ଭୁବନେଶ୍ୱର, ୨୦।୬: ଟାଟା ପାୱାର ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ (ଟିପିସିଓଡିଏଲ) ପକ୍ଷରୁ କଟକସ୍ଥିତ ଟାଟା ପାୱାର ସ୍କିଲ ଡେଭେଲପମେଣ୍ଟ ଇନଷ୍ଟିଚ୍ୟୁଟ (ଟିପିଏସଡିଆଇ)ରେ ପିଏମ ସୂର୍ଯ୍ୟଘର: ମୁଫ୍ତ ବିଜିଲି ଯୋଜନାର ସୋଲାର ଦିଦି କାର୍ଯ୍ୟକ୍ରମ ଅଧୀନରେ କରାଯାଇଥିବା ଓଡ଼ିଶାର ପ୍ରଥମ ସୋଲାର ହେଲ୍ପର ପ୍ରଶିକ୍ଷଣ ବ୍ୟାଚର ପ୍ରଶିକ୍ଷଣ କାର୍ଯ୍ୟ ସଫଳତାର ସହ ଶେଷ ହୋଇଛି। ସୋଲାର ଦିଦି କାର୍ଯ୍ୟକ୍ରମ କେନ୍ଦ୍ର ସରକାରଙ୍କ ନୂତନ ଏବଂ ନବୀକରଣଯୋଗ୍ୟ ଶକ୍ତି ମନ୍ତ୍ରାଳୟ (ଏମଏନଆର୍ଇ) ଏବଂ ଗୃହନିର୍ମାଣ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରାଳୟର ଏକ ଯୌଥ କାର୍ଯ୍ୟକ୍ରମ ଭାବେ ଦୀନଦୟାଲ ଅନ୍ତ୍ୟୋଦୟ ଯୋଜନା – ଜାତୀୟ ସହରାଞ୍ଚଳ ଆଜୀବିକା ମିଶନ ଅଧୀନରେ କାର୍ଯ୍ୟକାରୀ କରାଯାଉଛି।
କଟକ ମହାନଗର ନିଗମ (ସିଏମ୍ସି) ଦ୍ୱାରା ଚିହ୍ନଟ ହୋଇଥିବା ଦୀନଦୟାଲ ଅନ୍ତ୍ୟୋଦୟ ଯୋଜନା – ଜାତୀୟ ସହରାଞ୍ଚଳ ଆଜୀବିକା ମିଶନ ଅଧୀନରେ ସୱୟଂ ସହାୟକ ଗୋଷ୍ଠୀ (ଏସଏଚ୍ଜି)ର ୨୯ ଜଣ ମହିଳା ପ୍ରତିନିଧି ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏହି ଅଂଶଗ୍ରହଣକାରୀମାନଙ୍କୁ ରୁଫ୍ଟପ ସୋଲାର ପ୍ରଣାଳୀର ବୈଷୟିକ ଜ୍ଞାନ ପ୍ରଦାନ କରାଯିବା ସହିତ ସ୍ଥାପନ ପ୍ରକ୍ରିୟା, ପରିଚାଳନା ଓ ରକ୍ଷଣାବେକ୍ଷଣ, ଉପଭୋକ୍ତା ସଚେତନତା ଏବଂ ସୌର ଶକ୍ତି ବ୍ୟବହାରର ପ୍ରସାର ବିଷୟରେ ଶିକ୍ଷା ଦିଆଯାଇଛି। ଏହି କାର୍ଯ୍ୟକ୍ରମରେ ସିଟି ଆକ୍ସିଲେରେଟର ପ୍ରୋଗ୍ରାମ (ସିଏପି) ଟିମ ସହାୟତା କରିଥିଲେ। ଏଥିସହିତ ଟାଟା ଟିପିଏସଡିଆଇ ଏହି ସୋଲାର ଦିଦି ଅଭିଯାନର ପ୍ରଶିକ୍ଷଣ ସହଯୋଗୀ ଭାବେ ଦାୟିତ୍ୱ ତୁଲାଇଥିଲା।