Categories: ଜାତୀୟ

ଚାରି ଦିନ ମଧ୍ୟରେ ତୃତୀୟ ଥର ପଞ୍ଜାବ ଗସ୍ତ କରିଛନ୍ତି ମୋଦି

ଚଣ୍ଡିଗଡ଼,୧୭ ।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ପଞ୍ଜାବ ଗସ୍ତ କରିଛନ୍ତି । ୪ ଦିନ ମଧ୍ୟରେ ତୃତୀୟଥର ଲାଗି ସେ ପଞ୍ଜାବ ଗସ୍ତ କରିଛନ୍ତି । ଅବୋହରରେ ମୋଦି ଏକ ଜନସଭାକୁ ଉଦବୋଧନ ଦେବା ଅବସରରେ କଂଗ୍ରେସ ଉପରେ ଖୁବ୍ ବର୍ଷିଛନ୍ତି । ସେ କହିଛନ୍ତି ପଞ୍ଜାବ ଏବେ ଡବଲ ଇଞ୍ଜିନବାଲା ସରକାର ଚାହୁଁଛି । ଅବୋହରର ନୂଆ ଶସ୍ୟ ମଣ୍ଡିରେ ଏହି ଜନସଭା ଆୟୋଜିତ ହୋଇଛି । ସେ କହିଛନ୍ତି ପଞ୍ଜାବରେ ଯଦି ଭାରତୀୟ ଜନତା ପାର୍ଟି(ଭାଜପା) ସରକାର ଆସେ ତେବେ ମାଫିଆ ବିଦାୟ ନେବେ । ସେ ଜନତାଙ୍କୁ ୫ ବର୍ଷ ସେବା କରିବାର ଅବସର ଦେବାକୁ ଅପିଲ କରିଛନ୍ତି । ସେ କହିଛନ୍ତି ପଞ୍ଜାବକୁ ନୂଆ ଚିନ୍ତାଧାରା ଓ ନୂଆ ଭିଜନ ଥିବା ସରକାର ଦରକାର । ମୋର ଏହା ପଞ୍ଜାବରେ ଶେଷ ସଭା । କିଛିଦିନ ହେବ ମୁଁ ପଞ୍ଜାବର ଭିନ୍ନ ଭିନ୍ନ ସ୍ଥାନ ଯାଇ ସାରିଲେଣି । ସାରା ପଞ୍ଜାବରେ ଏବେ ଗୋଟିଏ କଥା ଶୁଣିବାକୁ ମିଳୁଛି ଭାଜପାକୁ ଜିତାଇବାର ଅଛି, ଏନଡିଏକୁ ଜିତାଇବାର ଅଛି । ମୋଦି ଜନତାଙ୍କୁ କହିଛନ୍ତି ଏବେ କେତେ ରାଜ୍ୟ ଅଛି ସେଠାରେ କଂଗ୍ରେସ ଥରେ ଶାସନ କ୍ଷମତା ହରାଇବା ପରେ ଆଉ ଆସିନି । ତେଣୁ ଭାଜପାକୁ ଯେଉଁଠି ଆଶୀର୍ବାଦ ମିଳିବ କଂଗ୍ରେସର ସେଠାରେ ମୂଳୋତ୍ପାଟନ ହେବ ।

Share