Categories: ଜାତୀୟ

ନିଯୁକ୍ତି ମେଳା: ୭୧,୦୫୬ ନିଯୁକ୍ତି ପତ୍ର ଦେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୨।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ ‘ନିଯୁକ୍ତି ମେଳା’ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଛନ୍ତି। ନିଯୁକ୍ତି ମେଳାରେ ପ୍ରଧାନମନ୍ତ୍ରୀ ୭୧,୦୫୬ ନିଯୁକ୍ତି ପତ୍ର ବଣ୍ଟନ କରିଥିଲେ। ନିଯୁକ୍ତି ମେଳା କାର୍ଯ୍ୟକ୍ରମକୁ ପ୍ରଧାନମନ୍ତ୍ରୀ ମୋଦି ସମ୍ବୋଧିତ କରି କହିଛନ୍ତି, ନିଯୁକ୍ତି ମେଳା ମାଧ୍ୟମରେ ଦେଶର ଯୁବତୀଯୁବକମାନଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିବାର ଏହି ଅଭିଯାନ ଜାରି ରହିବ। ଭାରତ ପରି ଦେଶରେ କୋଟି କୋଟି ଯୁବତୀଯୁବକ ଆମ ଦେଶର ସବୁଠାରୁ ବଡ ଶକ୍ତି। କେନ୍ଦ୍ର ସରକାର ଯୁବପିଢ଼ିଙ୍କ ପ୍ରତିଭା ଏବଂ ଶକ୍ତିକୁ ଅଧିକ ପ୍ରାଧାନ୍ୟ ଦେଉଛନ୍ତି। ବିଭିନ୍ନ ମନ୍ତ୍ରଣାଳୟ ଏବଂ ବିଭାଗରେ ଖାଲିଥିବା ପଦବୀଗୁଡ଼ିକୁ ଦେଢ ବର୍ଷ ମଧ୍ୟରେ ମିଶନ ମୋଡରେ ପୂରଣ କରିବା କେନ୍ଦ୍ର ସରକାରଙ୍କ ପ୍ରୟାସ।
ଗତ ଦୀପାବଳିରେ ଆୟୋଜିତ ନିଯୁକ୍ତି ମେଳାରେ ଦେଶର ବିଭିନ୍ନ ସ୍ଥାନରୁ ମନୋନୀତ ଯୁବତୀଯୁବକମାନଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଥିଲା। ଏଥିମଧ୍ୟରେ ଗ୍ରୁପ-ଏ, ଗ୍ରୁପ-ବି (ଗେଜେଟେଡ), ଗ୍ରୁପ-ବି (ଅଣ-ଗେଜେଟେଡ) ଏବଂ ଗ୍ରୁପ-ସି ନିଯୁକ୍ତି ସହିତ କେନ୍ଦ୍ରୀୟ ସଶସ୍ତ୍ର ବାହିନୀ, ସବ-ଇନ୍ସପେକ୍ଟର, କନଷ୍ଟେବଳ, ଜୁନିଅର କ୍ଲର୍କ (ଏଲଡିସି), ଷ୍ଟେନୋ, ପିଏ, ଟ୍ୟାକ୍ସ ଇନ୍ସପେକ୍ଟର ପଦବୀଗୁଡିକ ସାମିଲ ଥିଲା।

Share