Categories: ଜାତୀୟ

ରୁଷିଆ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ୟୁରୋପ ଗସ୍ତ କରିବେ ମୋଦି

ନୂଆଦିଲ୍ଲୀ,୨୭।୪: ଚଳିତ ବର୍ଷର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଥମ ବୈଦେଶିକ ଗସ୍ତର କାର୍ଯ୍ୟସୂଚୀ ସାମ୍ନାକୁ ଆସିଛି। ରୁଷିଆ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦି ମେ’ ୨ରୁ ୪ ପର୍ଯ୍ୟନ୍ତ ୟୁରୋପ ଗସ୍ତ କରିବେ। ଏନେଇ ବୁଧବାର ବର୍ହିବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି। ଏହି ଗସ୍ତ ସମୟରେ ମୋଦି ଜର୍ମାନୀ, ଡେନମାର୍କ ଓ ଫ୍ରାନ୍ସ ଯିବେ। ଏହି ସମୟରେ ସେ ଉକ୍ତ ଦେଶର ମୁଖ୍ୟମାନଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ସୂଚନା ମୁତାବକ, ମୋଦି ଜର୍ମାନୀରେ ଚାନ୍ସଲର ଓଲାଫ ସ୍କୋଲଜଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ। ଏତଦ୍‌ବ୍ୟତୀତ ସେ ଭାରତ ଏବଂ ଜର୍ମାନୀ ମଧ୍ୟରେ ଷଷ୍ଠ ଅନ୍ତ-ସରକାରୀ ବୈଠକରେ ମଧ୍ୟ ଭାଗ ନେବେ। ଜର୍ମାନୀ ପରେ ଡେନମାର୍କର ପ୍ରଧାନମନ୍ତ୍ରୀ ମ୍ୟାଟ ଫ୍ରେଡେରିକ୍‌ସେନ୍‌ ନିମନ୍ତ୍ରଣକ୍ରମେ ପ୍ରଧାନମନ୍ତ୍ରୀ ମୋଦି କୋପେନହାଗେନ ଗସ୍ତ କରିବେ। ଯେଉଁଠାରେ ସେ ଦ୍ୱିତୀୟ ଭାରତ-ନର୍ଡିକ ସମ୍ମିଳନୀରେ ଅଂଶଗ୍ରହଣ କରିବେ। ତେବେ ମେ’୪ରେ ଭାରତ ଫେରିବା ପୂର୍ବରୁ ମୋଦି ଫ୍ରାନ୍ସରେ ଦ୍ୱିତୀୟ ଥର ପାଇଁ ରାଷ୍ଟ୍ରପତି ନିର୍ବାଚିତ ହୋଇଥିବା ଇମାନୁଏଲ ମାକ୍ରୋନ୍‌ଙ୍କୁ ଭେଟିବେ ବୋଲି ସୂଚନା ରହିଛି। ନିର୍ବାଚନରେ ବିଜୟ ପରେ ମାକ୍ରୋନଙ୍କୁ ଭେଟିଥିବା ନେତାଙ୍କ ମଧ୍ୟରେ ମୋଦି ହେଉଛନ୍ତି ପ୍ରଥମ। ଅନ୍ୟପଟେ ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ୟୁରୋପ ଗସ୍ତକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି। କାରଣ ରୁଷିଆ ଉପରେ ନିଜର ନିର୍ଭରଶୀଳତା ହ୍ରାସ କରିବାକୁ ୟୁରୋପ କ୍ରମାଗତ ଭାବେ ଭାରତକୁ କହିଆସୁଛି। ଏତଦ୍‌ବ୍ୟତୀତ ରୁଷିଆ-ୟୁକ୍ରେନ ଯୁଦ୍ଧ ବନ୍ଦ କରିବାରେ ଭାରତ ଯଦି ମଧ୍ୟସ୍ଥତା କରେ ତେବେ ତାଙ୍କର କୌଣସି ଆପତ୍ତି ନାହିଁ ବୋଲି ପୂର୍ବରୁ ରୁଷିଆର ବୈଦେଶିକ ମନ୍ତ୍ରୀ ସର୍ଗୋଇ ଲାଭରୋଭ କହିସାରିଛନ୍ତି। ଏଭଳି ପରିସ୍ଥିତିରେ ପ୍ରଧାନମନ୍ତ୍ରୀ ଏହି ୩ଟି ଦେଶ ସହିତ ସଙ୍କଟର ସମାଧାନ ପାଇଁ ଆଲୋଚନା କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି।

Share