Categories: ଜାତୀୟ

ମୋଦିଙ୍କ ରାଲିକୁ ନେଇ ବ୍ୟାପକ ପ୍ରସ୍ତୁତି: ହେଲେ ସାମାଜିକ ଦୂରତା ଭୁଲିଗଲେ ସମର୍ଥକ!

ପାଟନା,୨୩ ।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିହାର ବିଧାନସଭା ନିର୍ବାଚନ ପାଇଁ ପ୍ରଚାର କାର୍ଯ୍ୟ ଆରମ୍ଭ କରି ଦେଇଛନ୍ତି । ଶୁକ୍ରବାର ସେ ବିହାରର ସାସାରାମରେ ପ୍ରଥମ ରାଲିରେ ଯୋଗ ଦେଇଛନ୍ତି । କରୋନା ମହାମାରୀ ସମୟରେ ମୋଦିଙ୍କର ଏହା ପ୍ରଥମ ନିର୍ବାଚନ ରାଲି । ତେବେ କରୋନା ମହାମାରୀକୁ ଦୃଷ୍ଟିରେ ରଖି ସଭାସ୍ଥଳରେ ସମସ୍ତ ବ୍ୟବସ୍ଥା କରାଯାଇଥିଲା । ଏମିତିକି ମଞ୍ଚ ଉପରେ ମଧ୍ୟ ନେତାମାନେ ସାମାଜିକ ଦୂରତା ବଜାୟ ରଖିବେ ବୋଲି ବ୍ୟବସ୍ଥା କରାଯାଇଥିଲା । ପ୍ରଧାନମନ୍ତ୍ରୀ ମୋଦି ମଞ୍ଚ ଉପରେ ମାସ୍କ ପିନ୍ଧି ବସିଥିବା ବେଳେ ଯେତେବେଳେ ଜନତାଙ୍କୁ ସମେ୍‌ାଧିତ କଲେ ସେତେବେଳେ ସେ ମାସ୍କ ଖୋଲି ଦେଇଥିଲେ । ଆଉ ଏହାପରେ ଭାରତୀୟ ଜନତା ପାର୍ଟି(ଭାଜପା) କର୍ମୀ ତଥା ମୋଦିଙ୍କ ସମର୍ଥକ ଏତେ ଉତ୍ସାହିତ ହୋଇ ପଡିଥିଲେ ଯେ କରୋନା କଥା ଏକବାର ଭୁଲି ଯାଇଥିଲେ । ବିଭିନ୍ନ ନିର୍ବାଚନ ମଣ୍ଡଳୀରୁ ଆସିଥିବା ଜନତାଙ୍କ ପାଇଁ ସମାଜିକ ଦୂରତା ବଜାୟ ରଖି ଚୌକି ବ୍ୟବସ୍ଥା କରାଯାଇଥିଲା । ହେଲେ ମୋଦିଙ୍କ ଭାଷଣ ଆରମ୍ଭ ହେବା ପରେ ମୋଦି ମୋଦି ସ୍ଲୋଗାନ ଦେଇ ଅଧିକାଂଶ ଲୋକେ ଚୌକି ଛାଡି ଏକାଠି ହୋଇ ଯାଇଥିଲେ । ଏମାନଙ୍କ ମଧ୍ୟରୁ ଅନେକେ ମାସ୍କ ପିନ୍ଧି ନ ଥିବା ମଧ୍ୟ ଦେଖାଯାଇଥିଲା । ସୂଚନାଯୋଗ୍ୟ, ମୋଦିଙ୍କ ରାଲି ପାଇଁ ବହୁ ପ୍ରକାର ବନ୍ଦୋବସ୍ତ କରାଯାଇଥିବା ବେଳେ ବିଶେଷ ଭାବେ ସାମଜିକ ଦୂରତାକୁ ଗୁରୁତ୍ୱ ଦିଆଯିବା ସହ ତାଙ୍କ ଭାଷଣକୁ ଡିଜିଟାଲି ଲୋକଙ୍କ ପାଖରେ ପହଞ୍ଚାଇବାର ବ୍ୟବସ୍ଥା ମଧ୍ୟ କରାଯାଇଥିଲା । ଏବେ ପରେ ବି ଶେଷରେ କରୋନା କଟକଣାକୁ ଭାଜପା କର୍ମୀ ଉଲ୍ଲଂଘନ କରିଥିବା ଦେଖାଯାଇଛି ।

Share