Categories: ଜାତୀୟ

ସମାଜବାଦୀ ପାର୍ଟିକୁ ଟାର୍ଗେଟ କଲେ ମୋଦି

କାନପୁର,୨୮।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର କାନପୁର ମେଟ୍ରୋ ରେଳ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ କାନପୁର ବ୍ୟବସାୟୀ ପୀୟୂଷ ଜୈନ୍‌ଙ୍କ ଘରୁ ଜବତ ହୋଇଥିବା କୋଟି କୋଟି ଟଙ୍କାକୁ ନେଇ ପ୍ରଧାନମନ୍ତ୍ରୀ ବିରୋଧୀଙ୍କୁ ଟାର୍ଗେଟ କରିଥିଲେ। ସେ ବିଶେଷ ଭାବରେ ସମାଜବାଦୀ ପାର୍ଟି ଏବଂ ଅଖିଳେଶ ଯାଦବଙ୍କ ନାଁ ନ ନେଇ ବର୍ଷିଥିଲେ।
କାନପୁରର ପରଫ୍ୟୁମ୍‌ ବ୍ୟବସାୟୀଙ୍କ ଘରେ ହୋଇଥିବା ଚଢାଉ ସମ୍ପର୍କରେ ପ୍ରଧାନମନ୍ତ୍ରୀ କହିଛନ୍ତି, ମୁଁ ଭାବୁଥିଲି ଅତୀତରେ ନୋଟ ଭର୍ତ୍ତି ବାକ୍ସ ମିଳିବା ପରେ ମଧ୍ୟ ଏହି ଲୋକମାନେ କହିବେ ଯେ ଆମେ ଏହା କରିଛୁ, ଆପଣ କାନପୁରର ତେଣୁ ଏଠାକାର ବ୍ୟବସାୟକୁ ଭଲ ଭାବରେ ବୁଝନ୍ତି। ଯେଉଁ ଦଳର ଅର୍ଥନୈତିକ ନୀତି ଦୁର୍ନୀତି ହୋଇଛି, ସେମାନେ ୟୁପି ବିକାଶ କରିପାରିବେ ନାହିଁ। ୨୦୧୭ ପୂର୍ବରୁ ସମଗ୍ର ୟୁପିରେ ଛିଞ୍ଚିଥିବା ଦୁର୍ନୀତିର ସୁଗନ୍ଧ ପୁଣି ସମସ୍ତଙ୍କ ସାମ୍ନାରେ ଆସିଛି, କିନ୍ତୁ ଏବେ ସେ(ଅଖିଳେଶ ଯାଦବ) ପାଟି ବନ୍ଦ କରି ବସିଛନ୍ତି। ଶ୍ରେୟ ନେବାକୁ ଆଗକୁ ଆସୁନାହାଁନ୍ତି। ନୋଟର ପର୍ବତ ହେଉଛି ସେମାନଙ୍କର ସଫଳତା, ଏହା ହେଉଛି ସେମାନଙ୍କର ସତ୍ୟ, ୟୁପିର ଲୋକମାନେ ସବୁ ଦେଖୁଛନ୍ତି, ସମସ୍ତେ ବୁଝୁଛନ୍ତି ସେମାନେ ଉଚିତ୍‌ ଜବାବ ଦେବେ ବୋଲି ମୋଦି କହିଛନ୍ତି।
ସୂଚନାଯୋଗ୍ୟ, ଅତର ବ୍ୟବସାୟୀ ପୀୟୂଷ ଜୈନ ପର୍ବତ ସମ କଳା ଟଙ୍କାର ମାଲିକ ଥିଲେ। ତାଙ୍କ ଘରେ ଆୟକର ବିଭାଗ ପକ୍ଷରୁ ଚଢାଉ କରାଯାଇଥିଲା। ତାଙ୍କର ୨୫୭ କୋଟି ଟଙ୍କା ସମ୍ପତ୍ତି ଜବତ କରାଯାଇଥିଲା। ସମାଜବାଦୀ ପାର୍ଟି ସହିତ ତାଙ୍କ ଲିଙ୍କ୍‌ ଥିବା ଚର୍ଚ୍ଚା ହେଉଛି।

Share