯ୍ୟନ୍ତ ଦାବି ପୂରଣ ନ ହୋଇଛି ଧାରଣା ଜାରି ରହିବ ବୋଲି କହିଛନ୍ତି ା ସଭାରେ ଭକ୍ତବନ୍ଧୁ ଧରୁଆ, ୱାର୍ଡ ସଭ୍ୟ ଭଗତ ମାଝି, ବିଭିଷଣ ମାଝି, ପଦୁମୁଖ ଶବର, ନରୋତ୍ତମ ରାଉତ, ନେହେରୁଲାଲ ଶବର, ମଙ୍ଗଳୁ ମାଝି, ରାମଲାଲ ରାଉତ, ବିଭିଷଣ ଶବର, ଲକ୍ଷ୍ମୀରାମ ମାଝି, ଦଶରଥ ମାଝି, ହରି ରାଉତ ପ୍ରମୁଖ ଉପସ୍ଥିତ ଥିଲେ।