ବାଇଡେନ ଦମ୍ପତିଙ୍କୁ ସ୍ବତନ୍ତ୍ର ବ୍ରୋଚ୍‌ ଉପହାର ଦେଲେ ମୋଦି

ବର୍ଲିନ,୨୮।୬: ଜର୍ମାନୀର ଏଲ୍‌ମାଉଠାରେ ଆୟୋଜିତ ହେଉଥିବା ଜି-୭ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗଦେଇଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ସମସ୍ତ ଦେଶର ନେତାଙ୍କ ପାଇଁ ଭାରତର ଭଳିକି ଭଳି ଅନନ୍ୟ ଉପହାର ନେଇଥିଲେ। ଛତିଶଗଡ଼ରୁ ନନ୍ଦୀ-ଥିମ ଡୋକରା କଳାକୁ ଆର୍ଜେଣ୍ଟିନା ରାଷ୍ଟ୍ରପତି ଆଲବର୍ଟୋ ଫର୍ନାଡିଜ୍‌ଙ୍କୁ ମୋଦି ଭେଟି ଦେଇଛନ୍ତି। ଏହି ବିଶେଷ କଳାକୃତି ହେଉଛି ‘ନନ୍ଦୀ-ଦ ମେଡିଟେଟିଭ ବୁଲ’। ସେହିପରି ଦକ୍ଷିଣ ଆଫ୍ରିକାର ରାଷ୍ଟ୍ରପତି ସିରିଲ ରାମଫୋସାଙ୍କୁ ପ୍ରଧାନମନ୍ତ୍ରୀ ଏକ ରାମାୟଣ ଥିମ ଡୋକରା ଭେଟି କରିଛନ୍ତି। ଏହି କଳା ମଧ୍ୟ ଛତିଶଗଡ଼ର। ଏଥିସହ ମୋଦି ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ବାରାଣସୀରୁ ଗୋଲାପୀ ରଙ୍ଗର ମୀନା ଲାଗିଥିବା ଏକ ବ୍ରୋଚ ଉପହାର ଦେଇଥିବା ଜଣାପଡ଼ିଛି। ପ୍ରଧାନମନ୍ତ୍ରୀ ମୋଦି ବାଇଡେନ ଦମ୍ପତିଙ୍କୁ ତାଙ୍କ ପରି ଏକ ସମାନ ବ୍ରୋଚ ପ୍ରସ୍ତୁତ କରିଥିଲେ। ସେହିଭଳି ନିଜାମବାଦରୁ ଜାପାନର ପ୍ରଧାନମନ୍ତ୍ରୀ ଫୁମିଓ କିଶିଡାଙ୍କୁ ସ୍ବତନ୍ତ୍ର ମାଟିପାତ୍ର ଉପହାର ଦେଇଥିବା ବେଳେ ଲକ୍ଷ୍ନୌର ଏକ ସ୍ବତନ୍ତ୍ର ଜରଡୋସି ବାକ୍ସରେ ମୋଦି ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନଙ୍କୁ ସୁଗନ୍ଧିତ ଇତର ବୋତଲ ଉପହାର ଦେଇଛନ୍ତି। ଜରଡୋସି ବାକ୍ସରେ ଫ୍ରାନ୍ସର ଜାତୀୟ ପତାକା ରଙ୍ଗରେ ଖାଦି ରେଶମ ହସ୍ତକଳାରେ ସଜାଯାଇଥିଲା।

Share