Categories: ଜାତୀୟ

ମୋଦିଙ୍କ ସହ ଏକାଠି ମଞ୍ଚରେ ବସିବେ ନାହିଁ ଦିଦି

କୋଲକାତା,୭ ।୨: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ବିରୋଧ କରି ଭାରତୀୟ ଜନତା ପାର୍ଟି(ଭାଜପା) ରାଷ୍ଟ୍ରିୟ ଅଧ୍ୟକ୍ଷ ଜେବି ନଡ୍ଡା ଫେରିବାର ୨୪ ଘଣ୍ଟା ନ ପୁରୁଣୁ ପୁଣିଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗ ଗସ୍ତ କରିଛନ୍ତି । ଫଳରେ ପାଖେଇ ଆସୁଥିବା ବିଧାନସଭା ନିର୍ବାଚନକୁ ନେଇ ପଶ୍ଚିମବଙ୍ଗ ରାଜନୈତୀକ ବାତାବରଣର ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି । ମୋଦି ରବିବାର ଦ୍ୱିପ୍ରହରରେ ସିଧା ଆସାମରୁ ଆସି ପଶ୍ଚିମବଙ୍ଗର ହଲଦିଆରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି । ୧୫ ଦିନ ପୂର୍ବରୁ ମୋଦି ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତି ଅବସରରେ ପଶ୍ଚିମବଙ୍ଗ ଗସ୍ତ କରିଥିବା ବେଳେ ଏବେ ଯେଉଁ ଗସ୍ତ କରୁଛନ୍ତି ତାହା ତାଙ୍କର ପ୍ରଥମ ନିର୍ବାଚନି ଗସ୍ତ ବୋଲି କୁହାଯାଉଛି । ହଲଦିଆରେ ପାଦ ରଖୁ ରଖୁ ମୋଦି ମା’, ମାଟି ଓ ମାନୁଷଠାରୁ ନେଇ ପଶ୍ଚିମବଙ୍ଗର ସଂସ୍କୃତି କଥା ଉଠାଇବା ସହ ଏକ ଜନସଭାକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି । ଏହି ଜନସଭାରେ ପ୍ରାୟ ୨ ଲକ୍ଷ ଲୋକ ହେବେ ବୋଲି ଭାଜପା ପକ୍ଷରୁ ଦାବି କରାଯାଇଛି । ଏହା ପୂର୍ବରୁ ମୋଦି ଟୁଇଟ୍ କରି କହିଛନ୍ତି, ମୁଁ ହଳଦିଆରେ ରହିବି, ସେଠାରେ ବିପିସିଏଲ୍ ଦ୍ୱାରା ନିର୍ମାଣ କରାଯାଇଥିବା ଏଲ୍‌ପିଜି ଇମ୍ପୋର୍ଟ ଟର୍ମିନାଲକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିବି, ଏହାସହ ଉର୍ଜା ଗଙ୍ଗା ପ୍ରୋଜେକ୍ଟ ଅଧିନରେ ଦୋଭି-ଦୁର୍ଗାପୁର ନ୍ୟାଚୁରାଲ ଗ୍ୟାସ ପାଇପଲାଇନ ସେକସନ୍‌କୁ ବି ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିବି । ତେବେ ଏସବୁ କାର୍ଯ୍ୟକ୍ରମ ମଧ୍ୟରେ ସରକାରୀ ପ୍ରୋଟୋକଲ ଅନୁଯାୟୀ ପ୍ରଧାନମନ୍ତ୍ରୀଙ୍କ ସଭାରେ ଉପସ୍ଥିତ ରହିବା ଲାଗି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ନିମନ୍ତ୍ରଣ ମିଳିଥିଲେ ବି ସେ କୁଆଡେ ଉପସ୍ଥିତ ରହିବେ ନାହିଁ ବୋଲି କହିଛନ୍ତି । ସୂଚନାଯୋଗ୍ୟ, ମୋଦି ଯେତେବେଳେ ସୁଭାଷ ବୋଷଙ୍କ ୧୨୫ ତମ ଜୟନ୍ତି ସମୟରେ କୋଲକାତା ଯାଇଥିଲେ ସେତେବେଳେ ମମତା ତାଙ୍କ ମଞ୍ଚରେ ଉପସ୍ଥିତ ଥିଲେ । ହେଲେ କାର୍ଯ୍ୟକ୍ରମ ଚାଲୁଥିବା ସମୟରେ ସାଧାରଣ ଜନତା ‘ଜୟ ଶ୍ରୀରାମ’ ସ୍ଲୋଗାନ ଦେଇଥିଲେ । ଯାହା ମମତାଙ୍କୁ ଆଦୌ ପସନ୍ଦ ନ ଥିଲା । ସେ ସେହିଠାରେ ହିଁ କହିଥିଲେ ମଞ୍ଚକୁ ଡାକି ଏମିତି ଅପମାନ ଦେବା ଠିକ୍ ନୁହେଁ । ତେଣୁ ଏଥର ନିମନ୍ତ୍ରଣ ମିଳିଥିଲେ ବି ରାଗି ଯାଇ ଦିଦି ମୋଦିଙ୍କ ମଞ୍ଚରେ ଉପସ୍ଥିତ ରହିବେ ନାହିଁ ବୋଲି କୁହାଯାଉଛି ।

Share