Categories: ଜାତୀୟ

ଜୁଲାଇ ୭ରେ ନିଜ ସଂସଦୀୟ କ୍ଷେତ୍ରକୁ ଗସ୍ତ କରିବେ ମୋଦି

ବାରାଣସୀ,୪।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜୁଲାଇ ୭ ଅର୍ଥାତ୍‌ ଗୁରୁବାର ନିଜର ସଂସଦୀୟ ନିର୍ବାଚନମଣ୍ଡଳୀ ବାରାଣସୀକୁ ଗସ୍ତ କରିବେ। ଏହି ଗସ୍ତ ସମୟରେ ସେ ୧୮୦୦ କୋଟି ଟଙ୍କାର ଅଧିକ ମୂଲ୍ୟର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌ଘାଟନ କରିବେ। ଏହି ପ୍ରକଳ୍ପଗୁଡ଼ିକ ଭିତ୍ତିଭୂମିର ଉନ୍ନତି ଏବଂ ଜୀବନକୁ ସହଜ କରିବା ସହିତ ଜଡିତ ରହିଛି। ସେହିପରି ଅପରାହ୍ନ ୨ଟାରେ ବାରାଣସୀର ଏଲ୍‌ଟି କଲେଜରେ ପ୍ରଧାନମନ୍ତ୍ରୀ ‘ଅକ୍ଷୟ ପାତ୍ର ମଧ୍ୟାହ୍ନ ଭୋଜନ ରୋଷେଇଘର’ର ଉଦ୍‌ଘାଟନ କରିବେ। ଏଥିରେ ଏକ ଲକ୍ଷ ଛାତ୍ରଙ୍କ ପାଇଁ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ କରିବାର କ୍ଷମତା ରହିଛି। ଏନେଇ ସୋମବାର ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ(ପିଏମ୍‌ଓ) ଦ୍ୱାରା ଜାରି କରାଯାଇଥିବା ଏକ ବିବୃତ୍ତିରେ କୁହାଯାଇଛି। ଏଥିସହ ମୋଦି ଅପରାହ୍ନ ୨ଟା ୪୫ରେ ‘ଆନ୍ତର୍ଜାତୀୟ କୋଅପେରେଶନ ଆଣ୍ଡ କନ୍‌ଭେସନ୍‌ ସେଣ୍ଟର’-ରୁଦ୍ରାକ୍ଷର ପରିଦର୍ଶନ କରିବେ। ସେଠାରେ ସେ ଜାତୀୟ ଶିକ୍ଷା ନୀତିର କାର୍ଯ୍ୟକାରିତା ଉପରେ ‘ଅଖିଳ ଭାରତୀୟ ଶିକ୍ଷା ସାମାଗାମ’ର ଉଦ୍‌ଘାଟନ କରିବେ। ଏହାପରେ ଅପରାହ୍ନ ୪ ଟାରେ ପ୍ରଧାନମନ୍ତ୍ରୀ ସିଗ୍ରାସ୍ଥିତ ଡକ୍ଟର ସମ୍ପୂର୍ଣ୍ଣାନନ୍ଦ ସ୍ପୋର୍ଟସ ଷ୍ଟାଡିୟମ ପରିଦର୍ଶନ କରିବେ। ଯେଉଁଠାରେ ସେ ୧,୮୦୦ କୋଟିରୁ ଅଧିକ ମୂଲ୍ୟର ବହୁ ପ୍ରକଳ୍ପର ଉଦ୍‌ଘାଟନ କରିବେ ଏବଂ କେତେକଙ୍କ ଶିଳାନ୍ୟାସ କରିବେ ବୋଲି ବିବୃତ୍ତିରେ ଉଲ୍ଲେଖ କରାଯାଇଛି।

Share