ସେମିକନ୍ ଇଣ୍ଡିଆରେ ବଡ଼ କଥା କହିଦେଲେ ମୋଦି, ଭାରତ ଉପରେ ସାରା ବିଶ୍ବର…

ନୂଆଦିଲ୍ଲୀ,୧୭।୯: ଭାରତର ସେମିକଣ୍ଡକ୍ଟର ଓ ଇଲେକ୍ଟ୍ରୋନିକ୍ସ କ୍ଷେତ୍ରକୁ ନୂଆ ଦିଗ ଦେବା ଲକ୍ଷ୍ୟରେ ଆୟୋଜିତ ‘ସେମିକନ୍ ଇଣ୍ଡିଆ ୨୦୨୬’ର ଉଦ୍‌ଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ନୂଆଦିଲ୍ଲୀର ଯଶୋଭୂମିରେ ଆଜିଠାରୁ ଆରମ୍ଭ ହୋଇଥିବା ଏହି ତିନିଦିନିଆ ସମ୍ମିଳନୀ ଓ ପ୍ରଦର୍ଶନୀ ସେପ୍ଟେମ୍ବର ୧୭ରୁ ୧୯ ପର୍ଯ୍ୟନ୍ତ ଚାଲିବ । ଚଳିତ ବର୍ଷର ଥିମ୍‌ ରହିଛି— ‘Silicon to Systems: Building the Ecosystem’।

ସରକାରୀ ସୂଚନା ଅନୁସାରେ, ଏହି କାର୍ଯ୍ୟକ୍ରମରେ ୫୨ଟି ଦେଶର ପ୍ରତିନିଧି ଯୋଗଦେଉଛନ୍ତି । ୬୦୦ରୁ ଅଧିକ କମ୍ପାନୀ ଏଥିରେ ଅଂଶ ନେଉଥିବା ବେଳେ ପ୍ରାୟ ୫୦,୦୦୦ ଦର୍ଶକ ଆସିବା ଆଶା କରାଯାଉଛି । ଏହାସହ ୪୦୦ରୁ ଅଧିକ ଅଧିକାରୀ ଓ ୧୫୦ରୁ ଅଧିକ ବକ୍ତା ମଧ୍ୟ ସାମିଲ ହେଉଛନ୍ତି।ଯଶୋଭୂମିରେ ପ୍ରାୟ ୧୫,୦୦୦ ବର୍ଗମିଟର ଅଞ୍ଚଳରେ ସେମିକଣ୍ଡକ୍ଟର ଓ ଇଲେକ୍ଟ୍ରୋନିକ୍ସ କ୍ଷେତ୍ରର ପ୍ରଦର୍ଶନୀ ଆୟୋଜିତ ହୋଇଛି । ଏଥିରେ ୩୦୦ରୁ ଅଧିକ ଅନ୍ତର୍ଜାତୀୟ କମ୍ପାନୀ ସମେତ ୬୦୦ରୁ ଅଧିକ ପ୍ରଦର୍ଶକ ଅଂଶଗ୍ରହଣ କରୁଛନ୍ତି। ଏହା ମାଧ୍ୟମରେ ସେମିକଣ୍ଡକ୍ଟର ମାନୁଫାକ୍ଚରିଂଠାରୁ ଆରମ୍ଭ କରି ଡିଜାଇନ୍‌, ପ୍ୟାକେଜିଂ, ଇଲେକ୍ଟ୍ରୋନିକ୍ସ ଓ ସିଷ୍ଟମ୍‌ ପର୍ଯ୍ୟନ୍ତ ସମଗ୍ର ଭାଲ୍ୟୁ ଚେନ୍‌କୁ ପ୍ରଦର୍ଶିତ କରାଯାଉଛି।

