Categories: ଜାତୀୟ

ରାତାରାତି ମନ୍ଦିରରୁ ଉଠିଲା ପ୍ରଧାନମନ୍ତ୍ରୀ ମୋଦିଙ୍କ ଷ୍ଟାଚ୍ୟୁ

ମୁମ୍ବାଇ,୧୯।୮ : ମହାରାଷ୍ଟ୍ରର ପୁଣେରେ ଭାଜପା କର୍ମୀମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏକ ମନ୍ଦିର ନିର୍ମାଣ କରିଥିଲେ। କିନ୍ତୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଆପତ୍ତି ଉଠାଯିବା ପରେ ରାତାରାତି ଗାଏବ ହୋଇଯାଇଛି ମୋଦିଙ୍କ ଷ୍ଟାଚ୍ୟୁ।

ଭାଜପା କର୍ମୀ ତଥା ପ୍ରଧାନମନ୍ତ୍ରୀ ମୋଦିଙ୍କ ବଡ଼ ସମର୍ଥକ ମୟୁର ମୁଣ୍ଡେ (୩୭) ପୁଣେର ଅନ୍ଧଠାରେ ୧.୬୦ ଲକ୍ଷ ଟଙ୍କାରେ ମନ୍ଦିର ନିର୍ମାଣ କରିଥିଲେ। ମୋଦିଙ୍କ ଷ୍ଟାଚ୍ୟୁ ଓ ମନ୍ଦିର ନିର୍ମାଣରେ ଜୟପୁରର ରେଡ୍‌ ମାର୍ବଲ ବ୍ୟବହାର ହୋଇଥିଲା। ”ମୋ ମତରେ ଅଯୋଧ୍ୟାରେ ଯିଏ ରାମ ମନ୍ଦିର ନିର୍ମାଣ କଲା, ତାଙ୍କ ଲାଗି ଏକ ମନ୍ଦିର ରହିବା ଉଚିତ। ଏଣୁ ମୁଁ ମନ୍ଦିର ନିର୍ମାଣ କରିବାକୁ ନିଷ୍ପତ୍ତି ନେଲି“ ବୋଲି ମୁଣ୍ଡେ କହିଛନ୍ତି।

ତିନିବାର ତଲାଖ, କଶ୍ମୀରରୁ ୩୭୦ ଧାରା ଉଚ୍ଛେଦ ଭଳି ପ୍ରଧାନମନ୍ତ୍ରୀ ମୋଦିଙ୍କ ନିଷ୍ପତ୍ତି ପ୍ରେରିତ ହୋଇ ମନ୍ଦିର ନିର୍ମାଣ କରିଥିବା ସ୍ଥାନୀୟ ଜର୍ନାଲିଷ୍ଟଙ୍କୁ ମୁଣ୍ଡେ କହିଥିଲେ।

ଏହି ଖବର ଗଣମାଧ୍ୟମରେ ପ୍ରସାରିତ ହେବା ପରେ ଆପତ୍ତି ଉଠାଇଥିଲା ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ। ଏହାପରେ ରାତାରାତି ମନ୍ଦିରରୁ ଉଠାଇ ନିଆଯାଇଥିଲା ପ୍ରଧାନମନ୍ତ୍ରୀ ମୋଦିଙ୍କ ଷ୍ଟାଚ୍ୟୁ। ଏହି ଷ୍ଟାଚ୍ୟୁ ଏବେ ସ୍ଥାନୀୟ ଭାଜପା କାଉନ୍ସିଲରଙ୍କ ଘରେ ରଖାଯାଇଥିବା ସୂଚନା ମିଳିଛି।

Share