Categories: ଜାତୀୟ

ବୁଚା ନରସଂହାରର ନିନ୍ଦା କଲେ ମୋଦି

ନୂଆଦିଲ୍ଲୀ,୧୨ ।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ମଧ୍ୟରେ ସୋମବାର ଭର୍ଚୁଆଲ ବୈଠକ ହୋଇଛି । ଦୁଇ ନେତାଙ୍କ ମଧ୍ୟରେ ହୋଇଥିବା ଆଲୋଚନା ମଧ୍ୟରେ ସବୁଠାରୁ ଅଧିକ ଗୁରୁତ୍ୱ ରୁଷିଆ-ୟୁକ୍ରେନ୍ ଯୁଦ୍ଧ ଉପରେ ରହିଥିଲା । ଏହି ସମୟରେ ଭାରତ ବୁଚା ନରସଂହାରର ନିନ୍ଦା କରିଛି । ବାଇଡେନ ଓ ମୋଦି ରୁଷିଆ-ୟୁକ୍ରେନ ଯୁଦ୍ଧକୁ ନେଇ ଚିନ୍ତା ପ୍ରକଟ କରିବା ସହ ଏହାକୁ ତୁରନ୍ତ ଶେଷ କରିବାକୁ ଅପିଲ କରିଥିଲେ । ଏହି ଆଲୋଚନା ପରେ ବାଇଡେନ ଟୁଇଟ କରି ସୂଚନା ଦେଇଛନ୍ତି କି ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ କଥା ହେଲା । ଭାରତ ଓ ଆମେରିକା ପ୍ରତିରକ୍ଷା ଓ ପରସ୍ପର ବୁଝାମଣା ବୃଦ୍ଧି ଉପରେ ପ୍ରତିବଦ୍ଧ ।
ଏହି ଭର୍ଚୁଆଲ ବୈଠକ ପରେ ଆଉ ଏକ ବଡ ଖବର ହେଉଛି ରୁଷିଆଠାରୁ ତୈଳ କ୍ରୟକୁ ନେଇ ଭାରତର ନିଷ୍ପତ୍ତିକୁ ଆମେରିକା ନିୟମର ଉଲ୍ଲଂଘନ ବୋଲି ମାନି ନାହିଁ । କୁହାଯାଉଛି କି ଭାରତ ରୁଷିଆଠାରୁ ତେଲ କିଣିଲେ ରୁଷିଆ ଅପେକ୍ଷା ଆମେରିକା ଅଧିକ ଲାଭବାନ ହେବ ।
ସୂଚନାଯୋଗ୍ୟ, ରୁଷିଆ ସେନାଙ୍କ ଦ୍ୱାରା ୟୁକ୍ରେନର ରାଜଧାନୀ କ୍ୱିଭ ଓ ବୁଚା ସହରରେ ସାମୁହିକ ଭାବେ ଅତି ନିର୍ମମ ଭାବେ ଲୋକଙ୍କୁ ହତ୍ୟା କରାଯାଇଥିଲା । ବୁଚା ସହରରେ ନିର୍ଦ୍ଦୋଷ ଲୋକଙ୍କ ହାତଗୋଡ ବାନ୍ଧି ହତ୍ୟା କରାଯିବା ସହ ସେମାନଙ୍କ ଉପରକୁ ଗୁଳି ଚଳାଯାଇଥିଲା । ଏହାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ସାରା ବିଶ୍ୱ ରୁଷିଆକୁ ନିନ୍ଦା କରିଥିଲା ।

Share