କଟକ ସଦର,୨୫ା୮(ସୁଶାନ୍ତ କୁମାର ଜେନା): କଟକ ସଦର ନିର୍ବାଚନ ମଣ୍ଡଳୀରେ ପିଏମ୍ ସୂର୍ଯ୍ୟଘର ଯୋଜନା ଆଖି ଦୃଶିଆ ଅଗ୍ରଗତି ହୋଇପାରୁ ନ ଥିବାରୁ ଉପମୁଖ୍ୟମନ୍ତ୍ରୀ ତଥା ବିଦ୍ୟୁତ୍ ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ କ୍ଷୋଭ ପ୍ରକାଶ କରିଥିଲେ। କଟକ ସଦର ବ୍ଲକ ଅନ୍ତର୍ଗତ ନାନପୁରଠାରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଗତ ୧ ତାରିଖରେ ଆସିଥିବା ବେଳେ ଏଭଳି ମନ୍ତବ୍ୟ ଦେଇଥିଲେ। ଅନେକ ବ୍ୟକ୍ତି ବ୍ୟାଙ୍କଗୁଡ଼ିକ ଋଣ ଦେଉ ନ ଥିବା ପ୍ରସଙ୍ଗ ଉପରେ ପ୍ରଶ୍ନ ଉଠାଇଥିଲେ। ଘରୋଇ ବ୍ୟାଙ୍କ ଋଣ ଦେଉ ନ ଥିବା ବେଳେ କେବଳ ରାଷ୍ଟ୍ରାୟତ ବ୍ୟାଙ୍କ ଋଣ ଦେଉଛନ୍ତି। ମାତ୍ର ସୋଲାର ପ୍ୟାନେଲ ଲାଗିବା ପରେ ସବସିଡି ଅର୍ଥ ଗ୍ରାହକଙ୍କ ଆକାଉଣ୍ଟକୁ ଯାଉଛି। ସେମାନେ ଟଙ୍କା ଉଠାଇ ନେଇ ଆଉ ପରିଶୋଧ କରୁ ନାହାନ୍ତି। ସେଥିପାଇଁ ବ୍ୟାଙ୍କ ମାନେ ଆଉ ଋଣ ଦେବାପାଇଁ ଆଗ୍ରହ ପ୍ରକାଶ କରୁ ନାହାନ୍ତି। ତେଣୁ ଏହାର ସମାଧାନ ପାଇଁ ଋଣ ଦେଇଥିବା ବ୍ୟାଙ୍କ ପାଖକୁ ଯଦି ସବ୍ସିଡି ଅର୍ଥ ଚାଲି ଯାଆନ୍ତା ତାହାହେଲେ ସେମାନେ ଋଣ ମଞ୍ଜୁର ପାଇଁ ଆଉ ପଛଘୁଞ୍ଚା ଦେଉ ନ ଥାନ୍ତେ। ବର୍ତ୍ତମାନ ୩ କିଲୋଓ୍ବାଟ୍ ପାଇଁ ୧ ଲକ୍ଷ ୩୮ ହଜାର ଟଙ୍କା ଓ ୨ କିଲୋୱାଟ ପାଇଁ ୧ଲକ୍ଷ ୧୦ ହଜାର ଟଙ୍କା ସବସିଡି ସରକାର ଦେଉଛନ୍ତି। ଏତଦ୍ବ୍ୟତୀତ ୧ କିଲୋଓ୍ବାଟ ପାଇଁ ମାତ୍ର ୧୮୭୫ ଟଙ୍କା ଦେବାକୁ ପଡ଼ୁଛି। ମନ୍ତ୍ରୀ ସିଂହଦେଓ ଏହା ଉପରେ ବିଚାର କରିବେ ବୋଲି ନାନପୁରଠାରେ ବିଦ୍ୟୁତ୍ ଉପଭୋକ୍ତାମାନଙ୍କୁ ପ୍ରତିଶ୍ରୁତି ଦେଇ ଚାଲିଗଲେ। କେବେ ଏହାର କାର୍ଯ୍ୟକାରୀ ହେବ ତାକୁ ସମସ୍ତଙ୍କର ଅପେକ୍ଷା । ଏବେ ସୁଦ୍ଧା ୨୧୧ ଜଣ ବିଦ୍ୟୁତ୍ ଉପଭୋକ୍ତା ଋଣ କରି ସୋଲାର ପ୍ୟାନେଲ ଲଗାଇ ସବସିଡି ପାଇଥିଲେ। ମାତ୍ର ସବସିଡି ଅର୍ଥ ନେଇ ଖର୍ଚ୍ଚ କରିଦେଲେ। ଆଉ ଋଣ ପରିଶୋଧ କରୁ ନ ଥିବାରୁ ବ୍ୟାଙ୍କଗୁଡ଼ିକ ଆଶଙ୍କା ମଧ୍ୟରେ ରହିଛନ୍ତି।