‘ଭାରତୀୟ ପାରମ୍ପରିକ କ୍ରୀଡ଼ା ମହୋତ୍ସବ’କୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

କୋରାପୁଟ,୨୪।୪(ସ୍ବ.ପ୍ର.): କୋରାପୁଟସ୍ଥିତ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ଆୟୋଜିତ ଭାରତୀୟ ପାରମ୍ପରିକ କ୍ରୀଡ଼ା ମହୋତ୍ସବକୁ ପ୍ରଶଂସା କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟୁଇଟ୍‌ କରିଛନ୍ତି। ଭାରତବର୍ଷର ସମୃଦ୍ଧ କ୍ରୀଡ଼ା ପରମ୍ପରା ଓ ତାହାର ବିବିଧତା ସମ୍ପର୍କରେ ସଚେତନତା ବାର୍ତ୍ତା ପ୍ରସାରଣ ନିମନ୍ତେ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ନେଇଥିବା ପଦକ୍ଷେପ ଅତ୍ୟନ୍ତ ପ୍ରଶଂସା ଯୋଗ୍ୟ ବୋଲି ସେ ନିଜ ଟୁଇଟ୍‌ରେ ଉଲ୍ଲେଖ କରିଛନ୍ତି।
ଅପ୍ରେଲ ୨୦ରୁ ୨୨ ତାରିଖ ପର୍ଯ୍ୟନ୍ତ ବିଶ୍ୱବିଦ୍ୟାଳୟ ପରିସରରେ ଏହି ‘ଭାରତୀୟ ପାରମ୍ପରିକ କ୍ରୀଡ଼ା ମହୋତ୍ସବ’ ଆୟୋଜିତ ହୋଇଥିଲା। ଏହାକୁ କେନ୍ଦ୍ର ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ସୁଭାଷ ସରକାର ଉଦ୍‌ଘାଟନ କରିଥିଲେ। ସେ ଏ ନେଇ ଏକ ଟୁଇଟ୍‌ କରି ବିଶ୍ୱବିଦ୍ୟାଳୟ ପଦକ୍ଷେପକୁ ପ୍ରଶଂସା କରିଥିଲେ। ପ୍ରଧାନମନ୍ତ୍ରୀ ତାହାକୁ ରିଟୁଇଟ୍‌ କରିଛନ୍ତି। ଏହି ଟୁଇଟ୍‌ ପରେ ବିଶ୍ୱବିଦ୍ୟାଳୟର କୁଳପତି ପ୍ର. ଚକ୍ରଧର ତ୍ରିପାଠୀ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ଡା. ସୁଭାଷ ସରକାରଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି।