ପୋଡ଼ମାପେଟା ବେଳାଭୂମି ଅବକ୍ଷୟ, ଭୟରେ ଅଞ୍ଚଳବାସୀ

ଗଞ୍ଜାମ,୨୨ା୮(ବିଦ୍ୟାଧର ସାହୁ): ଦିନକୁ ଦିନ ଅଶାନ୍ତ ହୋଇ ପଡୁଛି ସମୁଦ୍ର। ଉଚ୍ଚ ଲହଡି ଯୋଗୁ କୂଳ ଖାଉଥିବା ବେଳେ ଭୟରେ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ। ଗଞ୍ଜାମ ଜିଲାର ଗଞ୍ଜାମ ବ୍ଲକ ଅନ୍ତର୍ଗତ ଋଷିକୁଲ୍ୟା ମୁହାଣ ପୁରୁଣାବନ୍ଧ ଠାରୁ ପ୍ରୟାଗି ପର୍ଯ୍ୟନ୍ତ ବେଳାଭୂମି ଗତ କିଛି ମାସ ମଧ୍ୟରେ ଦ୍ରୁତ ଗତିରେ ଅବକ୍ଷୟ ହେବାରେ ଲାଗିଛି।

ବିଶେଷକରି କଣ୍ଟିଆଗଡ଼, ନିକଟ ପୋଡ଼ମପେଟା ଗ୍ରାମର ଗୋଟିଏ ପରେ ଗୋଟିଏ ଘର ସମୁଦ୍ର ଗର୍ଭକୁ ଚାଲି ଯାଉଛି। ଯାହାକୁ ନେଇ ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି।

ସମୁଦ୍ର ଉପକୁଳବର୍ତ୍ତୀ ଅଞ୍ଚଳବାସୀ ଏଥିପାଇଁ ଆନ୍ଦୋଳନ କରାଯିବା ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରସାରଣ ପରେ ଜିଲା ପ୍ରଶାସନ ପକ୍ଷରୁ ରୁଦ୍ଧ ଦ୍ୱାର ବୈଠକ କରାଯାଇ ସ୍ଥାୟୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ମିଳିଥିଲା। ଫଳରେ ଆନ୍ଦୋଳନରୁ ଓହରି ଯାଇଥିଲେ ଅଞ୍ଚଳବାସୀ।

କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନ ଥିବା ପୂର୍ବତନ ସରପଞ୍ଚ ଦିଲୀପ କୁମାର ଛୋଟରାଏ ସୂଚନା ଦେଇଛନ୍ତି। ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧି ମଧ୍ୟ ସମୁଦ୍ର କୂଳ ଲଂଘୁଥିବା ଘଟଣାସ୍ଥଳ ବୁଲି ଦେଖିଥିଲେ। ବର୍ତ୍ତମାନ ବର୍ଷାକୁ ନେଇ ଚିନ୍ତାରେ ୬ ଖଣ୍ଡ ଗ୍ରାମବାସୀ। ପ୍ରଶାସନ ନ ଶୁଣିଲେ ଆନ୍ଦୋଳନ କରାଯିବ ବୋଲି ପୂର୍ବତନ ସମିତି ସଭ୍ୟ ଛାୟାକାନ୍ତ ପ୍ରଧାନ, କଣ୍ଟିଆଗଡ଼ ଗ୍ରାମର ରଞ୍ଜିତ ପଲାଇ, ପବିତ୍ର ସ୍ବାଇଁ, ଶିବ ପଲାଇ ଏବଂ ଖଟୁଆକୁଦା ଗ୍ରାମ୍ୟ କମିଟି ପୂର୍ବତନ ସଭାପତି ବୃନ୍ଦାବନ ପ୍ରଧାନ ପ୍ରମୁଖ ଚେତାବନୀ ଦେଇଛନ୍ତି।

Share