ପ୍ରଦର୍ଶନୀରେ ଜାପାନ, ଦକ୍ଷିଣ କୋରିଆ, ମାଲେସିଆ, ନେଦରଲ୍ୟାଣ୍ଡ୍‌, ସିଙ୍ଗାପୁର ଓ ସ୍ୱିଡେନ୍‌ର ୬ଟି କଣ୍ଟ୍ରି ପାଭିଲିୟନ୍‌ ରହିଛି । ଏହାସହ ୧୨ଟି ରାଜ୍ୟର ପାଭିଲିୟନ୍‌, ଷ୍ଟାର୍ଟଅପ୍‌ ପାଭିଲିୟନ୍‌, ଇନୋଭେସନ୍‌ ଶୋକେସ୍‌, ଛାତ୍ର ହ୍ୟାକାଥନ୍‌ ଓ ୱାର୍କଫୋର୍ସ ଡେଭଲପମେଣ୍ଟ ପାଭିଲିୟନ୍‌ ମଧ୍ୟ ରହିଛି।ସେମିକନ୍‌ ଇଣ୍ଡିଆ ୨୦୨୬ରେ ପ୍ରାୟ ୪୦ଟି ଷ୍ଟାର୍ଟଅପ୍‌ ନିଜର ପ୍ରଯୁକ୍ତି ଓ ନୂଆ ଚିନ୍ତାଧାରା ପ୍ରଦର୍ଶନ କରିବେ । ଷ୍ଟାର୍ଟଅପ୍‌ ପିଚ୍‌ ପ୍ରତିଯୋଗିତା, ଛାତ୍ର ହ୍ୟାକାଥନ୍‌ ଓ ଇନୋଭେସନ୍‌ ଶୋକେସ୍‌ ମାଧ୍ୟମରେ ଯୁବ ପ୍ରତିଭାଙ୍କୁ ନିଜର ଆଇଡିଆ ଓ ଟେକ୍ନୋଲୋଜି ପ୍ରଦର୍ଶନ ପାଇଁ ସୁଯୋଗ ମିଳୁଛି।

ସେମିକଣ୍ଡକ୍ଟର କ୍ଷେତ୍ରରେ ଦକ୍ଷ ମାନବ ସମ୍ବଳ ବିକାଶ ଉପରେ ମଧ୍ୟ ଏହି କାର୍ଯ୍ୟକ୍ରମରେ ଗୁରୁତ୍ୱ ଦିଆଯାଉଛି । ୱାର୍କଫୋର୍ସ ଡେଭଲପମେଣ୍ଟ ପାଭିଲିୟନ୍‌ରେ ମାଇକ୍ରୋଇଲେକ୍ଟ୍ରୋନିକ୍ସ କ୍ଷେତ୍ରରେ ଦକ୍ଷତା, ପ୍ରଶିକ୍ଷଣ ଓ କ୍ୟାରିୟର ସୁଯୋଗ ଉପରେ ଆଲୋଚନା ହେବ। ଇଣ୍ଡିଆ ସେମିକଣ୍ଡକ୍ଟର ମିଶନ୍‌, କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରାଳୟ (MeitY) ଏବଂ ବିଶ୍ୱ ସେମିକଣ୍ଡକ୍ଟର ଶିଳ୍ପ ସଂଗଠନ SEMIର ମିଳିତ ଆୟୋଜନରେ ଏହି କାର୍ଯ୍ୟକ୍ରମ ହେଉଛି । ଭାରତରେ ସେମିକଣ୍ଡକ୍ଟର ଡିଜାଇନ୍‌, ଉତ୍ପାଦନ, ନିବେଶ, ଗବେଷଣା ଓ ଦକ୍ଷତା ବିକାଶକୁ ଆଗକୁ ନେବା ଏହାର ପ୍ରମୁଖ ଉଦ୍ଦେଶ୍ୟ।

ସରକାରୀ ସୂଚନା ଅନୁସାରେ, ସେମିକନ୍‌ ଇଣ୍ଡିଆ ପ୍ରୋଗ୍ରାମ ଅଧୀନରେ ଦେଶରେ ଏକ ଦୃଢ଼ ସେମିକଣ୍ଡକ୍ଟର ଇକୋସିଷ୍ଟମ୍‌ ଗଢ଼ିବା ପାଇଁ ୧୨ଟି ପ୍ରକଳ୍ପକୁ ଅନୁମୋଦନ ମିଳିଛି। ଏଥିରୁ ୩ଟି ପ୍ରକଳ୍ପ ବାଣିଜ୍ୟିକ ଉତ୍ପାଦନ ଆରମ୍ଭ କରିଥିବା ମଧ୍ୟ କେନ୍ଦ୍ର ସରକାର କହିଛନ୍ତି। ତିନିଦିନିଆ ସେମିକନ୍‌ ଇଣ୍ଡିଆ ୨୦୨୬ରେ ବିଶ୍ୱର ସେମିକଣ୍ଡକ୍ଟର ଶିଳ୍ପ, ନିବେଶକ, ଷ୍ଟାର୍ଟଅପ୍‌, ଗବେଷକ, ଶିକ୍ଷାନୁଷ୍ଠାନ ଓ ନୀତି ନିର୍ଦ୍ଧାରକମାନେ ଏକାଠି ହୋଇ ଭାରତର ଚିପ୍‌ ଓ ଇଲେକ୍ଟ୍ରୋନିକ୍ସ ଇକୋସିଷ୍ଟମ୍‌କୁ ନେଇ ଆଲୋଚନା କରୁଛନ୍ତି ।

 

Dharitri – Odisha’s No.1 Odia Daily

Share