ନୂଆଦିଲ୍ଲୀ,୨୮।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ (X) ରେ ମହିଳା ସଂରକ୍ଷଣ ସମ୍ବନ୍ଧରେ ଏକ ପୋଷ୍ଟ କରିଛନ୍ତି। ସେ ଲେଖିଛନ୍ତି, ‘ଆମେ ଆମର ‘ନାରୀ ଶକ୍ତି’ଙ୍କୁ ଏକ ପ୍ରତିଶ୍ରୁତି ଦେଇଥିଲୁ ଏବଂ ଆମେ ତାହା ପୂରଣ କରିବାକୁ ପ୍ରତିବଦ୍ଧ।’ ଏହା ପୂର୍ବରୁ, ଶୁକ୍ରବାର କେନ୍ଦ୍ର କ୍ୟାବିନେଟର ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଖବର ଅନୁଯାୟୀ, ଏହି ବୈଠକରେ ସୀମା ନିର୍ଦ୍ଧାରଣ (ଡିଲିମିଟେସନ) ପ୍ରକ୍ରିୟା ସହ ଜଡ଼ିତ ଏକ ନୂତନ ମହିଳା ସଂରକ୍ଷଣ ବିଲକୁୁ ଅନୁମୋଦନ ମିଳିଛି। ଆଶା କରାଯାଉଛି ଯେ, ଆସନ୍ତା ସପ୍ତାହରୁ ଆରମ୍ଭ ହେବାକୁ ଥିବା ସଂସଦର ସ୍ବତନ୍ତ୍ର ଅଧିବେଶନରେ ଏହି ବିଲକୁ ଉପସ୍ଥାପନ କରାଯିବ। ସୂତ୍ରରୁ ପ୍ରକାଶ ଯେ, କେନ୍ଦ୍ର କ୍ୟାବିନେଟର ଏହି ସ୍ବତନ୍ତ୍ର ବୈଠକରେ ବିଲଟିକୁ ଅନୁମୋଦନ ପାଇଁ ଉପସ୍ଥାପନ କରାଯାଇଥିଲା।
ବିଶ୍ୱାସ କରାଯାଉଛି ଯେ, କ୍ୟାବିନେଟ କିଛି ସଂଶୋଧନ ସହିତ ଏହି ବିଲକୁ ଅନୁମୋଦନ କରିଛି। ଏହି ସଂଶୋଧନଗୁଡ଼ିକର ଉଦ୍ଦେଶ୍ୟ ହେଉଛି, ସୀମା ନିର୍ଦ୍ଧାରଣ ପ୍ରକ୍ରିୟା ପରେ ଅନ୍ୟ ରାଜ୍ୟଗୁଡ଼ିକ ତୁଳନାରେ ଲୋକ ସଭାରେ ଯେପରି କୌଣସି ରାଜ୍ୟର ପ୍ରତିନିଧିତ୍ୱ ହ୍ରାସ ନ ପାଏ, ତାହା ସୁନିଶ୍ଚିତ କରିବା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ‘ସେବା ତୀର୍ଥ’ ଠାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଏହି ବିଲ ଉପରେ ଆଲୋଚନା କରାଯାଇଥିଲା।
ସୋମବାର (ନଭେମ୍ବର ୩୦, ୨୦୨୬) ରୁ ଆରମ୍ଭ ହେବାକୁ ଥିବା ସଂସଦର ସ୍ବତନ୍ତ୍ର ଅଧିବେଶନରେ ସରକାର ‘ମହିଳା ସଂରକ୍ଷଣ ବିଲ’ (Women’s Reservation Bill) ପାରିତ କରାଇବାକୁ ଲକ୍ଷ୍ୟ ରଖିଛନ୍ତି। ପୂର୍ବରୁ ଏପ୍ରିଲ ମାସରେ ସଂସଦର ଏକ ସ୍ବତନ୍ତ୍ର ଅଧିବେଶନରେ ସରକାର ଏହି ବଲଟିକୁ ଉପସ୍ଥାପନ କରିଥିଲେ, କିନ୍ତୁ ତାହା ଲୋକ ସଭାରେ ଅନୁମୋଦନ ଲାଭ କରିପାରି ନଥିଲା। ବର୍ତ୍ତମାନ ସରକାର ଦାବି କରିଛନ୍ତି ଯେ, ବିଲଟିକୁ ପାରିତ କରାଇବା ପାଇଁ ଆବଶ୍ୟକ ସଂଖ୍ୟକ ସାଂସଦଙ୍କ ସମର୍ଥନ ସେମାନଙ୍କ ପାଖରେ ରହିଛି।
ଏକ ସାମ୍ବିଧାନିକ ସଂଶୋଧନ ବିଲ ପାରିତ କରିବା ପାଇଁ ସଂସଦର ଉଭୟ ଗୃହରେ ଦୁଇ-ତୃତୀୟାଂଶ ସଂଖ୍ୟାଗରିଷ୍ଠତା ଆବଶ୍ୟକ ହୋଇଥାଏ। ସୂତ୍ର ଅନୁଯାୟୀ, ଦ୍ରାବିଡ଼ ମୁନ୍ନେତ୍ର କାଝାଗମ (DMK), ନ୍ୟାସନାଲିଷ୍ଟ କଂଗ୍ରେସ ପାର୍ଟି (NCP) ଏବଂ ଭାରତ ରାଷ୍ଟ୍ର ସମିତି (BRS) ଏହି ବିଲକୁ ସମର୍ଥନ କରିବେ ବୋଲି ଆଶା କରାଯାଉଛି। ତେବେ, ବିରୋଧୀ ଦଳଗୁଡ଼ିକର ‘ଇଣ୍ଡିଆ’ (INDIA) ମେଣ୍ଟ ଏହାର ବିରୋଧ କରୁଛି। ନିଜର ରଣନୀତି ଉପରେ ଆଲୋଚନା କରିବା ପାଇଁ ବିରୋଧୀ ମେଣ୍ଟର ନେତାମାନେ ଶନିବାର ବୈଠକ କରିବେ।